ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି, ବୁଧବାରଠାରୁ ଓଡ଼ିଶାର ପ୍ରତି ପଞ୍ଚାୟତରେ ଆରମ୍ଭ ହେଲା ସୁଭଦ୍ରା ରାଲି। ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ଏହି ରାଲି ଚାଲିବ। ଏଥିରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା (ଏସଏସଜି) ଙ୍କ ସହ ଛାତ୍ରୀମାନେ ମଧ୍ୟ ସାମିଲ ହୋଇଛନ୍ତି। ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତା ଆଧାରରେ ଏହି ରାଲି ଅନୁଷ୍ଠିତ ହୋଇଛି।
ରାଜଧାନୀ ଭୁବନେଶ୍ଵରରେ ଆୟୋଜିତ ସୁଭଦ୍ରା ରାଲିରେ ଏକାମ୍ର ବିଧାୟକ ବାବୁ ସିଂ ଓ ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଖଣ୍ଡଗିରିରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା।
ଭୁବନେଶ୍ୱର ସମେତ ରାଜ୍ୟର ୬ ହଜାର ୪୯୪ଟି ସ୍ଥାନରେ ସୁଭଦ୍ରା ରାଲିର ଆୟୋଜନ ହୋଇଛି। ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପଥପ୍ରାନ୍ତ ସଭାର ମଧ୍ୟ ଆୟୋଜନ କରାଯିବ। ଏହି ଯୋଜନାକୁ ବ୍ୟାପକ କରିବା ଲକ୍ଷ୍ୟରେ ସୁଭଦ୍ରା ରାଲିର ଆୟୋଜନ କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ତେବେ ମାର୍ଚ୍ଚ ୬ ତାରିଖରେ ୧ ଲକ୍ଷ ୭୦ ହଜାର ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇବେ। ଏହା ପରେ ମାର୍ଚ୍ଚ ୮ ତାରିଖ ମହିଳା ଦିବସ ଅବସରରେ ପ୍ରାୟ ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଦ୍ଵିତୀୟ କିସ୍ତି ଟଙ୍କା ଯିବ।
Tags: #SubhadraRally #SubhadraYojana #PravatiParida #SHGWomen #Odisha