ଓଡ଼ିଶାଲାଇଭ୍ ବ୍ୟୁରୋ

ନିକଟରେ ଝିଅମାନଙ୍କ ବିବାହ ବୟସ ୧୮ରୁ ୨୧ କରିବା ପାଇଁ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛି। ଏହି ପ୍ରସ୍ତାବ ଆଇନରେ ପରିଣତ ହେବା ପରେ ଝିଅମାନଙ୍କ ପାଠପଢ଼ା, କ୍ୟାରିୟର ଓ  ସ୍ୱପ୍ନରେ କିଭଳି ପରିବର୍ତ୍ତନ ଆସିବ ସେ ସମ୍ପର୍କରେ ଜାଣିବା ପାଇଁ ‘ଓଡ଼ିଶାଲାଇଭ୍’ ତରଫରୁ ବିଭିନ୍ନ ମହଲରୁ ପ୍ରତିକ୍ରିୟା ନିଆଯାଇଥିଲା। ଅଧିକାଂଶ ଛାତ୍ରୀ ଏହାକୁ ସ୍ଵାଗତ କରିଥିବା ବେଳେ ଆଉ କିଛି ବିବାହ କ୍ଷେତ୍ରରେ ଝିଅର ନିଜସ୍ଵ ଇଚ୍ଛା ସାମିଲ କରାଯାଉ ବୋଲି କହିଥିଲେ। ସେହିପରି କେବଳ ବିବାହ ବୟସ ପରିବର୍ତ୍ତନ ନକରି ବରଂ ଝିଅଙ୍କ ଶିକ୍ଷା ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି ହେଲେ ଏହାଦ୍ୱାରା ସେମାନେ ଅଧିକ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ବିବାହ ବୟସ ବଢ଼ିବା ନିଷ୍ପତ୍ତି ସମ୍ପର୍କରେ ଜଣେ ଛାତ୍ରୀ ସୁଧିସ୍ନା ଲେଙ୍କା କହିଥିଲେ,‘‘ନିୟମ ପରିବର୍ତ୍ତନ ହେଲେ ହେବନି, ମୁଁ କେବେ ବାହା ହେବି, କାହାକୁ ବାହା ହେବି ସେସବୁ ନିଷ୍ପତ୍ତି ମୋ ନିଜର ହେବା ଦରକାର। ସରକାର କିମ୍ବା ଆଇନ ମୋ ପାଇଁ ନିଷ୍ପତ୍ତି ନେଇ ପାରିବେ ନାହିଁ। ପରିବାର କିମ୍ବା ସମାଜ ଚାପରେ ଆସି ମୁଁ ବିବାହ କରିବାକୁ ଚାହିଁବିନି।’’

ବିବାହ ବୟସ ବୃଦ୍ଧି କରାଯିବା ପଦକ୍ଷେପକୁ ସ୍ଵାଗତ କରିବା ସହ ଅନ୍ୟ ଜଣେ ଛାତ୍ରୀ ଅଶୌଚ୍ୟା ସିଧାତାପ କହିଥିଲେ, ‘‘ ବିବାହ ବୟସ ତିନି ବର୍ଷ ବଢ଼ିବା କିଛି କମ୍ ସମୟ ନୁହେଁ, ଏହି ସମୟ ମଧ୍ୟରେ ଆମକୁ ପାଠପଢ଼ିବା ପାଇଁ ସୁଯୋଗ ମିଳିବ। ଏହାସହ କ୍ୟାରିୟର ଚୟନ କରିବାକୁ ମଧ୍ୟ ସହାୟକ ହେବ। ଆଗରୁ ୧୮ ବର୍ଷ ହେଲେ ବିବାହ ପାଇଁ ଚାପ ପଡ଼ୁଥିଲା, ଏବେ ଆମେ ପାଠପଢ଼ିବା ସହ  କ୍ୟାରିୟର ଚୟନ କରିପାରିବୁ।’’

