ଭାସ୍କର ପରିଚ୍ଛା
ଭାରତରେ ଏବେ ଦେଖା ଦେଇଥିବା ଖାଦ୍ୟ ମୂଲ୍ୟସ୍ଫୀତିର ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଏଥିଲାଗି ବଜାରରେ ‘ଭାରତ’ ବ୍ରାଣ୍ଡର ଅଟା, ଡାଲି, ଟମାଟୋ, ଚିନି ଓ ଖାଇବା ତେଲ ପରେ ମଙ୍ଗଳବାରଠାରୁ ‘ଭାରତ’ ରାଇସ୍ (ଚାଉଳ) ବିକ୍ରୟ ଆରମ୍ଭ ହୋଇଛି।
ଏହି ଚାଉଳ ବିଭିନ୍ନ କେନ୍ଦ୍ରୀୟ ଯୋଗାଣକାରୀ ସଂସ୍ଥା ଏବଂ ସମବାୟ ତଥା ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି। ନୂଆକରି ବିକ୍ରି ଆରମ୍ଭ ହୋଇଥିବା ‘ଭାରତ’ ଚାଉଳର କିଲୋ ପିଛା ମୂଲ୍ୟ ୨୯ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ୫ ଓ ୧୦ କିଲୋଗ୍ରାମ ପ୍ୟାକେଟ୍ରେ ଖାଉଟିଙ୍କୁ ମିଳିବ। ଏହାକୁ ଖୁଚୁରା ବିକ୍ରି କୁହାଯାଉଥିଲେ ମଧ୍ୟ ଖୋଲାରେ ବା କିଲୋ, ଦୁଇକିଲୋ ଓଜନରେ ମିଳୁନାହିଁ।
ମହଙ୍ଗା ବଜାରକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ବଜାରକୁ ଶସ୍ତା ଦାମରେ ଚାଉଳ ଓ ଅଟା ଆଦି ଛାଡ଼ିଲେ ବଜାର ଦାମ ଉପରେ ତାହାର ପ୍ରଭାବ ପଡ଼ିଥାଏ। ତେବେ ସରକାରଙ୍କ ଏହି ଯୋଜନାର ପୂର୍ଣ୍ଣ କାର୍ଯ୍ୟକାରିତା ନିଶ୍ଚୟ ଏକ ସମୟସାପେକ୍ଷ ବିଚାର।
ଦେଶରେ ଯେଉଁ ଲୋକମାନେ ସରକାରୀ ଯୋଜନାର ଲାଭାର୍ଥୀ ନୁହନ୍ତି ସେମାନଙ୍କ ସଂଖ୍ୟା ପାଖାପାଖି ୬୦ କୋଟି। ସେଥିମଧ୍ୟରୁ ପ୍ରାୟ ୫୦ କୋଟି ଲୋକ ମଧ୍ୟବିତ୍ତ ବର୍ଗର। ଅବଶିଷ୍ଟ ଧନିକ ଅଥବା ଅତ୍ୟନ୍ତ ସ୍ୱଚ୍ଛଳ ବ୍ୟକ୍ତି ଏହି ସୁବିଧା ଆବଶ୍ୟକ କରନ୍ତି ନାହିଁ। ବଜାର ମୂଲ୍ୟ ବୃଦ୍ଧି ସହିତ ଏହି ୧୦ କୋଟି ଲୋକଙ୍କର କୌଣସି ଦେବାନେବା ବିଶେଷ ନଥାଏ।
ତେବେ ମଧ୍ୟବିତ୍ତ ବର୍ଗ ସବୁଠୁ ସଚେତନ ଏବଂ ଅତ୍ୟନ୍ତ ସଂବେଦନଶୀଳ। ସେମାନଙ୍କ ମତାମତ ଓ ପ୍ରଭାବ ନିର୍ବାଚନ ରାଜନୀତିକୁ ପ୍ରଭାବିତ କରିଥାଏ। ତେଣୁ ସ୍ୱାଭାବିକ ଭାବେ ସେମାନଙ୍କୁ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ସୁବିଧା ମୂଲ୍ୟରେ ଯୋଗାଇବାକୁ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିବା ସ୍ୱାଭାବିକ।
