ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଜାରି ଶୀତ ଲହରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସୁନ୍ଦରଗଡ଼ରୁ ଦାରିଙ୍ଗବାଡ଼ି, ଚାନ୍ଦବାଲିରୁ ଟିଟିଲାଗଡ଼ ସବୁଠି ପ୍ରବଳ ଜାଡ଼ ମାଡ଼ରେ ଥରୁଛନ୍ତି ଲୋକେ। ହେଲେ ଏ ଶୀତ ଏବେ କମିବନି, ଆହୁରି ୩ ଦିନ ଏମିତି ଥରାଇବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଫଳରେ ଏ ହାଡ଼ଭଙ୍ଗା ଶୀତକୁ କେମିତି ମୁକାବିଲା କରିବେ ସେନେଇ ରାଜ୍ୟବାସୀଙ୍କ ମନରେ ଛନକା ପଶିଲାଣି।
ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଓ ଥଣ୍ଡା ପବନ ପ୍ରଭାବରେ ରାଜ୍ୟରେ ରାତି ତାପମାତ୍ରା ସ୍ଵାଭାବିକଠାରୁ ପାଖାପାଖି ୬ ଡିଗ୍ରୀ କମିଛି। ସେହିପରି ସକାଳ ତାପାମାତ୍ରା ମଧ୍ୟ ସ୍ଵାଭାବିକଠାରୁ ୪ ଡିଗ୍ରୀ ହ୍ରାସ ପାଇଛି। ଶୀତର ଦାଉ ଏପରି ହୋଇଛି ଯେ, ଶୀତ ବସ୍ତ୍ର ବି କାମ ଦେଉନି।
#Warning for Day-1 & Day-2
Day-3 to Day-5: No Warning pic.twitter.com/UNvg47YCDk— Meteorological Centre, Bhubaneswar (@mcbbsr) December 22, 2021
ଆଗକୁ ଶୀତ ପ୍ରବାହ ଆହୁରି ବଢ଼ିବାକୁ ଥିବାରୁ ଆସନ୍ତା ୨୪ ତାରିଖ ଯାଏଁ ୧୮ ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ। ୨୩ ତାରିଖ ଅର୍ଥାତ୍ ଗୁରୁବାର ସକାଳ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ଏବଂ ଶୁକ୍ରବାର ପାଇଁ ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସୋନପୁର ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ଶୀତ ପ୍ରବାହ ନେଇ ଏହିସବୁ ଜିଲ୍ଲା ପାଇଁ ବିଭାଗ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି।ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ଓ ଦାରିଙ୍ଗବାଡ଼ିର ୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ଵରରେ ୧୦.୧ ଡିଗ୍ରୀ, ପୁରୀରେ ୧୧.୧ ଡିଗ୍ରୀ, କଟକରେ ୧୦.୬ ଡିଗ୍ରୀ, ଅନୁଗୁଳରେ ୮.୦ ଡିଗ୍ରୀ, ବାରିପଦାରେ ୧୦.୪ ଡିଗ୍ରୀ, ଝାରସୁଗୁଡ଼ାରେ ୬.୦ ଡିଗ୍ରୀ, କେନ୍ଦୁଝରରେ ୬.୪ ଡିଗ୍ରୀ, ସମ୍ବଲପୁରରେ ୮.୮ ଡିଗ୍ରୀ, ଭବାନୀପାଟଣାରେ ୬.୮ ଡିଗ୍ରୀ, ବଲାଙ୍ଗିରରେ ୮.୫ ଡିଗ୍ରୀ, କୋରାପୁଟରେ ୭.୦ ଡିଗ୍ରୀ, ମାଲକାନଗିରିରେ ୮.୦ ଡିଗ୍ରୀ, ସୋନପୁରରେ ୬.୪ ଡିଗ୍ରୀ, ନୟାଗଡ଼ରେ ୮.୦ ଡିଗ୍ରୀ, ବୌଦ୍ଧରେ ୮.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୧୩.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।