ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ରହିଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହାକୁ ନେଇ ଶୁକ୍ରବାର ଦିନ ଏକ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ରତ୍ନଭଣ୍ଡାର ଭିତରେ କୌଣସି ଗୁପ୍ତ ସୁଡ଼ଙ୍ଗ କିମ୍ବା କୋଠରୀ ନଥିବା ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ (ଏଏସଆଇ) ସର୍ଭେରୁ ଜଣାପଡ଼ିଛି। ତେବେ ଜିପିଆଇ ସର୍ଭେର ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା ରହିଥିବା ସେ କହିଛନ୍ତି।
ରତ୍ନଭଣ୍ଡାରରୁ ସମସ୍ତ ରତ୍ନ ସ୍ଥାନାନ୍ତର ହେବା ପରେ ଗତ ସେପ୍ଟେମ୍ବର ୧୮ ତାରିଖରେ ଏଏସଆଇ ପକ୍ଷରୁ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ କରାଯାଇଥିଲା। ରତ୍ନଭଣ୍ଡାରର ବୈଷୟିକ ଯାଞ୍ଚରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ୨୬ ଜଣିଆ ମିଳିତ ଟିମ୍ ସାମିଲ ଥିଲେ। ଏସଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ଵରେ ପ୍ରାଥମିକ ନିରୀକ୍ଷଣ ସହ ବୈଷୟିକ ସର୍ବେକ୍ଷଣ କାର୍ଯ୍ୟ କରାଯାଇଥିଲା। ଏଥିରେ ସିଏସଆଇଆର-ଏନଜିଆରଆଇ (ନ୍ୟାସନାଲ ଜିଓ ଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ) ର ବିଶେଷଜ୍ଞ ଟିମ୍ ମଧ୍ୟ ସାମିଲ ଥିଲେ।
ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଅନୁସାରେ ଏହି ନିରୀକ୍ଷଣ କରାଯାଇଥିଲା। ସରକାରଙ୍କ ଅନୁମତି କ୍ରମେ ଏଏସଆଇ ରତ୍ନଭଣ୍ଡାରର ବୈଜ୍ଞାନିକ ସର୍ବେକ୍ଷଣ କରିବା ପାଇଁ ବିଭିନ୍ନ ଯନ୍ତ୍ରପାତି ବ୍ୟବହାର କରିଥିଲା। ଲେଜର ସ୍କାନିଂ ପରେ ସେପ୍ଟେମ୍ବର ୨୧ ଓ ୨୨ରେ ରତ୍ନଭଣ୍ଡାରର ବୈଷୟିକ ସର୍ଭେ ହୋଇଥିଲା। ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ନଥିବା ପ୍ରାରମ୍ଭିକ ଆଲୋଚନାରୁ ଜଣାପଡ଼ିଥିବା ମନ୍ତ୍ରୀ କହଛନ୍ତି।
ଅନ୍ୟ ପକ୍ଷରେ ଖୁବଶୀଘ୍ର ରତ୍ନଭଣ୍ଡାରର ଗଣତିମଣତି ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ବର୍ତ୍ତମାନ କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଲାଗି ରହୁଛି। କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରାଯିବ। ଏହା ପରେ ଅସ୍ଥାୟୀ ଭଣ୍ଡାରରେ ଥିବା ରତ୍ନ ଅଳଙ୍କାରଗୁଡ଼ିକୁ ରତ୍ନଭଣ୍ଡାର ଭିତରକୁ ସ୍ଥାନାନ୍ତର କରାଯିବ ଏବଂ ଏହା ପରେ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ। ପୁରୁଣା ତାଲିକା ସହ ମ୍ୟାଚ କରାଯାଇ ୭ ଦିନ ଭିତରେ ରିପୋର୍ଟ ପ୍ରକାଶ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
୪୬ ବର୍ଷ ପରେ ପ୍ରଥମ ଥର ପାଇଁ ଗତ ବର୍ଷ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ଏହା ପରେ ଜୁଲାଇ ୧୮ ତାରିଖକୁ ପୁଣି ରତ୍ନଭଣ୍ଡାର ଖୋଲାଯାଇଥିଲା। ଗତ ଅଗଷ୍ଟ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ରତ୍ନଭଣ୍ଡାର ଖୋଲାଯାଇଥିଲା। ଜଉମୁଦ ଦେଇ ବନ୍ଦ ହୋଇଥିବା ରତ୍ନଭଣ୍ଡାରର ତାଲା ଖୋଲାଯାଇ ଖାଲି ଆଲମିରା ଓ ସିନ୍ଦୁକଗୁଡ଼ିକୁ ନୀଳାଦ୍ରି ମ୍ୟୁଜିୟମ ନିକଟରେ ଥିବା କୋଠରୀକୁ ସ୍ଥାନାନ୍ତର କରାଯାଇଥିଲା।
ଏହା ପୂର୍ବରୁ ୧୯୭୮ ମସିହାରେ ଶେଷ ଥର ପାଇଁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇ ଗଣତିମଣତି କରାଯାଇଥିଲା।
Tags: #Ratnabhandar #Shreemandir #Puri #Odisha #ShreeJagannath