ଓଡ଼ିଶାଲାଇଭ୍ ବ୍ୟୁରୋ
ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ଏବେ ୨ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଶନିବାର ସେ ନିଜ ପତ୍ନୀଙ୍କ ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏହାସହ ସେ ପୁରୀ ଜିଲ୍ଲାର ରଘୁରାଜପୁର ଐତିହ୍ୟ ଗ୍ରାମ ମଧ୍ୟ ବୁଲି ଦେଖିଛନ୍ତି।
ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମଙ୍କୁ ଐତିହ୍ୟ ଗ୍ରାମ ରଘୁରାଜପୁରରେ ଗୋଟିପୁଅ ଏବଂ ବିଭିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇ ସ୍ୱାଗତ କରାଯାଇଥିଲା। ଏଠାରେ ସେ ଓଡ଼ିଶାର ପ୍ରସିଦ୍ଧ ପଟ୍ଟଚିତ୍ର ଏବଂ ବିଭିନ୍ନ ହସ୍ତକଳା ବସ୍ତୁ ବୁଲି ଦେଖିଥିଲେ। ସେଗୁଡ଼ିକୁ ସେ ପ୍ରଶଂସା କରିଥିଲେ। ଏହାପରେ ସେ ଏଠାରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଯାଇଥିଲେ।
ଏହି ଅବସରରେ ଥର୍ମନ ଶନ୍ମୁଗରତ୍ନମଙ୍କ ସହ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ବିଦେଶ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏବଂ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଥିଲେ। ଏଠାରେ ବିଭିନ୍ନ କ୍ଷେତ୍ରରେ ନିବେଶ ତଥା ଦକ୍ଷତା ବିକାଶ ପାଇଁ ସେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାରେ ପୁଞ୍ଜି ନିବେଶ, ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍ସ, ସବୁଜ ଶକ୍ତି ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ୮ଟି ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା।
Tags: #TharmanShanmugaratnam #PresidentofSingapore #OdishaVisit #KonarkSunTemple #Raghurajpur #Puri