ମିନତି ମିଶ୍ର

ଗଜପତି ମହାରାଜାଙ୍କ ବିରୋଧ ପରେ ନରମିଲା ଇସ୍କନ। ବନ୍ଦ କଲା ଅଦିନିଆ ରଥଯାତ୍ରା ଯୋଜାନା। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନର ମନମାନିକୁ ନେଇ ବର୍ଷିବା ପରେ ରଥଯାତ୍ରା କରାଯିବ ନାହିଁ ବୋଲି ଇସ୍କନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ଇସ୍କନ ପରିଚାଳନା ପରିଷଦ ପକ୍ଷରୁ କୁହାଯାଇଛି, ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ରଥଯାତ୍ରା କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି। ଆସନ୍ତା ୯ ତାରିଖରେ ଆମେରକା ହ୍ୟୁଷ୍ଟନରେ ହେବାକୁ ଥିବା ରଥଯାତ୍ରା କରାଯିବନାହିଁ। ସେହିଦିନ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରାଯିବ।

ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଇସ୍କନ ପକ୍ଷରୁ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏହି ସମ୍ମିଳନୀରେ ଇସ୍କନ ଭୁବନେଶ୍ୱର ଶାଖାର ଉପସଭାପତି ତୁକାରାମ ଦାସ କହିଥିଲେ, ଆମେ ଭାରତରେ ତିଥି ଅନୁସାରେ ରଥଯାତ୍ରା କରିଆସୁଛୁ। କିନ୍ତୁ ବିଦେଶରେ ତିଥି ଅନୁସାରେ ଏହା ପାଳନ କରାଯାଇପାରୁ ନାହିଁ। ଏଥିପାଇଁ କିଛି ପ୍ରତିବନ୍ଧକ ରହିଛି।

ସ୍ଥାନୀୟ ପାଣିପାଗ ଏବଂ ସ୍ଥାନୀୟ କ୍ୟାଲେଣ୍ଡର। ରଥଯାତ୍ରା ସମୟରେ କେତେକ ଦେଶରେ ତାପମାତ୍ରା ମାଇନସ ଡିଗ୍ରୀରେ ରହିଥାଏ। ଏହି ସମସ୍ୟାର କିପରି ସମାଧାନ କରାଯିବ ସେ ନେଇ ଆମେ ଉଦ୍ୟମ କରୁଛୁ। ଏ ସମ୍ପର୍କରେ ସେ ଗଜପତି ମହାରାଜାଙ୍କ ସହ  ଆଲୋଚନା କରିଛନ୍ତି ବୋଲି କହିଛନ୍ତି।

ଇସ୍କନ ପକ୍ଷରୁ ନିୟମର ଉଲ୍ଲଘଂନ କରାଯାଇ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଉଛି। ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ଚଳିତ ବର୍ଷ ମଧ୍ୟ ନଭେମ୍ବର ୩ ଓ ୯ ତାରିଖରେ ଯଥାକ୍ରମେ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ କରିବାକୁ ଯାଉଥିଲା ଇସ୍କନ। ଏହାକୁ ବିରୋଧ କରି ଶ୍ରୀମନ୍ଦିର ସେବାୟତମାନେ ପୁରୀ ଗଜପତିଙ୍କୁ ଜଣାଇଥିଲେ। ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆମେରିକାର ହ୍ୟୁଷ୍ଟନରେ ଥିବା ଇସ୍କନ ଏବଂ ମାୟାପୁରୀ ମୁଖ୍ୟାଳୟକୁ ଚିଠି ଲେଖି ଏହାକୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ଏହା ପରେ ସ୍ନାନଯାତ୍ରାକୁ ବନ୍ଦ କରାଯାଇଥିଲେ ହେଁ ରଥଯାତ୍ରା ବନ୍ଦ ହୋଇନଥିଲା।   

ଯଦି ଇସ୍କନ ଜନ୍ମାଷ୍ଟମୀ ସାରା ବିଶ୍ୱରେ ଗୋଟିଏ ଦିନରେ ପାଳନ କରୁଛି ତେବେ ରଥଯାତ୍ରା କାହିଁକି ଗୋଟିଏ ଦିନରେ ପାଳନ କରାଯିବ ନାହିଁ ବୋଲି ଗଜପତି ମହାରାଜା ଯୁକ୍ତି ବାଢ଼ିଥିଲେ। ଇସ୍କନ ପକ୍ଷରୁ ଏହାକୁ ବନ୍ଦ କରିବା ଦିଗରେ କୌଣସି ପଦକ୍ଷେପ ନିଆ ନଗଲେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଜପତି ମହାରାଜା ଚେତାବନୀ ଦେଇଥିଲେ।

ଏହି ଅଦିନିଆ ରଥଯାତ୍ରାକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ କଡ଼ା ବିରୋଧ କରିଥିଲେ। ସେମାନେ ଶଙ୍କରାଚାର୍ଯ୍ୟ କହିଥିଲେ, ବିଧି ଅନୁଯାୟୀ ସବୁ କାମ କରାଗଲେ ଏହା ସଫଳ ହୁଏ। ଯେଉଁମାନେ ମହାପ୍ରଭୁଙ୍କୁ ଭକ୍ତି କରନ୍ତି ସେମାନେ ତାଙ୍କର ବିଧିବ୍ୟବସ୍ଥା ଅନୁଯାୟୀ କାମ କରିଥାନ୍ତି। ହେଲେ ଇସ୍କନ ଯେପରି ବିଧି ଉଲ୍ଲଘଂନ କରି ରଥଯାତ୍ରା ଆୟୋଜନ କରୁଛି ତାହା ଠିକ ନୁହେଁ। 

ଏହି ପ୍ରସଂଗକୁ ନେଇ ଆଇନ ମନ୍ତ୍ରୀ ପୃ‌ଥ୍ୱୀରାଜ ହରିଚନ୍ଦନ କହିଥିଲେ, ୨୦୨୨ ମସିହାରେ ମାୟାପୁରୀସ୍ଥିତ ଇସ୍କନ ମୁଖ୍ୟାଳୟ ପକ୍ଷରୁ ସମସ୍ତ ଇସ୍କନ ମନ୍ଦିରକୁ ମାର୍ଗଦର୍ଶିକା ଜାରି କରାଯାଇଥିଲା। ସେଥିରେ ସ୍ପଷ୍ଟ କୁହାଯାଇଥିଲା, ଭାରତର ଯେଉଁ ସବୁ ଇସ୍କନ ମନ୍ଦିରରେ ଶ୍ରୀ ଜଗନ୍ନାଥ ପୂଜା ପାଉଛନ୍ତି, ସେଠାରେ ସମସ୍ତ ଶ୍ରୀମନ୍ଦିରର ରୀତିନୀତି ଅନୁସାରେ କରାଯିବ। ଅଦିନରେ ରଥାଯତ୍ରା ହେବ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଯଦି ଇସ୍କନ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଅସମ୍ମାନ କରେ ତେବେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନ ମନ୍ତ୍ରୀ କହିଥିଲେ। 

Tags: #ShreeJagannath #RathYatra #RathJatra #Iskcon

LEAVE A REPLY

Please enter your comment!
Please enter your name here