ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ଆମେରିକାରେ ଧୁମଧାମର ସହ ପାଳିତ ହୋଇଯାଇଛି ଦୁର୍ଗାପୂଜା। ଆମେରିକାର ଦକ୍ଷିଣପୂର୍ବରେ ଥିବା ଫ୍ଲୋରିଡା ରାଜ୍ୟର ଟାମ୍ପା ସହରରେ ମା’ଙ୍କ ଆରାଧନା କରିଛନ୍ତି ପ୍ରବାସୀ ଓଡ଼ିଆ।

ଅକ୍ଟୋବର ୧୨ ଓ ୧୩ ତାରିଖରେ ସ୍ଥାନୀୟ ଆୟପ୍ପା ମନ୍ଦିରରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଅକ୍ଟୋବର ୯ ତାରିଖରେ ଫ୍ଲୋରିଡାରେ ହରିକେନ ମିଲଟନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ଅଞ୍ଚଳରେ ଯୋଗାଯୋଗ ବ୍ୟାହତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଏଥର ଏଠାରେ ଦୁର୍ଗାପୂଜାକୁ ୫ ଦିନ ପରିବର୍ତ୍ତେ କେବଳ ନବମୀ ଓ ଦଶମୀ ଦିନ ଆୟୋଜନ କରାଯାଇଛି।

ଏହି ଉତ୍ସବରେ ଓଡ଼ିଆଙ୍କ ସହ ଅନ୍ୟ ପ୍ରବାସୀ ଭାରତୀୟମାନେ ମଧ୍ୟ ସାମିଲ ହୋଇଥିଲେ। ସନ୍ଧ୍ୟାରେ ମା’ଙ୍କ ଆଳତୀ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ଭଜନ ସନ୍ଧ୍ୟା, ସାମୂହିକ ଗର୍ବା ଏବଂ କୁନିକୁନି ପିଲାଙ୍କ ଦାଣ୍ଡିଆ ନୃତ୍ୟ ପୂଜା ଅବସରରେ ବିଶେଷ ଆକର୍ଷଣ ପାଲଟିଥିଲା। ମହାନବମୀ ସନ୍ଧ୍ୟାରେ କନ୍ୟା ପୂଜନ ଏବଂ ଦଶହରା ଦିନ ମହିଳାମାନଙ୍କ ‘ସିନ୍ଦୂର ଖେଳ’ ଅନୁଷ୍ଠିତ ହୋଇଥିଲା।

ଫ୍ଲୋରିଡାରେ ୫ ବର୍ଷ ଧରି ଦୁର୍ଗାପୂଜା ପାଳନ କରାଯାଉଛି। ଆଗାମୀ ଦିନରେ ଏହି ଆୟୋଜନକୁ ଅଧିକ ଆଡ଼ମ୍ବର ସହକାରେ ପାଳନ କରାଯିବ ବୋଲି ‘ଫ୍ଲୋରିଆ’ର ସଦସ୍ୟମାନେ କହିଛନ୍ତି।

Tags: #Durgapuja #Culture #Celebration #Foriya #Florida #Tampa

LEAVE A REPLY

Please enter your comment!
Please enter your name here