ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ବଢ଼ୁଛି ଚିନ୍ତା। ସମ୍ଭାବ୍ୟ ବାତ୍ୟାକୁ ନେଇ ସୋମବାର ଦିନ ଭୁବନେଶ୍ଵରସ୍ଥିତ ଲୋକସେବା ଭବନଠାରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବାତ୍ୟାକୁ ନେଇ କୌଣସି ପ୍ରକାର ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ବାତ୍ୟା ସମୀକ୍ଷା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସ୍ଵତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି। ବାତ୍ୟାର ସଠିକ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ଯୋଗୁଁ ପ୍ରଭାବିତ ହେବାର ସମ୍ଭାବନା ରହିଥିବା ଜିଲ୍ଲାଗୁଡ଼ିକରେ ପ୍ରସ୍ତୁତି ଆରମ୍ଭ ହୋଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ରଖାଯିବ। ସେମାନଙ୍କ ଲାଗି ସେଠାରେ ରନ୍ଧା ଖାଦ୍ୟର ବ୍ୟବସ୍ଥା, ଔଷଧ ମହଜୁଦ ରଖାଯିବା ସହ ସମସ୍ତ ସୁବିଧା କରାଯିବ ବୋଲି ସେ କହିଛନ୍ତି।

ପାନୀୟ ଜଳ, ଔଷଧ, ବିଦ୍ୟୁତ ଏବଂ ଟେଲିଫୋନ ସେବା ଯୋଗାଇ ଦେବା ଉପରେ ବୈଠକରେ ଗୁରୁତ୍ଵ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ରାଜ୍ୟ ସରକାର ଜିରୋ କାଜୁଆଲଟି ଲକ୍ଷ୍ୟ ରଖିଛନ୍ତି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ପ୍ରସ୍ତୁତ ରହିଛନ୍ତି। ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସହ ଜରୁରୀ ଜିନିଷପତ୍ର ମହଜୁଦ ରଖାଯାଇଛି। ସ୍ୱାସ୍ଥ୍ୟ ସେବା, ରିଲଫ ସମଗ୍ରୀ ଯୋଗାଣ ଓ କଳାବଜାରୀ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦେବାକୁ ବୈଠକରେ ଆଲୋଚନା ହୋଇଛି।

ବାତ୍ୟା ଯୋଗୁଁ ଆତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବୈଠକରେ ରାଜସ୍ଵ ଓ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଏସଆରସି ଦେଓ ରଞ୍ଜନ ସିଂ, ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ଏବଂ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Tags: #Cyclone #Rainfall #IMD #MCBBSR #Odisha #OdishaGovt #CycloneUpdates #CycloneReviewMeeting #CMMohanCharanMajhi

LEAVE A REPLY

Please enter your comment!
Please enter your name here