ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିପୁରରେ ହୋଇଥିବା ହିଂସାରେ ଏବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ହିଂସା ସଙ୍କ୍ରାନ୍ତୀୟ ଅନେକ ପିଟିସନ ସୁପ୍ରିମକୋର୍ଟରେ ଦୟାର ହୋଇଛି। ସୁପ୍ରିମକୋର୍ଟ ମଣିପୁର ହିଂସା ମାମଲାରେ ଆସୁଥିବା ଆବେଦନଗୁଡ଼ିକର ଶୁଣାଣି କରିବାକୁ ଶୁକ୍ରବାର ଆସାମର ଗୌହାଟି ହାଇକୋର୍ଟଙ୍କୁ ନିର୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ଅନୁସାରେ ମଣିପୁର ହିଂସା ବାବଦରେ ଅନ୍ୟ କୌଣସି ଆବେଦନ ଓ ସିବିଆଇ ତଦନ୍ତ କରୁଥିବା ମାମଲାର ଶୁଣାଣି ଗୌହାଟି ହାଇକୋର୍ଟରେ ହେବ। ଏଥିପାଇଁ ଏଠାରେ ଜଣେ କିମ୍ବା ଦୁଇଜଣ ସ୍ୱତନ୍ତ୍ର ବିଚାରପତିଙ୍କୁ ଦାୟିତ୍ଵ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଛି।
ମଣିପୁରର ଅନେକ ଆବେଦନକାରୀ ଆସାମ କିମ୍ବା ମିଜୋରାମ ଭଳି ରାଜ୍ୟରେ ହିଂସା ମାମଲାଗୁଡ଼ିକର ଶୁଣାଣି ନ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହା ଦ୍ଵାରା ସେମାନଙ୍କ ଜୀବନ ପ୍ରତି ବିପଦ ହେବ ଏବଂ ଅନ୍ୟାନ୍ୟ ସମସ୍ୟା ରହିବ ବୋଲି ସେମାନେ ଆବେଦନରେ ଦର୍ଶାଇଥିଲେ। ସୁପ୍ରିମକୋର୍ଟ ଏହାକୁ ଖାରଜ କରିଛନ୍ତି।
ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଏବେ ଅଭିଯୁକ୍ତ, ସାକ୍ଷୀଙ୍କ ହାଜର କିମ୍ବା ରିମାଣ୍ଡ ସମ୍ପର୍କିତ କାର୍ଯ୍ୟକଳାପ ଅନଲାଇନରେ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ରହିଛି। ଯାହାଦ୍ୱାରା ସେମାନଙ୍କ ଜୀବନ ପ୍ରତି କୌଣସି ବିପଦ ରହିବ ନାହିଁ।
ମଣିପୁରରେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ପାଖରେ ଉପସ୍ଥିତ ରହି ଅନଲାଇନ ମାଧ୍ୟମରେ ଅଭିଯୁକ୍ତ ଓ ସାକ୍ଷୀମାନେ କୋର୍ଟରେ ନିଜର ବୟାନ ରେକର୍ଡ କରିବେ। ଏଥିପାଇଁ ଇଣ୍ଟରନେଟ ସେବା ଯୋଗାଇବାକୁ ମଣିପୁର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
Tags: #ManipurViolence #ManipurUnrest #GuwahatiHighcourt #SupremeCourt #India