ଓଡ଼ିଶାଲାଇଭ୍ ବ୍ୟୁରୋ

୫୨ ବର୍ଷ ବୟସରେ ପାଦ ଥାପିଲେ ୧୯୯୪ ମସିହାର ମିସ ୱାର୍ଲ୍ଡ ତଥା ବଲିଉଡ ଅଭିନେତ୍ରୀ ନୀଳ ନୟନା ଐଶ୍ୱର୍ଯ୍ୟା ରାୟ। ଆଜି ବି ନିଜ ଅଭିନୟ ଏବଂ ସୌନ୍ଦର୍ଯ୍ୟରେ ଫ୍ୟାନ୍ସଙ୍କୁ ଦିବାନା କରନ୍ତି ଐଶ୍‌। ଏଇ ବିଶେଷ ଅବସରରେ ଜାଣିବା ଐଶ୍ୱର୍ଯ୍ୟାଙ୍କ ବିଷୟରେ କିଛି ଅଜଣା କଥା।

୧୯୭୩ ମସିହା ନଭେମ୍ବର ୧ ତାରିଖରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ ଐଶ୍ୱର୍ଯ୍ୟା। ପିଲାଟି ଦିନରୁ ସେ ଖୁବ ଭଲ ପାଠ ପଢୁଥିଲେ। ବାପାଙ୍କ ଟ୍ରାନ୍ସଫର ପରେ ନିଜ ପରିବାର ସହ ଐଶ୍ୱର୍ଯ୍ୟା ମୁମ୍ବାଇରେ ସେଟେଲ ହୋଇଥିଲେ। ହାଇସ୍କୁଲ ପରୀକ୍ଷାରେ ୯୦ ପ୍ରତିଶତ ନମ୍ବର ରଖି ପାସ୍ କରିଥିଲେ ସେ।

ବୟସ ବଢ଼ିବା ସହ ଐଶ୍ୱର୍ଯ୍ୟାଙ୍କ ରୁଚି ବଦଳି ଥିଲା। କ୍ଲାସିକାଲ ଡ୍ୟାନ୍ସ ଏବଂ ମ୍ୟୁଜିକରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ସେ। ଭାରତନାଟ୍ୟମ ଭଳି ଟ୍ରାଡିସନାଲ ଡ୍ୟାନ୍ସ ଫର୍ମରେ ତାଙ୍କର ଆଗ୍ରହ ଅଧିକ ବଢ଼ିବାକୁ ଲାଗିଲା। ପରେ ଆର୍କିଟେକ୍ଟ ଭାବେ ନିଜ କ୍ୟାରିୟର ଗଢ଼ିବାକୁ ଚିନ୍ତା କରିଥିବା ଐଶ୍ୱର୍ଯ୍ୟା ଶେଷରେ ମଡେଲିଂକୁ ବାଛିଥିଲେ। ଐଶ୍‌ଙ୍କ ପରଫରମାନ୍ସ ଏବଂ ସୁନ୍ଦର ସୁନ୍ଦର ଫଟୋ ଭାଇରାଲ ହେବା ପରେ ଗୌତମ ରାଜାଧ୍ୟକ୍ଷ ଏବଂ ଫାରୁଖ ଚୋଠିଆ ବିଜ୍ଞାପନରେ କାମ କରିବା ଲାଗି ଐଶ୍ୱର୍ଯ୍ୟାଙ୍କୁ ଅଫର ଦେଇଥିଲେ।

ଏହା ପରେ ଐଶ୍ୱର୍ଯ୍ୟାଙ୍କୁ ଟିଭି ବିଜ୍ଞାପନରେ ଦେଖିବାକୁ ମିଳିଥିଲା। ୧୯୯୧ ମସିହାରେ ଐଶ୍ୱର୍ଯ୍ୟା ରାୟ ଜିତିଥିଲେ ଇଣ୍ଟରନ୍ୟାସନାଲ ସୁପର ମଡେଲ କଣ୍ଟେଷ୍ଟ। ଏହା ପରେ ୧୯୯୩ ମସିହାରେ ବଲିଉଡ ଅଭିନେତା ଅମୀର ଖାନ ଏବଂ ମହିମା ଚୌଧୁରୀଙ୍କ ସହ ଥଣ୍ଡା ପାନୀୟ ‘ପେପସି’ର ଏକ ବିଜ୍ଞାପନ ଐଶ୍ୱର୍ଯ୍ୟାଙ୍କ ଲୋକ ପ୍ରିୟତା ବଢ଼ାଇଥିଲା।

୧୯୯୪ ମସିହାରେ ମିସ୍ ୱାର୍ଲ୍ଡ ଟାଇଟଲ ଜିତିବା ପରେ ଐଶ୍ୱର୍ଯ୍ୟା ନିକଟକୁ ଛୁଟିଥିଲା ସିନେମା ଅଫର। ୧୯୯୭ ମସିହାରେ ମଣି ରତ୍ନମଙ୍କ ତାମିଲ ସିନେମା ‘ଇରୁଭର’ରେ ନିଜର ଆକ୍ଟିଂ କ୍ୟାରିୟରର ଶୁଭାରମ୍ଭ କରିଥିଲେ ଐଶ୍। ସେହି ବର୍ଷ ହିନ୍ଦୀ ସିନେମା ‘ଔର ପ୍ୟାର ହୋ ଗୟା’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ ଐଶ୍ୱର୍ଯ୍ୟା ରାୟ।