ଏହା ପୂର୍ବରୁ କେନ୍ଦ୍ର ସରକାର ‘ଭାରତ’ ବ୍ରାଣ୍ଡର ଅଟା, ବୁଟଡାଲି, ଟମାଟୋ, ପିଆଜ, ଚିନି, ଖାଇବା ତେଲ ଆଦି ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇ ଦେଉଛନ୍ତି। ବିଭିନ୍ନ ଖାଇବା ତେଲ ଓ ଡାଲିର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ସହିତ ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଆମଦାନୀ ଶୁଳ୍କ ହ୍ରାସ କରାଯିବା ସହିତ ଆବଶ୍ୟକ ସ୍ଥଳେ ରିହାତି ପ୍ରଦାନ କରାଯାଉଛି।
‘ଭାରତ’ ବ୍ରାଣ୍ଡର ଅତ୍ୟାବଶ୍ୟକ ସାମଗ୍ରୀ ସରକାର ରିହାତି ଦରରେ ଲୋକଙ୍କୁ ଯୋଗାଉଥିଲେ ମଧ୍ୟ ବାସ୍ତବ ବଜାର ସହିତ ଏହାର କୌଣସି ସମ୍ପର୍କ ନାହିଁ। ଉଦାହରଣ ସ୍ୱରୂପ ‘ଭାରତ’ ଚାଉଳର କିଲୋପିଛା ମୂଲ୍ୟ ୨୯ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଏହି ବ୍ରାଣ୍ଡର ଅଟାର ଦାମ ରଖାଯାଇଛି ୨୭ ଟଙ୍କା ୫୦ ପଇସା। ବୁଟଡାଲି କିଲୋପିଛା ୬୦ ଟଙ୍କାରେ ବିକ୍ରି ବ୍ୟବସ୍ଥା କରାଯାଇଛି। ବଜାରରେ ସାଧାରଣ ଚାଉଳ, ଯାହା ଖାଦ୍ୟ ଉପଯୋଗୀ ତାହାର କିଲୋପିଛା ସର୍ବନିମ୍ନ ମୂଲ୍ୟ ୩୫ ଟଙ୍କାରୁ ଆରମ୍ଭ। ସୁପରଫାଇନ୍ ଅଣବାସମତି ଏବଂ ବାସମତି ଚାଉଳ ମୂଲ୍ୟ କିଲୋ ୧୦୦ ଟଙ୍କା ବା ତା’ଠାରୁ ଅଧିକ। ପ୍ରାୟ ୪୦ରୁ ୫୦ ଟଙ୍କା ମୂଲ୍ୟର ଚାଉଳ ନ କିଣିଲେ ତାହା ଖାଇବାଯୋଗ୍ୟ ହେଉନାହିଁ। ଏହାକୁ ‘ଷ୍ଟାଣ୍ଡାର୍ଡ’ କୁହାଯାଉଛି। ସେହିଭଳି କିଲୋପିଛା ୪୦ ଟଙ୍କାରୁ କମ୍ରେ ଅଟା ବଜାରରେ ମିଳୁନାହିଁ। ଭାରତ ବ୍ରାଣ୍ଡର ଅଟା ଓ ଚାଉଳକୁ ମାନ ଦୃଷ୍ଟିରୁ ଅନେକ ଖାଉଟି ନାକ ଟେକୁଛନ୍ତି।
ଯେଉଁମାନେ ମାଗଣା ସରକାରୀ ଚାଉଳ ବା ଅଟା ପାଉଛନ୍ତି ସେମାନଙ୍କର ମଧ୍ୟ ତେଲ, ଡାଳି, ପିଆଜ, ଟମାଟୋ ଭଳି ଜିନିଷ ଦୈନିକ ଦରକାର। ସରକାରୀ ରିହାତି ଓ ଶୁଳ୍କ ହ୍ରାସ ସତ୍ତ୍ୱେ ଏସବୁ ସାମଗ୍ରୀର ବଜାର ମୂଲ୍ୟ ସାଧାରଣ ଗ୍ରାହକଙ୍କ କ୍ରୟଶକ୍ତି ବାହାରେ ରହୁଛି।
ଅନ୍ୟପଟେ ଏନଡିଏ ସରକାର ଆସିବା ଦିନରୁ ଭାରତର ସମଗ୍ର ବଜାର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବ୍ୟବସାୟୀ, ମିଲର୍ସ, ପାଇକାରୀ ଯୋଗାଣକାରୀ ଓ ରପ୍ତାନି-ଆମଦାନୀକାରୀ ଗୋଷ୍ଠୀଙ୍କ ନିୟନ୍ତ୍ରଣରେ ରହିଥିବା ଅଭିଯୋଗ ହେଉଛି। ଉତ୍ପାଦନ ସମୟରେ ରସୁଣ କିଲୋ ୩୫୦ ଟଙ୍କା ଥିବାବେଳେ ଟମାଟୋ ଓ ପିଆଜ ଯଥାକ୍ରମେ ୪୦ ଓ ୩୫ ଟଙ୍କାରେ ବିକ୍ରି ହେଉଛି। ଡାଲି ଏବଂ ତେଲର ମୂଲ୍ୟ ଏହାର ପ୍ରକାରଭେଦ ନେଇ ଭିନ୍ନ ଭିନ୍ନ। ଅବଶ୍ୟ ଚିନି ମୂଲ୍ୟ ପ୍ରାୟ ସ୍ଥିର ରହିଛି।
