ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର କହ୍ନେଇଲାଲ ସ୍ମୃତି ସଂସଦ ପକ୍ଷରୁ ବର୍ଷ ୨୦୨୪ ପାଇଁ ସମ୍ମାନଜନକ କହ୍ନେଇ କଥା ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ଓଡ଼ିଆ ସାହିତ୍ୟର ବିଶିଷ୍ଟ ଯୁବ କଥାକାର ଚିତ୍ତରଞ୍ଜନ ଚିରଞ୍ଜିତଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଜୁଲାଇ ୨୭ ତାରିଖରେ କହ୍ନେଇଲାଲ ସ୍ମୃତି ସଭା ଅବସରରେ ତାଙ୍କୁ ଏହି ପୁରସ୍କାର ମିଳିବ। ସୋମବାର କହ୍ନେଇଲାଲ ସ୍ମୃତି ସଂସଦର ବୈଠକରେ ଏନେଇ ଘୋଷଣା କରାଯାଇଛି।
ଏହି ବୈଠକରେ କହ୍ନେଇଲାଲ ସ୍ମୃତି ସଂସଦର ସଭାପତି ସୁବାସ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ। ଏଠାରେ ଭୋଗରାଇର ନବ ନିର୍ବାଚିତ ବିଧାୟକ ଗୌତମବୁଦ୍ଧ ଦାସଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ସେ ସଂସଦର ଆଭିମୁଖ୍ୟ ଓ ଆଗାମୀ ଯୋଜନା ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଚଳିତବର୍ଷ କହ୍ନେଇଲାଲ ଦାସଙ୍କ ଜନ୍ମମାଟି କମର୍ଦ୍ଦାରେ ସ୍ମୃତି ସଭା ଅବସରରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବ।
ବୈଠକରେ କହ୍ନେଇଲାଲ ସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି ତଥା ପୁରସ୍କାର କମିଟି ମୁଖ୍ୟ କୃଷ୍ଣ କୁମାର ମହାନ୍ତି ଚଳିତ ବର୍ଷ ପାଇଁ ଯୋଗ୍ୟ ପ୍ରତିଭାଙ୍କ ନାମ କହିଥିଲେ। ଏହାପରେ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ନାମ ସର୍ବସମ୍ମତିକ୍ରମେ ଏ ବର୍ଷର ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା।

ଜୁଲାଇ ୨୭ ତାରିଖ ଦିବା ୧୧ଘଟିକା ସମୟରେ କମର୍ଦ୍ଦା ଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ମୃତି ସମାରୋହରେ ଚିତ୍ତରଞ୍ଜନଙ୍କୁ ପୁରସ୍କାର ସ୍ଵରୂପ ଅର୍ଥରାଶି, ମାନପତ୍ର, ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ଏହି ସ୍ମୃତି ସମାରୋହରେ ଅତିଥି ଭାବରେ ଯୋଗ ଦେବାକୁ ବିଶିଷ୍ଟ ଲେଖକ ଦାଶ ବେନହୂର ଏବଂ ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି ସମ୍ମତି ପ୍ରଦାନ କରିଛନ୍ତି।
ପ୍ରତିବର୍ଷ ୫୦ ବର୍ଷ ବୟସ ସୀମା ଭିତରେ ଓଡ଼ିଆ କଥା ସାହିତ୍ୟର ଜଣେ ଯୋଗ୍ୟତମ ପ୍ରତିଭାଙ୍କୁ ଚୟନ କରାଯାଇ କହ୍ନେଇ କଥା ପୁରସ୍କାର ପ୍ରଦାନ କରାଯାଇଥାଏ। ଗଳ୍ପ, ଉପନ୍ୟାସ ଓ ଫିଚର୍ ରଚନା କ୍ଷେତ୍ରରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ତିଆରି କରିଥିବା ଚିତ୍ତରଞ୍ଜନ ଚିରଞ୍ଜିତ ସଂପ୍ରତି ‘ସମ୍ବାଦ’ ଅନୁଷ୍ଠାନରେ କାର୍ଯ୍ୟରତ ଅଛନ୍ତି।
ସୋମବାର କହ୍ନେଇଲାଲ ସ୍ମୃତି ସଂସଦର ବୈଠକରେ କବି ଶ୍ରୀଦେବ, ଗାଳ୍ପିକ ନିବାରଣ ଜେନା, ସଂସଦର କୋଷାଧ୍ୟକ୍ଷ ବ୍ୟୋମନାଥ ରଥ, ଯୁଗ୍ମ ସମ୍ପାଦକ ଶୁଭେନ୍ଦୁ ଦାସ, କବି ଓ ପ୍ରକାଶକ ଅଭୟ ଦାସ, କବି ଅମିୟ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
Tags: #EminentWriterKanheiLalDas #KanheiKathaPuraskar #OdiaLiterature #Baleswar