ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତାର ଆରଜି କର ମେଡିକାଲ କଲେଜରେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ଜଟିଳ ହେବାରେ ଲାଗିଛି। ଘଟଣାକୁ ନେଇ ଭାରତୀୟ ମେଡିକାଲ ସଂଘ (ଆଇଏମଏ) ପକ୍ଷରୁ ଶନିବାର ଦେଶବ୍ୟାପୀ ୨୪ ଘଣ୍ଟିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଭାରତର ସବୁ ରାଜ୍ୟରେ ଡାକ୍ତରମାନେ ଓପିଡି ସେବା ବନ୍ଦ କରି ନିଜର ପ୍ରତିବାଦ ଜଣାଇଛନ୍ତି। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ଆନ୍ଦୋଳନରତ ଡାକ୍ତରମାନେ ମାମଲାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏହାସହ ଡାକ୍ତରମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସେମାନେ ଦାବି ଉଠାଇଛନ୍ତି।

ସେହିପରି ଏହି ମାମଲାକୁ ନେଇ ଶନିବାର ଓଡ଼ିଶାର ବିଭିନ୍ନ ଡାକ୍ତରଖାନାରେ ଜୁନିୟର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଭୁବନେଶ୍ଵର ଏମ୍ସ, କଟକର ଏସସିବି ମେଡିକାଲ କଲେଜ, ବୁର୍ଲାର ଭିମସାର ଓ ବାରିପଦାର ରଘୁନାଥ ମୁର୍ମୁ ମେଡିକାଲ କଲେଜ ଭଳି ଏକାଧିକ ସ୍ଥାନରେ ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଓ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ରୋଗୀ ସେବା ମଧ୍ୟ ପ୍ରଭାବିତ ହୋଇଛି।

ଅନ୍ୟପଟେ ଆନ୍ଦୋଳନ ସମୟରେ ଜରୁରୀକାଳୀନ ସେବା ଓ ଅତ୍ୟନ୍ତ ଜଟିଳ ଚିକିତ୍ସା ଜାରି ରହିବ ବୋଲି କୁହାଯାଇଛି। ‌କୌଣସି ପ୍ରକାର ଜରୁରୀ ମେଡିକାଲ ଆବଶ୍ୟକତା ପାଇଁ କାଜୁଆଲଟି ସେବା ଉପଲବ୍ଧ ରହିବ ବୋଲି ଭାରତୀୟ ମେଡିକାଲ ସଂଘ ପକ୍ଷରୁ କୁହାଯାଇଛି।

କ’ଣ ଥିଲା ଘଟଣାକ୍ରମ

ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ସେ ସେଠାରେ ଚେଷ୍ଟ ମେଡିସିନ ବିଭାଗର ପିଜି ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ। ମେଡିକାଲ କଲେଜର ସେମିନାର ହଲରେ ତାଙ୍କର ମୃତ ଦେହ ମିଳିଥିଲା।

ତେବେ ଏହି ଘଟଣାକୁ ପୋଲିସ ପ୍ରଥମେ ଆତ୍ମହତ୍ୟା ମାମଲା ଭାବେ ଗ୍ରହଣ କରିବାର ଅଭିଯୋଗ ହୋଇଥିଲା। ପରେ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳା ଜଣଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।

ଏହି ମାମଲାରେ ଏବେ ସିବିଆଇ ନିଜ ତଦନ୍ତ ଜାରି ରଖିଛି। ଆରଜି କର ମେଡିକାଲ କଲେଜର କିଛି ଡାକ୍ତର ଓ କର୍ମଚାରୀଙ୍କୁ ସିବିଆଇ ପକ୍ଷରୁ ପଚରାଉଚରା କରାଯାଇଛି।   

ତେବେ ସିବିଆଇ ତଦନ୍ତ ମଧ୍ୟରେ ଗତ ବୁଧବାର ରାତିରେ ହଜାର ହଜାର ସଂଖ୍ୟାରେ ଲୋକେ ଆସି ଉକ୍ତ ହସ୍ପିଟାଲରେ ଭଙ୍ଗାରୁଜା କରିଥିଲେ। ସେମାନେ ହସ୍ପିଟାଲର ସେମିନାର ରୁମ ସହ ସିସିଟିଭି ଓ ଅନ୍ୟ ସରଞ୍ଜାମ ଭାଙ୍ଗି ଦେଇଥିଲେ। ଏହି ସମୟରେ ସେମାନେ ଅନେକ ପ୍ରମାଣ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପଶ୍ଚିମବଙ୍ଗ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଠୋର ଭର୍ସନା କରିଛନ୍ତି।  

Tags: #KolkataRapeandMurderCase #TraineeDoctor #MedicalStudent #Kolkata #WestBengal

LEAVE A REPLY

Please enter your comment!
Please enter your name here