ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ରପ୍ରଦେଶରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ ଲାଗି ମାଲକାନଗିରି ଜିଲ୍ଲାର ଏକାଧିକ ଗାଁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଏହାକୁ ବିରୋଧ କରି ବଡ଼ ଆନ୍ଦୋଳନ କରିବାକୁ ଯାଉଛି ବିଜେଡି। ୨୦୨୫ ଜାନୁଆରି ମାସରେ ପୋଲାଭରମ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିବାକୁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ବିଜେଡି ପକ୍ଷରୁ ମାଲକାନଗିରିର ମୋଟୁରୁ ଭୁବନେଶ୍ଵର ଯାଏଁ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ଵରରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରାଯିବ। ଆନ୍ଦୋଳନରେ ସବୁ ବର୍ଗର ଲୋକଙ୍କୁ ସାମିଲ କରିବା ନେଇ ବିଜେଡି ଲକ୍ଷ୍ୟ ରଖିଛି। କିଛି ଦିନ ମଧ୍ୟରେ ଦଳ ପକ୍ଷରୁ ଆନ୍ଦୋଳନର ରୂପରେଖ ସ୍ଥିର ହେବ।
“ପୋଲାଭରମ୍ ପ୍ରକଳ୍ପ ମାଲକାନଗିରିର ଅନେକ ଅଞ୍ଚଳକୁ ଜଳମଗ୍ନ କରିବା ସହ ଆଦିବାସୀ ଭାଇଭଉଣୀମାନେ ବହୁଳ ଭାବେ ପ୍ରଭାବିତ କରିବ। ମାଲକାନଗିରି ପାଇଁ ମୁଁ ବି ଲଢ଼ିବି। ତୁମେ ବି ଶେଷ ଯାଏଁ ଲଢ଼। ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ଆମେ ଆନ୍ଦୋଳନକୁ ଜୋରଦାର କରିବୁ”, କହିଛନ୍ତି ନବୀନ ପଟ୍ଟନାୟକ।
୨୦୨୪ ଜୁଲାଇ ଓ ଅଗଷ୍ଟ ମାସରେ ବିଜେଡିର ଏକ ଦଳ ପୋଲାଭରମ ଅଞ୍ଚଳ ପରିଦର୍ଶନ କରି ମାଲକାନଗିରିରେ ସମ୍ଭାବ୍ୟ କ୍ଷୟକ୍ଷତିକୁ ଆକଳନ କରିଥିଲା। ଏହାର ରିପୋର୍ଟ ନବୀନ ପଟ୍ଟନାୟକଙ୍କୁ ଦିଆଯାଇଥିଲା। ପରେ ବିଜେଡି ପକ୍ଷରୁ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ, କେନ୍ଦ୍ରୀୟ ଜଳ କମିସନ, ଆଦିବାସୀ ବ୍ୟାପାର ବିଭାଗ ଆଦିବାସୀ କମିସନଙ୍କୁ ସାକ୍ଷାତ କରି ଏ ବିଷୟରେ ସୂଚନା ଦିଆଯାଇଥିଲା।
ପୋଲାଭରମ୍ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଗାଁ ଜଳମଗ୍ନ ହେବା ଆଶଙ୍କା ରହିଛି। ପ୍ରକଳ୍ପ ଆରମ୍ଭରେ ଏହାର କ୍ଷମତା ୩୬ ଲକ୍ଷ କ୍ୟୁସେକ ଥିଲା, ପରେ ଏହାକୁ ୫୦ ଲକ୍ଷ କ୍ୟୁସେକକୁ ବଢ଼ାଇ ଦିଆଯାଇଛି। ପ୍ରକଳ୍ପର କ୍ଷମତା ବଢ଼ାଇବା ପରେ ଏହାର ପଛୁଆ ପାଣି ମାଲକାନଗିରି ଜିଲ୍ଲା ଉପରେ କେଉଁ ପ୍ରଭାବ ପକାଇବ, ସେନେଇ ଆକଳନ କରାଯାଇ ନଥିବା ବିଜେଡି ଅଭିଯୋଗ କରିଛି।
Tags: #PolavaramProject #Protest #BJD #Malkangiri #Odisha