‘‘ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଝିଅମାନେ ପାଠପଢ଼ାରୁ ବଞ୍ଚିତ ରହୁଛନ୍ତି। ଏମିତିକି ୧୮ ବର୍ଷ ହେଲେ ସେମାନଙ୍କୁ  ବିବାହ କରାଇ ଦିଆଯାଉଥିଲା। ବର୍ତ୍ତମାନ ଝିଅମାନେ କୌଣସି କ୍ଷେତ୍ରରେ ପୁଅଙ୍କଠାରୁ କମ୍ ନୁହଁନ୍ତି। ବିବାହ ବୟସ ବୃଦ୍ଧି ଯୋଗୁ ଏବେ ଅଭିଭାବକମାନେ ସଚେତନ ହେବେ। ଝିଅମାନଙ୍କୁ ନିଜ କ୍ୟାରିୟର ଗଠନ କରିବାକୁ ସୁଯୋଗ ମିଳିବ’’, କହିଛନ୍ତି ଜଣେ ଛାତ୍ର ଅଂଶୁମାନ ସାହୁ।

‘‘ଯେତେବେଳେ ଝିଅଙ୍କ ବିବାହ ବୟସ ୧୮ ଆଉ ପୁଅଙ୍କର ୨୧ ବର୍ଷ ଥିଲା। ଆମକୁ ଲାଗୁଥିଲା ଆମ ପ୍ରତି ଅନ୍ୟାୟ ହେଉଛି। ଆମେ ଏବେ ସବୁ କ୍ଷେତ୍ରରେ ପୁଅଙ୍କ ସହ ସମକକ୍ଷ। ବିବାହ କ୍ଷେତ୍ରରେ ୩ବର୍ଷ ବୟସ ବୃଦ୍ଧି ହେବା କିଛି କମ୍ କଥାନୁହେଁ। ଏହା ମଧ୍ୟରେ ଗୋଟିଏ ଝିଅ ପାଠପଢ଼ି କ୍ୟାରିୟର ଚୟନ କରିପାରିବ। ୨୧ ବର୍ଷ ବୟସରେ ଗୋଟିଏ ଝିଅ ସଂସାର କରିବାକୁ ନିଜକୁ ପ୍ରସ୍ତୁତ କରିପାରିବ’’, କହିଛନ୍ତି ଛାତ୍ରୀ ଅଭିପ୍ସା ପାଣି।

‘‘ବିବାହ ବୟସ ବଢ଼ିଲା ଏହା ଏକ ଭଲ ପଦକ୍ଷେପ। ଯଦି ସରକାର ଏହି ସମୟ ମଧ୍ୟରେ ସେମାନଙ୍କ ବିକାଶ ପାଇଁ କିଛି ପଦକ୍ଷେପ ଗ୍ରହଣ କରନ୍ତେ, ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣନ୍ତେ ତେବେ ଆହୁରି ଭଲ ହୁଅନ୍ତା’’, ଏଭଳି ମତ ଦେଇଛନ୍ତି ‘ଆଇନା’ର ସମ୍ପାଦିକା ସ୍ନେହ ମିଶ୍ର।

‘‘ଝିଅମାନଙ୍କର ଯେତେ କମ୍ ବୟସରେ ବିବାହ ହୁଏ ସେତେ ଅଧିକ ଗର୍ଭପାତର ପରିମାଣ ବୃଦ୍ଧି ହେବାର ସମ୍ଭାବନା ଥାଏ। କମ୍ ବୟସ ଯୋଗୁ ଗର୍ଭଧାରଣ କରିବା ପାଇଁ ସେମାନଙ୍କୁ ଯେତିକି ପରିମାଣରେ ପୋଷଣ ଆବଶ୍ୟକ ତାହା ମିଳିନଥାଏ। ଫଳରେ ବାରମ୍ବାର ଗର୍ଭନଷ୍ଟ ହୋଇଥାଏ। ରକ୍ତହୀନତା ସମସ୍ୟା ଦେଖାଦିଏ। ଏହାଦ୍ଵାରା ଭବିଷ୍ୟତରେ ଗର୍ଭଧାରଣର ସମ୍ଭାବନା କମିଯାଏ। ୨୧ ବର୍ଷ ଗୋଟିଏ ଝିଅ ବିବାହ କରିବା ସହ ମାଆ ହେବା ପାଇଁ ଯୋଗ୍ୟ ହୋଇଥାଏ। ବିବାହ ବୟସ ବୃଦ୍ଧି ହେବା ନିହାତି ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ,’’ କହିଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲିପ୍ସା ମିଶ୍ର।

