ଓଡ଼ିଶାଲାଇଭ୍ ବ୍ୟୁରୋ

ଗିରଫ ହେଲେ ବାଲେଶ୍ଵର ଜିଲ୍ଲା ଡିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପ୍ରଦୀପ କୁମାର ଦାସଙ୍କୁ ଶନିବାର ଦିନ ଗିରଫ କରିଛି ଭିଜିଲାନ୍ସ ବିଭାଗ।

ପ୍ରଦୀପ କୁମାର ଦାସଙ୍କ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାରେ ଥିବା ପୈତୃକ ଘର, ଅଙ୍ଗାରଗାଡ଼ିଆରେ ଥିବା ତିନି ମହଲା ବିଶିଷ୍ଟ କୋଠା, ସେରଗଡ଼ରେ ଥିବା ମାର୍କେଟ କମ୍ପ୍ଲେକ୍ସ, ନୀଳଗିରି ଓ ଖନ୍ତାପଡ଼ାରେ ଥିବା ସମ୍ପର୍କୀୟଙ୍କ ଘର ଓ କାର୍ଯ୍ୟାଳୟ ସମେତ ମୋଟ ୬ଟି ଠିକଣା ଉପରେ ଶୁକ୍ରବାର ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍।

ଚଢ଼ଉ ବେଳେ ପ୍ରଦୀପ ଦାସଙ୍କର କୋଟିଏରୁ ଊର୍ଦ୍ଧ୍ଵ ଟଙ୍କା ମୂଲ୍ୟର ମାର୍କେଟ କମ୍ପ୍ଲେକ୍ସ ଥିବା ଜଣାପଡ଼ିଥିଲା। ଏହା ସହ ତାଙ୍କର ବାଲେଶ୍ଵର ସହରରେ ୬ଟି ମୂଲ୍ୟବାନ ପ୍ଲଟ, ବ୍ୟାଙ୍କ, ବୀମା ଓ ପୋଷ୍ଟାଲ ଜମା ସହ ଗାଡ଼ି ଜବତ କରାଯାଇଥିଲା।

ଠୁଳ କରିଥିବା ସମ୍ପତ୍ତି ସମ୍ପର୍କରେ ପ୍ରଦୀପ କୁମାର ଦାସ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ତାଙ୍କୁ ଗିରଫ କରାଯାଇଥିଲା।

ଦୀର୍ଘ ଦିନ ହେଲା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ପ୍ରଦୀପ ଦାସଙ୍କ ବିରୋଧରେ ଅଭିଯୋଗ ହୋଇଆସୁଥିଲା। ଏହା ପରେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଥିଲା। ଚଢ଼ଉରେ ୨ ଜଣ ଏଏସପି, ୪ ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟର ସାମିଲ ଥିଲେ।

Tags: #VigilanceRaid #Balasore #JuniorClerkPradeepKumarDas #Odisha

LEAVE A REPLY

Please enter your comment!
Please enter your name here