ଓଡ଼ିଶାଲାଇଭ୍ ବ୍ୟୁରୋ
- ୨୦୨୪ ପାଇଁ ଭାରତୀୟ ଖେଳାଳିମାନଙ୍କୁ ମିଳିଲା ଜାତୀୟ କ୍ରୀଡ଼ା ପୁରସ୍କାର
- ହକି ଅଧିନାୟକ ହରମନପ୍ରିତ ସିଂହ, ସୁଟର ମନୁ ଭାକର, ଚେସ୍ ଚାମ୍ପିୟନ ଡି ଗୁକେଶ ଓ ପାରା ଅଥଲେଟ୍ ପ୍ରବୀଣ କୁମାରଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର
- ୩୨ ଜଣ ଖେଳାଳିଙ୍କୁ ମିଳିଲା ଅର୍ଜୁନ ପୁରସ୍କାର
ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଶୁକ୍ରବାର ଅନୁଷ୍ଠିତ ହୋଇଛି ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ଷ ୨୦୨୪ ପାଇଁ ଦେଶର ଖେଳାଳିମାନଙ୍କୁ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। ଏଠାରେ ୪ ଜଣ କ୍ରୀଡ଼ାବିତଙ୍କୁ ସମ୍ମାନ ଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଏବଂ ୩୨ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି।
ପ୍ୟାରିସ ଅଲିମ୍ପିକରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ସୁଟର ମନୁ ଭାକର, ବିଶ୍ଵ ଚେସ୍ ଚାମ୍ପିୟନ ଡି ଗୁକେଶ, ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରିତ ସିଂହ ଓ ପାରା ଅଥଲେଟ୍ ପ୍ରବୀଣ କୁମାରଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି।
ସେହିପରି ଆଥଲେଟ୍ ଜ୍ୟୋତି ୟାରାଜୀ, ଅନ୍ନୁ ରାଣୀ, ଚେସ୍ ଖେଳାଳି ବନ୍ତିକା ଅଗ୍ରୱାଲ, ହକି ଖେଳାଳି ସଲିମା ଟେଟେ, ଜରମନପ୍ରୀତ୍ ସିଂହ, ଶୁଖଜିତ୍ ସିଂହଙ୍କ ସମେତ ୩୨ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ଏହାସହ କ୍ରୀଡ଼ା କ୍ଷେତ୍ରରେ ଜୀବନ ବ୍ୟାପି ସାଧନା ପାଇଁ ଆଥଲେଟ ସୁଚା ସିଂହ ଓ ପାରା ସନ୍ତରଣକାରୀ ମୁରଲୀକାନ୍ତ ରାଜରାମ ପାଟେକରଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି।
ଏହାସହ ପାରା ସୁଟିଂ କୋଚ୍ ସୁଭାଷ ରାଣା, ସୁଟିଂ କୋଚ୍ ଦୀପାଳି ଦେଶପାଣ୍ଡେ, ହକି ପ୍ରଶିକ୍ଷକ ସନ୍ଦୀପ ସାଙ୍ଗୱାନଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ସେହିପରି ଫିଜିକାଲ୍ ଏଜୁକେସନ ଫାଉଣ୍ଡେସନ ଅଫ ଇଣ୍ଡିଆକୁ କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି।
କ୍ରୀଡ଼ାବିତମାନଙ୍କୁ ୨୦୨୪ରେ ନିଜ ନିଜ କ୍ରୀଡ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ପ୍ରଦାନ ମିଳିଛି। ହକି, ଆଥଲେଟିକ୍ସ, ଆର୍ଚେରି, ଚେସ୍ ତଥା ବନ୍ଧୁକ ଚାଳନା ଭଳି ବିଭିନ୍ନ କ୍ରୀଡ଼ାର ଖେଳାଳିମାନେ ଜାତୀୟ କ୍ରୀଡ଼ା ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ। ହେଲେ ଏଥର ଓଡ଼ିଶାର କୌଣସି ଖେଳାଳି କ୍ରୀଡ଼ା ପୁରସ୍କାର ପାଇନାହାନ୍ତି।
Tags: #Nationalsportsawards #KheratnaAward #ArjunAward #Players #Sports #MYAS #India