ଭାରତର ସାଧାରଣ ନିର୍ବାଚନରେ ଖାଦ୍ୟଶସ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପ୍ରାୟତଃ ପ୍ରଭାବ ପକାଇଥାଏ। ଏଥର କ’ଣ ହେବ ତାହା ସମୟ କହିବ। ତଥାପି ଭାରତ ସରକାର ମୂଲ୍ୟ ବୃଦ୍ଧିକୁ ରୋକିବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ଦେଉଛନ୍ତି ଓ ତାହା ସବୁ ସେହି ପ୍ରଚଳିତ ଢଙ୍ଗର। ଏଥିରେ ସ୍ୱତନ୍ତ୍ରତା କିଛି ନାହିଁ।
କେନ୍ଦ୍ର ସରକାର ବିଶ୍ୱର ସର୍ବବୃହତ୍ ଖାଦ୍ୟ ଓ ପୁଷ୍ଟିସାଧନ ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ଦେଶର ପ୍ରାୟ ୪୦ ଭାଗ ଲୋକ ପ୍ରଚଣ୍ଡ ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଛନ୍ତି। ସେମାନଙ୍କ ପାଇଁ ନା କିଛି ସରକାରୀ କୃପା ନା ଅନୁକମ୍ପା ରହିଛି। ଏବେ ନିର୍ବାଚନ ପୂର୍ବରୁ ବଜାର ବ୍ୟବସ୍ଥାକୁ ସୁଧାରିବା ପାଇଁ ଅଣ୍ଟା ଭିଡ଼ିବା ବାହାଘର ବେଳେ ବାଇଗଣ ରୋଇବା ସହିତ ସମାନ ବୋଲି ଅନେକ ଲୋକ ମତ ରଖିଛନ୍ତି।
ଖାଦ୍ୟ ଓ ଯୋଗାଣ ଏକ ଏଭଳି ସ୍ପର୍ଶକାତର ପ୍ରସଙ୍ଗ, ଯେଉଁଠି କେନ୍ଦ୍ର ସରକାର ତତ୍ପର ନ ହେଲେ ରାଜ୍ୟମାନେ ଏ କ୍ଷେତ୍ରରେ କିଛି କରିପାରିବେ ନାହିଁ ଓ ମୂଲ୍ୟ ବୃଦ୍ଧି ଘଟିବ। ଜିଏସଟି ବ୍ୟବସ୍ଥା ଏହାକୁ ଅଧିକ ଅନମନୀୟ କରିଛି। ତେଣୁ କେନ୍ଦ୍ର ସରକାରଙ୍କ ଏ କ୍ଷେତ୍ରରେ ପଦକ୍ଷେପ ସବୁ ଅତି ବିଳମ୍ବିତ ଓ ସ୍ୱଳ୍ପ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏକ ଅତି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ। ଏବେ ଏହାର ଦାୟିତ୍ୱରେ ଅତିରିକ୍ତ ଭାବେ କେନ୍ଦ୍ରରେ ଯେଉଁ ମନ୍ତ୍ରୀ ଅଛନ୍ତି ତାଙ୍କ ପାଖରେ ଆଉ ୪ଟି ବଡ଼ ମନ୍ତ୍ରାଳୟର ଦାୟିତ୍ଵ ରହିଛି। ତେଣୁ ଏହି ମନ୍ତ୍ରାଳୟ ଓ ଏହାର ବିଭାଗ ସବୁ କାମଚଳା ବ୍ୟବସ୍ଥାରେ ଚାଲିଥିବା ଭଳି ମନେ ହୁଏ। କେନ୍ଦ୍ର ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍ର ପରାମର୍ଶଦାତା ସମ୍ପାଦକ)
Tags: #BharatBrandFoodItems #PublicDistribution #FoodInflation #MinistryofFood&PublicDistribution #GovtofIndia