ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର ମାସ ଆସିଲେ ଓଡ଼ିଶାକୁ ଘାରେ ବାତ୍ୟା ଭୟ। କାରଣ ଅକ୍ଟୋବର ମାସରେ ଅନେକ ବାତ୍ୟାର ତାଣ୍ଡବ ଦେଖିଛନ୍ତି ଓଡ଼ିଶାବାସୀ। ଚଳିତ ଅକ୍ଟୋବରରେ ବାତ୍ୟା ‘ଦାନା’ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଥିଲା। ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରେ ଆକ୍ଟୋବର ମାସରେ କାହିଁକି ଆସେ ବାତ୍ୟା?
ତେବେ ଅକ୍ଟୋବର ମାସରେ କାହିଁକି ବାତ୍ୟା ଭୟ ସୃଷ୍ଟି ହୁଏ, ସେ ସମ୍ପର୍କରେ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର ସାହୁ ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି, ବାତ୍ୟା ସୃଷ୍ଟି ହେବା ପାଇଁ ତିନୋଟି ଫ୍ୟାକ୍ଟର ଦରକାର। ଗୋଟିଏ ହେଲା ସମୁଦ୍ର ପତନର ତାପମାତ୍ରା ୨୬.୫ ଡିଗ୍ରୀ ସେଲସିୟସରୁ ଅଧିକ ରହିବା ଦରକାର, ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିବା ସ୍ଥାନରେ ବାୟୁମଣ୍ଡଳର ଉପରି ଭାଗର ୧୨ କିଲୋମିଟର ଉଚ୍ଚତା ମଧ୍ୟରେ ଶକ୍ତ ବାହ୍ୟ ବଳୟ ନଥିବା ଦରକାର ଓ ଲଘୁଚାପ କ୍ଷେତ୍ରଠାରୁ ୧୨ କିଲୋମିଟର ଚଚ୍ଚତା ଏବଂ ସମୁଦ୍ର ପତନର ୧.୫ କିଲୋମିଟର ଉଚ୍ଚତା ମଧ୍ୟରେ ପବନର ଗତି କମ୍ ରହିବା ଦରକାର। ଏହି ତିନୋଟି ଫ୍ୟାକ୍ଟର ଥିଲେ, ଯଦି କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ ବା ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ, ତେବେ ଏହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଚଳିତ ଅକ୍ଟୋବର ମାସରେ ଆସିଥିବା ବାତ୍ୟା ‘ଦାନା’ କ୍ଷେତ୍ରରେ ତାହା ହିଁ ଦେଖିବାକୁ ମିଳିଥିଲା ବୋଲି ସେ କହିଛନ୍ତି।
ଡକ୍ଟର ଶରତ ଚନ୍ଦ୍ର ସାହୁ ଆହୁରି କହିଛନ୍ତି, ମାର୍ଚ୍ଚ ମାସରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଯୋଗୁଁ ବାୟୁମଣ୍ଡରେ ଗରମ ଅନୁଭୂତ ହୋଇଥାଏ। ଜୁନରୁ ସେପ୍ଟେମ୍ବର ମାସ ଭିତରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ଅଧିକ ଥିବାରୁ ଅଧିକ ଗୁରୁଗୁଳି ଅନୁଭୂତ ହୋଇଥାଏ। ଅକ୍ଟୋବର ମାସରେ ୨୬.୬ ଡିଗ୍ରୀ ତାପମାତ୍ରା ସପୋର୍ଟ କରୁଥିବାରୁ ଏହି ମାସରେ ଅଧିକ ବାତ୍ୟା ସମ୍ଭାବନା ଦେଖାଦିଏ।
ଅକ୍ଟୋବର ମାସରେ ଓଡ଼ିଶା ଉପକୂଳରେ ଅଧିକ ବାତ୍ୟା ମାଡ଼ ହୋଇଛି। ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ଫାଇଲିନ, ହୁଡହୁଡ, ତିତଲି ଓ ଦାନା ବାତ୍ୟା ଅକ୍ଟୋବରରେ ଆସିଛି। ଅକ୍ଟୋବର ମାସ ଆସିଲେ ଉପକୂଳ ଲୋକଙ୍କ ମଧ୍ୟରେ ବାତ୍ୟା ଭୟ ଅଧିକ ବଢ଼ିଯାଏ।
Tags: #Cyclone #CycloneinOctober #CycloneDana #Odisha #CycloneUpdates