ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ଋତୁସ୍ରାବ ବା ପିରିୟଡସ୍ ଜଣେ ମହିଳାଙ୍କ ଜୀବନର ଏକ ସାଧାରଣ ଏବଂ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। ସମଗ୍ର ବିଶ୍ଵର ଅର୍ଦ୍ଧେକ ମହିଳାଙ୍କର (ବିଶ୍ୱ ଜନସଂଖ୍ୟାର ପ୍ରାୟ ୨୬ ପ୍ରତିଶତ) ଋତୁସ୍ରାବ ହୋଇଥାଏ। ଅଧିକାଂଶ ମହିଳାଙ୍କର ମାସିକ ଋତୁସ୍ରାବ ପ୍ରାୟ ଦୁଇରୁ ସାତ ଦିନ ପର୍ଯ୍ୟନ୍ତ ହୋଇଥାଏ। ତଥାପି ଏହା ଯେତିକି ସ୍ୱାଭାବିକ, ସାରା ବିଶ୍ୱରେ ଋତୁସ୍ରାବକୁ କଳଙ୍କିତ କରାଯାଇଥାଏ।

ତେବେ ଋତୁସ୍ରାବ ବିଷୟରେ ଲୋକଙ୍କଠାରେ ସୂଚନାର ଅଭାବ ବହୁତ କ୍ଷତିକାରକ ହୋଇଥାଏ। ଏହା ଭୁଲ ଧାରଣା ଏବଂ ଭେଦଭାବକୁ ଜନ୍ମ ଦେଇଥାଏ, ଯାହାଦ୍ୱାରା ଝିଅମାନେ ପିଲାଦିନର ସାଧାରଣ ଅନୁଭୂତି ଏବଂ କାର୍ଯ୍ୟକଳାପରୁ ବଞ୍ଚିତ ହେବାର ଦେଖାଯାଇଥାଏ। ପିରିୟଡସ୍ ବାବଦରେ ଅପବାଦ ତଥା ନିଷିଦ୍ଧତା କିଶୋରୀ ଝିଅ ଏବଂ ପୁଅମାନଙ୍କୁ, ଏହା ବିଷୟରେ ଜାଣିବା ଓ ସୁସ୍ଥ ଅଭ୍ୟାସ ବିକଶିତ କରିବାର ସୁଯୋଗରୁ ବଞ୍ଚିତ କରିଥାଏ।

ଋତୁସ୍ରାବ ସମ୍ପର୍କରେ ୯ଟି ଗୁରୁତ୍ୱପୂର୍ଣ୍ଣ କଥା

୧) ଜଣେ ମହିଳାଙ୍କ ଜୀବନକାଳ ମଧ୍ୟରେ ହାରାହାରି ପ୍ରାୟ ୭ ବର୍ଷ ଋତୁସ୍ରାବ ହୋଇଥାଏ।

୨) ପ୍ରଥମ ଋତୁସ୍ରାବ ଜଣେ ଝିଅ ପାଇଁ ଖୁସି, ଭୟ କିମ୍ବା ଚିନ୍ତାର କାରଣ ପାଲଟିପାରେ। ପ୍ରତ୍ୟେକ ଝିଅଙ୍କ ପାଇଁ ଏହା ନାରୀତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ସୂଚିତ କରେ।

୩) ପିରିୟଡସ୍ ଯେ ଏକ ସାଧାରଣ ଜୈବିକ ପ୍ରକ୍ରିୟା, ଏହାକୁ ଅନେକ ଝିଅ ସମ୍ପୂର୍ଣ୍ଣ ଏବଂ ସଠିକ୍ ଭାବରେ ବୁଝିପାରନ୍ତି ନାହିଁ। ପ୍ରଥମ ଋତୁସ୍ରାବ ପୂର୍ବରୁ ଏହା ବାବଦରେ ଝିଅମାନଙ୍କୁ ଶିକ୍ଷିତ କରିବା ଦ୍ଵାରା ସେମାନଙ୍କ ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ। ତେବେ ଋତୁସ୍ରାବ ବିଷୟରେ ପୁଅମାନଙ୍କୁ ମଧ୍ୟ ଶିକ୍ଷିତ କରାଯିବା ଦରକାର। ଏହା ସାମାଜିକ ଏକତାରେ ଯୋଗଦାନ ଏବଂ ସୁସ୍ଥ ଅଭ୍ୟାସକୁ ପ୍ରୋତ୍ସାହିତ କରିଥାଏ। ଏଭଳି ସୂଚନା ଘର ପରିବାରରେ ଏବଂ ସ୍କୁଲରେ ଦିଆଯିବା ଦରକାର।

୪) ଖରାପ ଋତୁସ୍ରାବ ସ୍ୱଚ୍ଛତା ମହିଳାମାନଙ୍କ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ। ଏହା ପ୍ରଜନନ ଏବଂ ମୂତ୍ରନଳୀକୁ ସଂକ୍ରମଣ କରିବାର ସମ୍ଭାବନା ଥାଏ। ଅନେକ ଝିଅ ଏବଂ ମହିଳାଙ୍କ ପାଖରେ ସୁଲଭ ଋତୁସ୍ରାବ ସାମଗ୍ରୀ ପାଇଁ ସୀମିତ ବିକଳ୍ପ ଅଛି। ପାଣି ଏବଂ ସ୍ୱଳ୍ପ ମୂଲ୍ୟର ଭଲ ଋତୁସ୍ରାବ ସାମଗ୍ରୀ ସହିତ ଘରୋଇ ସୁବିଧା ଉପଲବ୍ଧ କରାଇବା ଦ୍ୱାରା ୟୁରୋଜେନିଟାଲ ରୋଗ ହ୍ରାସ ହୋଇପାରିବ।