୧୯୯୯ ମସିହାରେ ରିଲିଜ ହୋଇଥିବା ସଞ୍ଜୟ ଲୀଳା ବନଶାଲୀଙ୍କ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ ଏବଂ ‘ଦେବଦାସ’ ରେ ପାରୋ ଭୂମିକା ଐଶ୍ୱର୍ଯ୍ୟାଙ୍କୁ ଦେଇଥିଲା ନୂଆ ପରିଚୟ। ଏହା ପରେ ବଲିଉଡରେ ଚାଲିଲା ଐଶ୍ୱର୍ଯ୍ୟାଙ୍କ ରାଜ୍।

୨୦୦୭ ମସିହାରେ ଐଶ୍ୱର୍ଯ୍ୟା ରାୟଙ୍କ ନାଁ ସହ ଯୋଡ଼ି ହାଇଗଲା ବଚ୍ଚ ଟାଇଟଲ। ବଲିଉଡ  ଅଭିନେତା ଅଭିଷେକ ବଚ୍ଚନଙ୍କୁ ସେ ବିବାହ କରିଥିଲେ। ୨୦୧୧ରେ ସେ ଏକ କନ୍ୟା ସନ୍ତାନ (ଆରାଧ୍ୟା) ଙ୍କ ମା’ ହୋଇଥିଲେ। 

ଦୁଇ ଦୁଇ ଥର ଫିଲ୍ମଫେୟାର ପୁରସ୍କାର ବିଜେତା ହୋଇଛନ୍ତି ଐଶ୍ୱର୍ଯ୍ୟା। ନିଜର ଦକ୍ଷ ଅଭିନୟ ଏବଂ ସୁନ୍ଦର ଚେହେରା ପାଇଁ ସିନେ ପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି ସେ। ଭରତୀୟ ସିନେମା ଜଗତକୁ ବିଶେଷ ଅବଦାନ ପାଇଁ ୨୦୦୯ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ।

ଅନେକ ହିଟ ବଲିଉଡ ସିନେମାରେ ନିଜ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇଛନ୍ତି ଐଶ୍ୱର୍ଯ୍ୟା। ତାଙ୍କ ଅଭିନୀତ ଲୋକପ୍ରୟି ସିନେମା ମଧ୍ୟରେ ରହିଛି ‘ଇରୁବର’, ‘ଔର ପ୍ୟାର ହୋ ଗୟା’, ‘ହମ ଦିଲ ଦେ ଚୁକେ ସନମ’, ‘ତାଲ’, ‘ଜୋଶ’, ‘ହମାରା ଦିଲ ଆପକେ ପାସ ହେ’, ‘ମୋହବତେଁ’, ‘ଦେବଦାସ’, ‘ଦିଲ କା ରିସ୍ତା’, ‘ଖାକି’, ‘ରେନକୋଟ’, ‘ଉମରାଓଜାନ’, ‘ଧୁମ-୨’, ‘ଗୁରୁ’, ‘ଜୋଦ୍ଧା ଆକବର’, ‘ସରକାର ରାଜ’ ଆଦି।

୨୦୦୨ରେ ‘ଦେବଦାସ’ କାଂସ ଫିଲ୍ମ ଫେଷ୍ଟଭାରେ ପ୍ରଦର୍ଶିତ ହୋଇଥିଲା। ଟାଇମ୍ସ ମାଗାଜିନ ଏହି ଫିଲ୍ମକୁ ସେ ସମୟରେ ମିଲିନିୟମର ସର୍ବଶ୍ରେଷ୍ଠ ୧୦ଟି ଫିଲ୍ମ ମଧ୍ୟରୁ ଗୋଟିଏ ବୋଲି ଦର୍ଶାଇଥିଲା। ଭାରତରେ ଏହି ଫିଲ୍ମକୁ ୧୦ଟି ଫିଲ୍ମ ଫେୟାର ଆୱାର୍ଡ ମିଳିଛି। ୨୦୦୫ ମସିହାରେ ତାଙ୍କ ଅଭିନୀତ ସିନେମା ‘ବଣ୍ଟି ଔର ବବଲି’ର ଏକ ଗୀତ ‘କଜରା ରେ କଜରା ରେ…’ ସେ ସମୟରେ ଖୁବ ଲୋକପ୍ରିୟତା ସାଉଣ୍ଟି ଥିଲା।  

୨୦୦୭ ମସିହାରେ ରିଲିଜ ହୋଇଥିବା ହିନ୍ଦୀ ସିନେମା ‘ଗୁରୁ’ରେ ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ଅଭିନୟ କରିଥିଲେ ଐଶ୍ୱର୍ଯ୍ୟା ରାୟ। ସିନେମାଟିକୁ ଭଲ ବ୍ୟବସାୟିକ ସଫଳତା ମଧ୍ୟ ମିଳିଥିଲା।

Tags: #AishwaryaRaiBachchan #HappyBirthdayAish #BollywoodCelebrity #India #BirthdayCelebration

LEAVE A REPLY

Please enter your comment!
Please enter your name here