ଓଡ଼ିଶାଲାଇଭ୍ ବ୍ୟୁରୋ
![](https://odisha.live/wp-content/uploads/2023/04/election-e1682402550485.jpg)
‘ଏକ ଦେଶ-ଏକ ନିର୍ବାଚନ’ ବିଲ୍କୁ ଗୁରୁବାର କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହାକୁ ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ଆଗତ କରାଯିବାର ସମ୍ଭବନା ରହିଛି। ଏହା ପାରିତ ହେଲେ ଦେଶରେ ଏକ ସମୟରେ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବାଟ ଫିଟିବ।
‘ଏକ ଦେଶ-ଏକ ନିର୍ବାଚନ’ ବିଧେୟକକୁ ପାରିତ କରିବା ପାଇଁ ସମ୍ବିଧାନରେ ସଂଶୋଧନ ଲାଗି ୬ଟି ବିଲ୍ ଆଣିବାକୁ ପଡ଼ିବ। ଏଥିପାଇଁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ ହେବ।
ତେବେ ଏହି ବିଧେୟକକୁ ଏନଡିଏ ମେଣ୍ଟର ସମର୍ଥନ ମିଳୁଥିବାବେଳେ କଂଗ୍ରେସ ତଥା ଇଣ୍ଡି ମେଣ୍ଟର ଦଳଗୁଡ଼ିକ ବିରୋଧ କରୁଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ସାଂସଦଙ୍କୁ ଡିସେମ୍ବର ୧୩ ଓ ୧୪ ତାରିଖରେ ଲୋକସଭାରେ ଉପସ୍ଥିତ ରହିବାକୁ ହ୍ଵିପ୍ ଜାରି କରିଛନ୍ତି।
୨୦୨୩ ସେପ୍ଟେମ୍ବର ୧ ତାରିଖରେ ‘ଏକ ଦେଶ-ଏକ ନିର୍ବାଚନ’ ବ୍ୟବସ୍ଥା ପ୍ରସଙ୍ଗରେ ପର୍ଯ୍ୟବେକ୍ଷଣ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟି ଗଠନ ହୋଇଥିଲା। ଏହି କମିଟି ଏକକ ନିର୍ବାଚନ ପ୍ରସ୍ତାବ ଉପରେ ଭାରତର ୬୨ଟି ରାଜନୈତିକ ଦଳଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ମଧ୍ୟରୁ ୩୧ଟି ଦଳ ଏହାର ସମର୍ଥନ କରିଥିଲେ। ୧୫ଟି ଦଳ ପ୍ରସ୍ତାବକୁ ବିରୋଧ କରିଥିବାବେଳେ ଅନ୍ୟ ୧୫ଟି ଦଳ ଏହା ବାବଦରେ କୌଣସି ଉତ୍ତର ଦେଇନଥିଲେ।
୨୦୨୪ ମାର୍ଚ୍ଚ ମାସରେ କମିଟି ‘ଏକ ଦେଶ-ଏକ ନିର୍ବାଚନ’ ବ୍ୟବସ୍ଥା ଉପରେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଥିଲେ। ୨୦୨୪ ସେପ୍ଟେମ୍ବର ୧୮ ତାରିଖରେ ଏହି ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଥିଲା।
Tags: #OneNationOneElection #Elections #Parliament #IndianPolitics #India