ଓଡ଼ିଶାଲାଇଭ୍ ବ୍ୟୁରୋ

‘ଅକ୍ଷୟ ତୃତୀୟା’ ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ପରିସରରେ ଉଦଘାଟିତ ହୋଇଯାଇଛି ମିଲେଟ ଶକ୍ତି କାଫେ ଓ କୃଷି ସମୀକ୍ଷା କେନ୍ଦ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି।

ଓଡ଼ିଶା ମିଲେଟ୍ସ ମିଶନ ଏବଂ ମିଶନ ଶକ୍ତିର ମିଳିତ ଉଦ୍ୟମରେ ମା’ ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେବ ଲୋକସେବା ଭବନରେ ଖୋଲିଥିବା ମିଲେଟ ଶକ୍ତି କାଫେ। ଲୋକସେବା ଭବନକୁ ଆସୁଥିବା କର୍ମଚାରୀ ଏବଂ ଦର୍ଶକଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ଏହି କାଫେ ସହାୟକ ହେବ। ଆଗାମୀ ଦିନରେ ରାଜ୍ୟର ପ୍ରମୁଖ ଜିଲ୍ଲା ତଥା ସହରଗୁଡ଼ିକରେ ଅଧିକରୁ ଅଧିକ ମିଲେଟ ଶକ୍ତି କାଫେ ପ୍ରତିଷ୍ଠା କରିବାକୁ ସରକାର ଯୋଜନା ରଖିଛନ୍ତି।

କୃଷି ସମୀକ୍ଷା କେନ୍ଦ୍ର ପ୍ରତିଷ୍ଠା ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ବୋଲି କୁହାଯାଉଛି। ହିତାଧିକାରୀମାନଙ୍କୁ କୃଷି ସମ୍ପର୍କୀତ ସରକାରୀ ଯୋଜନା ଏବଂ ସେବା ପ୍ରଦାନ କରିବା ଦିଗରେ ଏହି କେନ୍ଦ୍ର ସହାୟକ ହେବ। କୃଷି ସମୀକ୍ଷା କେନ୍ଦ୍ର ଗୁଣାତ୍ମକ ଉତ୍ପାଦନ ସାମଗ୍ରୀ ଯୋଗାଣ ସହ କୀଟନାଶକ, ରୋଗ ପରିଚାଳନା ଓ କୃଷକମାନଙ୍କୁ ସମ୍ପ୍ରସାରଣ ସେବା ପ୍ରଦାନ ଆଦି କାର୍ଯ୍ୟ କରିବ।

ମିଲେଟ ଶକ୍ତି କାଫେ ଏବଂ କୃଷି ସମୀକ୍ଷା କେନ୍ଦ୍ର (ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ପ୍ରକୋଷ୍ଠ) ଉଦଘାଟନୀ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର କାର୍ତ୍ତିକେୟନ, କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ଓଡ଼ିଶା ମିଲେଟ୍ସ ମିଶନ ତଥା କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶୈଳେନ୍ଦ୍ର ମହାନ୍ତି ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Tags: #MilletsMission #MissionShaktiCafe #KrushiSamikshaKendra #CMOdisha #NaveenPatnaik #OdishaMilletsMission #MilletShaktiCafe #LokasevaBhavana

LEAVE A REPLY

Please enter your comment!
Please enter your name here