୫) ଭିନ୍ନକ୍ଷମ ଏବଂ ବିଶେଷ ଆବଶ୍ୟକତା ଥିବା ଝିଅ ଓ ମହିଳାମାନେ ଋତୁସ୍ରାବ ସ୍ୱଚ୍ଛତା ସହିତ ଅତିରିକ୍ତ ଆହ୍ୱାନର ସମ୍ମୁଖୀନ ହୁଅନ୍ତି। ଋତୁସ୍ରାବ ପରିଚାଳନା ପାଇଁ ପାଣି ଏବଂ ସାମଗ୍ରୀ ସହିତ ଶୌଚାଳୟର ଉପଲବ୍ଧତା ଅଭାବରୁ ସେମାନେ ବହୁଳ ଭାବରେ ପ୍ରଭାବିତ ହୁଅନ୍ତି।

୬) ଅନେକ ଜରୁରୀକାଳୀନ ପରିସ୍ଥିତି ଯଥା ପ୍ରାକୃତିକ ବିପର୍ଯ୍ୟୟ ଓ ଯୁଦ୍ଧ ସମୟରେ ଅନେକ ମହିଳା ଓ ଝିଅଙ୍କ ପାଖରେ ଋତୁସ୍ରାବ ପରିଚାଳନା ପାଇଁ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ହୁଏ ନାହିଁ। ଜରୁରୀକାଳୀନ ପରିସ୍ଥିତିରେ ୟୁନିସେଫ୍ ପକ୍ଷରୁ ମହିଳା ଓ ଝିଅମାନଙ୍କୁ ସମ୍ମାନ କିଟ୍ ପ୍ରଦାନ କରାଯାଇଥାଏ। ଯେଉଁଥିରେ ଶୌଚାଳୟ ବ୍ୟବହାର କରିବା ସମୟରେ ସାନିଟାରୀ ପ୍ୟାଡ୍, ଫ୍ଲାସ ଲାଇଟ୍ ଏବଂ ବ୍ୟକ୍ତିଗତ ନିରାପତ୍ତା ପାଇଁ ହ୍ୱିସିଲ୍ ରହିଥାଏ।

୭) ସମଗ୍ର ବିଶ୍ୱରେ ୨୩୦ କୋଟି ଲୋକ ମୌଳିକ ପରିମଳ ସେବାରୁ ବଞ୍ଚିତ ଥିବାବେଳେ ଅଳ୍ପ ବିକଶିତ ଦେଶମାନଙ୍କରେ ମାତ୍ର ୨୭ ପ୍ରତିଶତ ଲୋକେ ଘରେ ପାଣି ଓ ସାବୁନ ସହିତ ହାତ ଧୋଇବା ସୁବିଧା ପାଇଛନ୍ତି। ତେବେ ଘରେ ଏହି ମୌଳିକ ସୁବିଧାର ଅଭାବ ଥିବା ମହିଳା ଓ କିଶୋରୀମାନଙ୍କ ପାଇଁ ଋତୁସ୍ରାବ ପରିଚାଳନା କରିବା ଏକ ବଡ଼ ସମସ୍ୟା ସୃଷ୍ଟି କରିଥାଏ।

୮) ନିମ୍ନ ଆୟକାରୀ ଦେଶମାନଙ୍କର ପ୍ରାୟ ଅଧା ବିଦ୍ୟାଳୟରେ ପର୍ଯ୍ୟାପ୍ତ ପାନୀୟ ଜଳ, ପରିମଳ ଏବଂ ପରିଚ୍ଛନ୍ନତାର ଅଭାବ ରହିଛି। ଫଳରେ ଏଠାକାର ଛାତ୍ରୀ ଏବଂ ଶିକ୍ଷୟିତ୍ରୀମାନେ ସେମାନଙ୍କ ଋତୁସ୍ରାବ ପରିଚାଳନା କରିବା ପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ମୌଳିକ ସୁବିଧା ନମିଳିବା ଝିଅମାନଙ୍କର ସ୍କୁଲ ଅଭିଜ୍ଞତାକୁ ପ୍ରଭାବିତ କରିପାରେ, ଯାହା ଫଳରେ ସେମାନେ ପିରିୟଡସ୍ ସମୟରେ ବିଦ୍ୟାଳୟରୁ ବଞ୍ଚିତ ହୁଅନ୍ତି। ଏଥିପାଇଁ ସବୁ ସ୍କୁଲରେ ଛାତ୍ରୀମାନଙ୍କ ପାଇଁ ପାଣି ଓ ସ୍ୱଚ୍ଛ ଶୌଚାଳୟର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି।

୯) ଅନ୍ତର୍ଜାତୀୟ ସଂସ୍ଥା ୟୁନିସେଫ୍ ସ୍ଥାନୀୟ ସମୁଦାୟ, ବିଦ୍ୟାଳୟ ଏବଂ ସରକାରଙ୍କ ସହ ମିଶି ଋତୁସ୍ରାବ ବିଷୟରେ ଗବେଷଣା ଏବଂ ସୂଚନା ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛି। ଏ ଦିଗରେ ସକାରାତ୍ମକ ସ୍ୱଚ୍ଛତା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ସାମାଜିକ ନିଷିଦ୍ଧତାକୁ ଭାଙ୍ଗିବା ପାଇଁ ସଂସ୍ଥା ଲକ୍ଷ୍ୟ ରଖିଛି।

    ପିରିୟଡସ୍ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍‌ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି।

    ଏହି ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପିରିୟଡସ୍ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍।

    (ତଥ୍ୟ – ୟୁନିସେଫ୍)

    Tags: #Let’sTalkPeriods #MenstrualHygiene #PeriodFriendlyWorld #BreaktheTaboo #MHDay2024

    LEAVE A REPLY

    Please enter your comment!
    Please enter your name here