ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଧନୁଯାତ୍ରା ମହୋତ୍ସବ ଆରମ୍ଭରୁ ଏ ପର୍ଯ୍ୟନ୍ତ ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି। କଂସ ମହାରାଜଙ୍କ ଶାସନ ଓ କୃଷ୍ଣପ୍ରେମରେ ବିଭୋର ହେଉଛନ୍ତି ହଜାର ହଜାର ଦର୍ଶକ। ଗୋପପୁରଠାରୁ ମଥୁରା ଯାଏଁ ସମସ୍ତେ ମଜି ଯାଇଛନ୍ତି ଧନୁଯାତ୍ରାରେ। ରବିବାର ଧନୁଯାତ୍ରାର ଦଶମ ଦିନରେ ମହାରାଜ କଂସଙ୍କ ରାଜଦରବାରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଅତିଥି ଭାବେ ଯୋଗ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ବରଗଡ଼ ସହରର ଶକ୍ତିନଗର କଲ୍ୟାଣମଣ୍ଡପଠାରୁ ହାତୀପିଠିରେ ବସି ରାଜଦରବାରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ରାଜକୀୟ ସମ୍ମାନରେ ସମ୍ମାନିତ କରାଯାଇଥିଲା।
‘‘ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପରିଚୟ ପାଲଟିଛି ବରଗଡ଼ ଧନୁଯାତ୍ରା। ଏଥିରେ ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତାର ଚିତ୍ର ପ୍ରତିଫଳିତ ହେଉଛି। ବରଗଡ଼ବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ଚଳିତବର୍ଷ ଏହି ଐତିହାସିକ ଯାତ୍ରାକୁ ଭବ୍ୟ ଓ ଆକର୍ଷଣୀୟ କରାଯାଇଛି। ମଥୁରା ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ମହାରାଜ କଂସ ଯେଉଁ ସର୍ତ୍ତ ରଖିଥିଲେ ତାହା ପୂରଣ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଧନୁଯାତ୍ରା ନାଟକରେ ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା କିଛି ପ୍ରମୁଖ କଳାକାରମାନଙ୍କୁ ମହାରାଜ କଂସଙ୍କ ଦରବାରରେ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବରଗଡ଼ ଜିଲ୍ଲାର ୧୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ସ୍ମରଣିକା ‘ଧନୁଷ୍ପ୍ରଭା’କୁ ଉନ୍ମୋଚନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡ଼ତିଆ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମୀନା ଏବଂ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।
Tags: #BargarhDhanuJatra #ShreeKrishna #KansaMaharaj #CMMohanCharanMajhi #Bargarh