କେବଳ ବିବାହ ବୟସ ସୀମାକୁ ବଢ଼ାଇ ଦେଲେ ହେବ ନାହିଁ। ଝିଅମାନେ କେବେ ବାହା ହେବେ, କାହାକୁ ବିବାହ କରିବେ ଏବଂ କାହାକୁ ଜୀବନ ସାଥୀ କରିବେ ସେ ନିଷ୍ପତ୍ତି ନେବା ପାଇଁ ଯେଉଁ ଦିନ ଝିଅମାନେ ଯୋଗ୍ୟ ହେବେ କିଛି ପରିମାଣରେ ସମସ୍ୟା ଦୂର ହୋଇପାରିବ। ଏହା ସହିତ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିବା, ସ୍କଲାରସିପ୍ ବ୍ୟବସ୍ଥା କରିବା, ସେମାନଙ୍କୁ ରୋଜଗାରକ୍ଷମ କରାଇବା ଏବଂ ଚାକିରି ସୁଯୋଗ ସୃଷ୍ଟି କରାଗଲେ ଯେଉଁ ଲକ୍ଷ୍ୟ ନେଇ ଏହି ନିୟମ ପରିବର୍ତ୍ତନ କରାଯାଇଛି ତାହା ସଫଳ ହୋଇପାରିବ।

‘‘ଗୋଟିଏ ଝିଅର ବୟସ ଯେତେବେଳେ ୧୮ ହୋଇଥାଏ, ସେ ସେତେବେଳେ ମ୍ୟାଟ୍ରିକ ପର୍ଯ୍ୟନ୍ତ ଯାଇଥାଏ। ୨୧ ବର୍ଷ ପରେ ଗ୍ରାଜୁଏସନ। ଝିଅଟିଏ ପାଠପଢ଼ା ସାରି ଘରେ ବସିବା ପରେ ତାକୁ ଅନିଚ୍ଛା ସତ୍ତ୍ଵେ ପରିବାର ଲୋକେ ଚାପ ପକାନ୍ତି ବିବାହ କରିବା ପାଇଁ। କମ୍ ପାଠପଢ଼ା ସହ ଆତ୍ମନିର୍ଭର ହୋଇନଥିବାରୁ ପରିବାର ଚାପରେ ଝିଅଟିଏ ବିବାହ ପାଇଁ ରାଜି ହୋଇଯାଏ। ସେ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିପାରିନଥାଏ। ଝିଅଙ୍କ ବିବାହ ୨୧ ବର୍ଷ କରାଯାଇଛି। ସବୁ ନିୟମ ପରେ ମଧ୍ୟ ଝିଅମାନଙ୍କୁ ସେତିକି ଅଧିକାର ଦିଆଯିବା କଥା ସେ ବିବାହ କରିବ ନା ଆଗକୁ ପାଠପଢ଼ି ନିଜ କ୍ୟାରିୟର କରିବ, ସେ ନିଷ୍ପତ୍ତି କେବଳ ସେମାନଙ୍କର ହେବା ଆବଶ୍ୟକ’’, କହିଛନ୍ତି ଛାତ୍ରୀ ବନ୍ଦନା ପାତ୍ର।ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାର ଲକ୍ଷ୍ୟ ପୂରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଦରକାର। ଝିଅମାନଙ୍କ ଶିକ୍ଷାର ବିକାଶ, ଦକ୍ଷତା ବୃଦ୍ଧି ସହ ସେମାନଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି କରି ଆତ୍ମନିର୍ଭରଶୀଳ କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here