ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନ ଅଧିକୃତ କାଶ୍ମୀରର (ପିଓକେ) ଗିଲଗଟ ଅଞ୍ଚଳରୁ ଏକ ପ୍ରାଚୀନ ସଂସ୍କୃତ ଅଭିଲେଖ ଉଦ୍ଧାର କରାଯାଇଛି। ଏହି ପ୍ରାଚୀନ ଅଭିଲେଖରେ ଅନେକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ତଥ୍ୟ ରହିଛି। ଏହା ୪ର୍ଥ ଶତାବ୍ଦୀର ବୋଲି ଅନୁମାନ କରାଯାଉଛି।

ବ୍ରାହ୍ମୀ ଲିପିରେ ଲିଖିତ ଏହି ଅଭିଲେଖରେ କଶ୍ମୀର ସମ୍ପର୍କିତ ଅନେକ ନିଗୁଡ଼ ତଥ୍ୟ ଲୁଚି ରହିଥିବା ଅନୁମାନ କରାଯାଉଛି। ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଶାସକ ଏବଂ ଧାର୍ମିକ କ୍ରିୟା ଉପରେ ଉଲ୍ଲେଖ ରହିଛି ଯାହା ପ୍ରାଚୀନ ଭାରତୀୟ ସଂସ୍କୃତି ଏବଂ ଧର୍ମ ଉପରେ ନୂଆ ତଥ୍ୟ ଦେବ ବୋଲି ଐତିହାସିକମାନେ ଅନୁମାନ କରୁଛନ୍ତି।

ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ) ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଗିଲଗିଟରୁ ମିଳିଥିବା ଏହି ଅଭିଲେଖ ପୁଷ୍ପସିଂହ ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ ଉଲ୍ଲେଖ ରହିଛି ଯିଏ ନିଜ ଗୁରୁଙ୍କ ସମ୍ମାନ ପାଇଁ ‘ମହେଶ୍ୱର ଲିଙ୍ଗ’ ସ୍ଥାପନା କରିଥିଲେ। ଯଦିଓ ତାଙ୍କ ଗୁରୁଙ୍କ ନାମ ଆଂଶିକ ଭାବେ ଲିଭି ଯାଇଛି ତେବେ ଏହି ତଥ୍ୟ ଧାର୍ମିକ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ମହେଶ୍ୱର ଲିଙ୍ଗ ଏକ ପ୍ରକାର ପବିତ୍ର ଶିବ ଲିଙ୍ଗ, ଯାହାକୁ ଧାର୍ମିକ ଅନୁଷ୍ଠାନମାନଙ୍କରେ ସ୍ଥାପିତ କରାଯାଇଥାଏ। ଏଥିସହିତ ପୂଜା ପାଇଁ ମଧ୍ୟ ଏହାକୁ ସ୍ଥାପନ କରାଯାଇଥାଏ। ଏହି ଅଭିଲେଖ କେବଳ ଶାସକଙ୍କର ଧାର୍ମିକ ଆସ୍ଥାର ପ୍ରମାଣ ଦେଇ ନ ଥାଏ ବରଂ ସେ ସମୟର ସମାଜ ଏବଂ ଧାର୍ମିକ ମାନ୍ୟତା ଉପରେ ବି ଆଲୋକପାତ କରିଥାଏ।

ଏପରି ପ୍ରାଚୀନ ଅଭିଲେଖର ସ୍ୱତନ୍ତ୍ର ମହତ୍ୱ ରହିଛି। ଭାରତୀୟ ଇତିହାସର ପୁନଃନିର୍ମାଣ ପାଇଁ ଏହାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଯେଉଁ ସମୟରେ ଲିଖିତ ଇତିହାସ କମ ଥାଏ କିମ୍ବା ଆଦୌ ନ ଥାଏ ସେହି ସମୟର ରାଜନୈତିକ, ପ୍ରଶାସନିକ ବ୍ୟବସ୍ଥା, ସାମାଜିକ ସଂରଚନା ଏବଂ ଧାର୍ମିକ ଚେତନା ବିଷୟରେ ଏପରି ଅଭିଲେଖରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥାଏ। 

ଏହା ପୂର୍ବରୁ ପାକିସ୍ତାନର ପେଶାୱର ନିକଟରୁ ଦଶମ ଶତାବ୍ଦୀର ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କୃତ ଏବଂ ଶାରଦା ଲିପିର ଅଭିଲେଖ ଉଦ୍ଧାର କରାଯାଇଥିଲା। ଏହି ଅଭିଲେଖରେ ବୌଦ୍ଧ ଧର୍ମ ସହ ସମ୍ବନ୍ଧିତ ମନ୍ତ୍ରର ଉଲ୍ଲେଖ କରାଯାଇଛି। ଏହି ମନ୍ତ୍ରର ଧାର୍ମିକ ମହତ୍ୱ ରହିଛି ଏବଂ ଏହାକୁ ପବିତ୍ର ଜପ ଭାବରେ ପୂଜାରେ ବ୍ୟବହାର କରାଯାଉଥିଲା।  

ପାକିସ୍ତାନ ଅଧିକୃତ କଶ୍ମୀରରୁ ଏପରି ଅନେକ ଅଭିଲେଖ ଉଦ୍ଧାର କରାଯାଇଛି ଯେଉଁଥିରେ କଶ୍ମୀର ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥାଏ। ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ)ର କହିବା ମୁତାବିକ କଶ୍ମୀର ସମ୍ପର୍କିତ ଅଭିଲେଖ ସର୍ବପ୍ରଥମେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ଅଭିଲେଖ ଥିଲା, ଯାହାକୁ ଐତିହାସିକ ଅଭିଲେଖର ମାନ୍ୟତା ମିଳିଥିଲା। ଅଶୋକ କଶ୍ମୀରରେ ବୌଦ୍ଧ ଧର୍ମର ପ୍ରଚାର କରିଥିଲେ ଏବଂ ଏଠାରେ ଅନେକ ଜନହିତକର କାର୍ଯ୍ୟ ମଧ୍ୟ କରିଥିଲେ ବୋଲି ଏହି ଶିଳାଲେଖରୁ ତଥ୍ୟ ମିଳିଥିଲା। 

Tags: #SanskritInscription #History #ASI #PakistanOccupiedKashmir #Gilgit

LEAVE A REPLY

Please enter your comment!
Please enter your name here