ଓଡ଼ିଶାଲାଇଭ୍ ବ୍ୟୁରୋ

  • ୪ଟି ମିଶନ ଶକ୍ତି ଭବନ ଉଦ୍‌ଘାଟିତ
  • ବିଜୁ  ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହୋଇଛନ୍ତି ୮ ଲକ୍ଷ  ଲୋକ
  • ଲୋକଙ୍କ ଆସ୍ଥା ଓ ବିଶ୍ଵାସ ବଜାୟ ରଖିବା ପାଇଁ ଆମେ କାମ କରୁଛୁ – ମୁଖ୍ୟମନ୍ତ୍ରୀ

ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୨୧୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ଦିନ ଜଗତସିଂହପୁର, ରଘୁନାଥପୁର, ତିର୍ତ୍ତୋଲ ଓ ବାଲିକୁଦାରେ ୪ଟି ମିଶନ ଶକ୍ତି ଭବନ ଉଦ୍‌ଘାଟନ କରିଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।

ଏହା ବ୍ୟତୀତ ୪୩ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାଦ୍ଵାରା ଜିଲ୍ଲାର ୧୨ ଲକ୍ଷ ଲୋକ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ, ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ଵାସକୁ ବଜାୟ ରଖିବା ସବୁଠାରୁ  ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆମେ କାମ କରୁଛୁ ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ।

ସେ ଆହୁରି ମଧ୍ୟ କହିଥିଲେ ଯେ, ପାରାଦୀପଠାରେ ବିଜୁ ବାବୁ ଓଡ଼ିଶାର ଶିଳ୍ପ ବିକାଶ ପାଇଁ ଭିତ୍ତି ରଖିଥିଲେ। ପାରାଦୀପ ଆଜି ଦେଶର ଏକ ସମୃଦ୍ଧ ବନ୍ଦର ଭାବରେ ଅନେକ ସୁଯୋଗ ସୃଷ୍ଟି କରିଛି ଏବଂ ଆମ ଅର୍ଥନୀତିର ଜୀବନରେଖା ହୋଇଛି।

ମା’ ଶାରଳାଙ୍କ ପୀଠ ହେଉଛି ମାତୃ ପୀଠ। ଜିଲ୍ଲାର ମିଶନ ଶକ୍ତିର ମା’ମାନେ ଆଜି ବିକଶର ସାରଥୀ ହୋଇଛନ୍ତି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବା ସହିତ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଫେଡେରେସନ ପାଇଁ ୧ କୋଟି ଟଙ୍କା ଓ ବ୍ଲକ୍‌ ସ୍ତରୀୟ ମିଶନ ଶକ୍ତି ଫେଡେରେସନ ପାଇଁ ୫୦ ଲକ୍ଷ ଟଙ୍କାର ଏକ ରିଭଲ୍‌ଭିଂ ଫଣ୍ଡର ବ୍ୟବସ୍ଥା ରଖାଯାଇଛି। ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଏହା ଆହୁରି ଆଗକୁ ନେବ ବୋଲି ସେ କହିଛନ୍ତି।

ସ୍ଵାସ୍ଥ୍ୟସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏଥିରେ ଆମର ନୀତି ହେଉଛି ପ୍ରତି ଜୀବନ ମୂଲ୍ୟବାନ। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସାରା ଦେଶ ପାଇଁ ଏକ ମଡେଲ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଆଜି ପର୍ଯ୍ୟନ୍ତ ଏହି ଯୋଜନାରେ ୮ ଲକ୍ଷ ଲୋକ ଚିକିତ୍ସା ସୁବିଧା ପାଇଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାର ୧,୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଅଧୀନରେ ଜଗତସଂହପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୦୨ଟି ସ୍କୁଲର ରୂପାନ୍ତର କରାଯାଇଛି ଏବଂ ଚତୁର୍ଥ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ସ୍କୁଲକୁ ରୂପାନ୍ତରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ମା’ ଶରଳାଙ୍କ ପୀଠର ଉନ୍ନତିକରଣ ପାଇଁ ୪୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ଏବଂ ୨୦୨୩ ଶେଷ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରମୁଖ ଯୋଗ ଦେଇଥିଲେ। ୫-ଟି ସଚିବ ଭକେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Tags: #CMOdisha #NaveenPatnaik #Jagatsinghpur #DevelopmentProjects

LEAVE A REPLY

Please enter your comment!
Please enter your name here