ମିନତି ମିଶ୍ର
ଭାରତୀୟ ନାଗରିକଙ୍କ ବ୍ୟକ୍ତିଗତ ସମ୍ପତ୍ତି ଉପରେ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସବୁ ବ୍ୟକ୍ତିଗତ ସମ୍ପତ୍ତିକୁ ସରକାର ସାର୍ବଜନୀନ ହିତ ପାଇଁ ନିଜ ଅଧୀନକୁ ନେଇ ପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟର ୯ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ୮-୧ ବହୁମତ ଆଧାରରେ ଏହି ନିଷ୍ପତ୍ତି ନେଇଛନ୍ତି।
ସମ୍ବିଧାନର ଧାରା ୩୯(ଖ) ଓ ୩୧(ଗ) ଅନୁଯାୟୀ ଘରୋଇ ସମ୍ପତ୍ତିକୁ ରାଜ୍ୟ ଅଧିଗ୍ରହଣ କରିବା ଉଚିତ ନୁହେଁ ବୋଲି ମୁମ୍ବାଇର ସମ୍ପତ୍ତି ମାଲିକ ସଂଘ ଆବେଦନ ଉପରେ ଏହି ରାୟ ଆସିଛି। ଏହି ମାମଲାରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି କିଛି ବ୍ୟକ୍ତିଗତ ସମ୍ପତ୍ତି କୌଣସି ସଂପ୍ରଦାୟର ଭୌତିକ ସମ୍ବଳ ହୋଇପାର। କିନ୍ତୁ ସବୁ ବ୍ୟକ୍ତିଗତ ସମ୍ପତ୍ତି ସଂପ୍ରଦାୟର ଭୌତିକ ସମ୍ବଳ ନୁହେଁ।
ତେବେ ସରକାର ସାଧାରଣ ଜନତାଙ୍କ ଭଲ ପାଇଁ ବ୍ୟକ୍ତିଗତ ସମ୍ପତ୍ତିକୁ ଅଧିଗ୍ରହଣ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହି ରାୟ ଦ୍ଵାରା ସୁପ୍ରିମକୋର୍ଟ ୧୯୭୮ ପରେ ଏହି ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି। ସମ୍ବଳର ସମାନ ଉପଲବ୍ଧତାକୁ ପ୍ରୋତ୍ସାହିତ କରିବାରେ ରାଜ୍ୟର ଭୂମିକାକୁ ସୁପ୍ରିମ୍କୋର୍ଟ ସ୍ୱୀକୃତି ଦେଇଥିବାବେଳେ ସମ୍ବଳର ଯୋଗ୍ୟତା ଏହାର ପ୍ରକୃତି, ଅଭାବ, ଗୋଷ୍ଠୀ ପ୍ରଭାବ ଓ ଜନବିଶ୍ୱାସ ନୀତି ଭଳି କାରଣ ଉପରେ ନିର୍ଭର କରେ ବୋଲି ସ୍ପଷ୍ଟ କରିଛନ୍ତି।
ପ୍ରଧାନ ବିଚାରପତି ଚନ୍ଦ୍ରଚୂଡଙ୍କ ସମେତ ଏହି ଖଣ୍ଡପୀଠରେ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା, ଜଷ୍ଟିସ ମନୋଜ ମିଶ୍ର, ଜଷ୍ଟିସ ସୁଧାଂଶୁ ଧୁଲିଆ, ଜଷ୍ଟିସ ଋଷିକେଶ ରାୟ, ଜଷ୍ଟିସ ବି.ଭି. ନାଗରତ୍ନା, ଜଷ୍ଟିସ ଜେବି ପାରଦୀବାଲା, ଜଷ୍ଟିସ ରଜେଶ ବିଣ୍ଡଲ ଏବଂ ଜଷ୍ଟିସ ଏ.ଜି ମସୀହ ସାମିଲ ଅଛନ୍ତି।
ଏହି ମାମଲାରେ ରାୟ ଦେଇ ଖଣ୍ଡପୀଠ ପୂର୍ବେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ କୃଷ୍ଣା ଆୟରଙ୍କ ପୁରୁଣା ନିଷ୍ପତ୍ତିକୁ ଖାରଜ କରି ଦେଇଛନ୍ତି। ଜଷ୍ଟିସ ଅୟରଙ୍କ ବ୍ୟକ୍ତିଗତ ସମ୍ପତ୍ତିକୁ ସଂପ୍ରଦାୟର ସମ୍ପତ୍ତି ବୋଲି ବିଚାର କରାଯାଇ ପାରିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ସହମତ ନୁହଁନ୍ତି ବୋଲି ଖଣ୍ଡପୀଠ କହିଥିଲେ।
Tags: #SuprmeCourt #PersonalProperty #JusticeDYChandrachud #India