ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୪ ତାରିଖ ବେଳକୁ ଏହା ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗକୁ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗକେନ୍ଦ୍ର। ଏହା ପ୍ରଭାବରେ ଅକ୍ଟୋବର ୨୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।
ଅକ୍ଟୋବର ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ପୁରୀ ଓ ପଶ୍ଚିମବଙ୍ଗର ସାଗରଦୀପ ମଝିରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଦାନା ଅତି ଭୀଷଣ ରୂପ ନେଇ ସ୍ଥଳ ଭାଗ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବହିବା ନେଇ ଆକଳନ କରାଯାଇଛି।
ଏହା ପ୍ରଭାବରେ ଅକ୍ଟୋବର ୨୩ରୁ ୨୪ ତାରିଖ ମଧ୍ୟରେ ବାଲେଶ୍ଵର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ଅକ୍ଟୋବର ୨୪ରୁ ୨୫ ତାରିଖ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ କଟକ ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାକୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବାବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ଓ ଗଜପତି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି।
ଅକ୍ଟୋବର ୨୫ରୁ ୨୬ ତାରିଖ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାକୁ ଭୀଷଣ ବର୍ଷା ପାଇଁ ରେଡ୍ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବାବେଳେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଖୋର୍ଦ୍ଧା, ପୁରୀ, ନୟଗଡ଼, ଗଞ୍ଜାମ ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
Tags: #LowPressure #Cyclone #Rainfall #IMD #MCBBSR #Odisha #OdishaGovt #CycloneUpdates