ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶ ରାଜ୍ୟର ନୋଏଡା ସେକ୍ଟର ୧୨୧ସ୍ଥିତ ଗଢ଼ିଚୌଖଣ୍ଡି ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପାଳନ ହୋଇଛି ଶ୍ରୀଗୁଣ୍ଡିଚା ଯାତ୍ରା। ସୋମବାର ଅପରାହ୍ଣ ୩ଟା ୩୦ରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟ। ରଥ ଦଉଡ଼ି ଟାଣିବାକୁ ୧୦ ହଜାରରୁ ଊର୍ଦ୍ଧ୍ଵ ଭକ୍ତ ଏକାଠି ହୋଇଥିଲେ। କେବଳ ଓଡ଼ିଆ ନୁହେଁ ଅଣ ଓଡ଼ିଆ ଭକ୍ତ ମଧ୍ୟ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ ହୋଇଥିଲେ।

ସୋମବାର ଭୋର ୫ଟା ବେଳେ ମଙ୍ଗଳ ଆଳତୀ କରାଯାଇଥିଲା। ଦିନ ୧୧ଟାରେ ରଥ ସ୍ଥାପନ ହୋଇଥିଲା। ବିଧିବଦ୍ଧ ପୂଜାର୍ଚ୍ଚନା ପରେ ଦିନ ୧୨ଟା ୩୦ରେ ଠାକୁରମାନଙ୍କୁ ଛପନ ଭୋଗ ଅର୍ପଣ କରାଯିବା ପରେ ଉପସ୍ଥିତ ଭକ୍ତମାନଙ୍କୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା।

ଦିନ ୨ଟା ୩୦ରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡିରେ ରଥାରୁଢ଼ କରାଯାଇଥିଲା। ବିଶିଷ୍ଟ ଅତିଥି ଦୀପକ ସିଂହଲ ଛେରା ପହଁରା ନୀତି ସମ୍ପନ୍ନ କରିବା ପରେ ଅପରାହ୍ଣ ୩ଟା ୩୦ରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟ। ଭଜନ, କୀର୍ତ୍ତନ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ଉଛୁଳିଉଠିଥିଲା ପୂରା ପରିବେଶ।

ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରୁ ରଥକୁ ଟାଣିଟାଣି ୩ କିଲୋମିଟର ଦୂର ବାଲକନାଥ ମନ୍ଦିରରେ ମାଉସୀ ମା’ଙ୍କ ପୀଠକୁ ନିଆଯାଇଥିଲା। ମାଉସୀ ମା’ ମନ୍ଦିରଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସାହି ରୋଷଣୀ କରାଯାଇ ରଥ ଉପରୁ ନିଆଯାଇ ସେଠାରେ ସ୍ୱତନ୍ତ୍ର ସିଂହାସନରେ ଆସୀନ କରାଯାଇଥିଲା। ଆସନ୍ତା ୧୫ ତାରିଖରେ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଏଠାରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ ରହିବେ।

ମନ୍ଦିର ପରିଚାଳନା କମିଟିର ସଭାପତି ବିଶ୍ଵନାଥ ତ୍ରିପାଠୀ, ଉପସଭାପତି ପ୍ରମୋଦ ବଳ ଓ ନିଗମାନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ ଡକ୍ଟର ମନୋରଞ୍ଜନ ମହାନ୍ତି ଓ ଯୁଗ୍ମ ସମ୍ପାଦକ ଧନେଶ୍ୱର ନାୟକ, କାର୍ଯ୍ୟକାରୀ କମିଟିର ସଦସ୍ୟ ସୁବଳ ବେହେରା, ଦିଲ୍ଲୀପ ସ୍ୱାଇଁ, ଦେବୁ ମିଶ୍ର ପ୍ରମୁଖ ଶ୍ରୀଗୁଣ୍ଡିଚା ଯାତ୍ରା କରିଚାଳନା କରିଥିଲେ। କମିଟି ସଦସ୍ୟମାନେ ଏଥିରେ ସହଯୋଗ କରିଥିଲେ।

ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ମହାରାଜ, ଉତ୍ତରପ୍ରଦେଶର ପ୍ରଭାରୀ କୁମାର ବ୍ରିଜେଶ, ପୋଲିସ କମିଶନର ଲକ୍ଷ୍ମୀ ସିଂହ, ଜିଲ୍ଲା ଜଜ୍ ମନୀଷ କୁମାର ବର୍ମା,  ଦାଦ୍ରୀ ବିଧାୟକ ତେଜପାଲ ନାଗର, ରାଜ୍ୟସଭା ସାଂସଦ ସୁରେନ୍ଦ୍ର ନାଗର, ଉତ୍ତରପ୍ରଦେଶ କୃଷି ଅନୁସନ୍ଧାନ ପରିଷଦର ଅଧ୍ୟକ୍ଷ କ୍ୟାପ୍ଟେନ ବିକାଶ ଗୁପ୍ତା, ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ନବାବ ସିଂହ ନାଗର ପ୍ରମୁଖ ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ ହୋଇଥିଲେ।

Tags: #RathYatra #RathJatra #ShreeGundicha #Noida #UttarPradesh #ShreeJagannath

LEAVE A REPLY

Please enter your comment!
Please enter your name here