ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭାରେ ବଜେଟ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବ ଭାରତର ରାଜ୍ୟଗୁଡ଼ିକ ପାଇଁ ‘ପୂର୍ବୋଦୟ’ ଯୋଜନା ଘୋଷଣା କରିଛନ୍ତି। ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ଏହି ଯୋଜନା ଲାଗୁ ହେଲେ ପୂର୍ବ ଭାରତ ଆହୁରି ବିକଶିତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଏହି ରାଜ୍ୟଗୁଡ଼ିକରେ ବିଭିନ୍ନ ଭିତ୍ତିଭୂମି ବିକାଶ କରାଯିବା ସହିତ କିପରି କୁଶଳୀ ମାନବ ସମ୍ବଳ ତିଆରି ହୋଇପାରିବେ ତା’ ଉପରେ ବିଶେଷ ଧ୍ୟାନ ଦିଆଯିବ।
ଏହି ଯୋଜନା ଅଧୀନରେ ବିହାରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଅମୃତସର-କୋଲକତା ଔଦ୍ୟୋଗିକ କରିଡର ସହିତ ଗୟାରେ ଉଦ୍ୟୋଗ ବିକାଶ କେନ୍ଦ୍ର ନିର୍ମାଣ କରାଯିବ। ଏହାସହ ସାଂସ୍କୃତିକ କେନ୍ଦ୍ରଗୁଡ଼ିକୁ ଆର୍ଥିକ କେନ୍ଦ୍ର ଭାବେ ବିକଶିତ କରାଯିବ।
ଏଥିରେ ୨୬ ହଜାର କୋଟି ଟଙ୍କାର ତିନୋଟି ଏକ୍ସପ୍ରେସୱେ, ୨୧ ହଜାର ୪୦୦ କୋଟି ଟଙ୍କାର ୨୪୦୦ ମେଗାୱାଟର ଗୋଟିଏ ପାୱାର ପ୍ଲାଣ୍ଟ, ମେଡିକାଲ କଲେଜ ଏବଂ ଅନେକ ଏୟାରପୋର୍ଟ ସାମିଲ ରହିଛି। ଏକ୍ସପ୍ରେସୱେ ମଧ୍ୟରେ ପାଟନା-ପୁର୍ଣ୍ଣିଆ, ବକ୍ସର-ଭାଗଲପୁର, ବୈଶାଳୀ-ବୌଦ୍ଧଗୟା ରହିଛି।
ସେହିପରି ଆନ୍ଧ୍ରପ୍ରଦେଶ ପାଇଁ ବଜେଟରେ ବିଶେଷ ବ୍ୟବସ୍ଥା କରାଯାଇଛି। ଏହି ରାଜ୍ୟରେ ୨୦୨୪-୨୫ ବର୍ଷରେ ୧୫ ହଜାର କୋଟି ଟଙ୍କା ବ୍ୟୟ କରାଯାଇ ବିଭିନ୍ନ କ୍ଷେତ୍ରର ବିକାଶ କରିବାକୁ ଲକ୍ଷ୍ୟ ରହିଛି। ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ପୋଲାଭରମ ଜଳସେଚନ ଯୋଜନାକୁ ସମ୍ପୂର୍ଣ୍ଣ କରାଯିବ।
ପୂର୍ବ ଭାରତ ହେଉଛି ଆଦିବାସୀ ବହୁଳ ରାଜ୍ୟ। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଆରମ୍ଭ କରିବାକୁ ଘୋଷଣା ହୋଇଛି। ଏଥିପାଇଁ ବଜେଟରେ ବିଶେଷ ଅର୍ଥ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ୬୩ ହଜାର ଆଦିବାସୀ ଗାଁର ୫ କୋଟି ଜନଜାତି ଲୋକ ଉପକୃତ ହେବେ।
ସେହିପରି ପୂର୍ବ ଭାରତର ଲୋକଙ୍କ ସୁବିଧା ପାଇଁ ୧୦୦ରୁ ଅଧିକ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଶାଖା ଖୋଲିବାକୁ ଲକ୍ଷ୍ୟ ରହିଛି।
Tags: #UnionBudget2024-25 #PurvodayaScheme #MinistryofFinance #India