ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରର ଜନତା ମଇଦାନଠାରେ ଆରମ୍ଭ ହୋଇଛି ଦୁଇଦିନିଆ ଶିଳ୍ପ ମହାକୁମ୍ଭା ‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫’। ଏହି କନକ୍ଲେଭକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇ କହିଛନ୍ତି, “ଓଡ଼ିଶାରେ ଏବେ ପର୍ଯ୍ୟନ୍ତ ସବୁଠାରୁ ବ୍ୟବସାୟିକ ସମ୍ମିଳନୀ ହେଉଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ ୨୦୨୫। ବିକଶିତ ଭାରତ ନିର୍ମାଣରେ ପୂର୍ବ ଭାରତର ଯୋଗାଦାନ ଅଧିକ ରହିଛି। ଏଥିରେ ଓଡ଼ିଶାର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ।”  

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପୂର୍ବ ଭାରତରେ ଦେଶର ବଡ଼ ବଡ଼ ଇଣ୍ଡଷ୍ଟ୍ରିଆଲ ହବ୍ ଥିଲା। ଓଡ଼ିଶା ଦକ୍ଷିଣ ପୂର୍ବ ଏସିଆ ବାଣିଜ୍ୟର ପ୍ରମୁଖ ସ୍ଥାନ ଥିଲା। କଟକ ଐତିହାସିକ ବାଲିଯାତ୍ରା କଥା ଉଠାଇ ଏହାକୁ ଓଡ଼ିଶାର ସବୁଠାରୁ ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳୀ ବୋଲି ନରେନ୍ଦ୍ର ମୋଦୀ କହିଥିଲେ।

କେବଳ ସେତିକି ନୁହେଁ ନିକଟରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ। ଓଡ଼ିଶା ସହ ସିଙ୍ଗାପୁରର ସମ୍ପର୍କକୁ ନେଇ ସେ ବେଶ ଉତ୍ସାହିତ ବୋଲି ମୋଦୀ କହିଛ୍ତି। ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ତାଙ୍କ ଡିଏନଏରେ ଓଡ଼ିଶା ରହିଛି ବୋଲି କହିଥିବା ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆଜି ବିଭିନ୍ନ କ୍ଷେତ୍ରରେ ଅନେକ ସମ୍ଭାବନାର ଦ୍ଵାର ଖୋଲିଛି। ଓଡ଼ିଶାରେ ନିବେଶ କରି ରାଜ୍ୟର ବିକାଶ ଯାତ୍ରାକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ଲାଗି ଉପସ୍ଥିତ ନିବେଶକମାନଙ୍କୁ ସେ ଆହ୍ଵାନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, “ଓଡ଼ିଶାରେ ଏହି ବିକାଶ ଯାତ୍ରାରେ ଆପଣଙ୍କ ନିବେଶ ଆପଣଙ୍କୁ ସଫଳତାର ନୂଆ ପାହାଚରେ ପହଞ୍ଚାଇବା ଏହା ମୋଦୀ ଗ୍ୟାରେଣ୍ଟି।”

“ମୁଁ ଗୁଜୁରାଟରେ ଓଡ଼ିଶାବାସୀଙ୍କ କୌଶଳ, ପରିଶ୍ରମ ଓ ସାମର୍ଥ୍ୟକୁ ଅନୁଭବ କରିଛି। ଖୁବଶୀଘ୍ର ଓଡ଼ିଶା ବିକାଶର ସେଇ ସ୍ତରରେ ପହଞ୍ଚିବ, ଯାହା କଳ୍ପନା ବାହାରେ। ଫୁଡ ପ୍ରୋସେସିଙ୍ଗ, ଆଇଟି, ଟେକ୍ସଟାଇଲ, ଏଜୁଟେକ, ମାଇନିଂ, ଗ୍ରୀନ ଏନର୍ଜୀ, ପେଟ୍ରୋକେମିକାଲ କ୍ଷେତ୍ରରେ ଓଡ଼ିଶା ଦେଶର ଆଗୁଆ ରାଜ୍ୟମାନଙ୍କ ମଧ୍ୟରେ ରହିଛି। ନୂଆ ଲକ୍ଷ୍ୟ ନେଇ କାମ ହେଉଛି, ପୂରା ଇକୋ ସିଷ୍ଟମ ବଦଳୁଛି। ଓଡ଼ିଶାରେ ଅନେକ ସମ୍ଭାବନା ରହିଛି”, କହିଛନ୍ତି ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସେ ଆହୁରି କହିଛନ୍ତି, ଏବେ ଭାରତ ବଦଳୁଛି। ସମୁଦ୍ରରୁ ସାମୁଦ୍ରିକ ଖାଦ୍ୟ ବାହାରି ଅଲଗା ଦେଶରେ ପ୍ରୋସେସ ହୋଇ ମାର୍କେଟକୁ ଯିବାର ଟ୍ରେଣ୍ଡ ବଦଳୁଛି। ସମୟର ଆବଶ୍ୟକତା ଅନୁସାରେ ଆମକୁ ବଦକିବାକୁ ପଡ଼ିବ। ଏହି ଭାବନା ନେଇ ଗ୍ରୀନ ଟେକ୍ ଉପରେ ଭାରତ ଫୋକସ କରୁଛି। ହାଇଡ୍ରୋ, ଗ୍ରୀନ ହାଇଡ୍ରୋ ଓ ସୋଲାର ପାଓ୍ଵାର କ୍ଷେତ୍ରରେ ଓଡ଼ିଶାରେ ଅନେକ ସମ୍ଭାବନା ରହିଛି। ପ୍ରେଟ୍ରୋ ଏବଂ ପେଟ୍ରୋ କେମିକାଲ କ୍ଷେତ୍ରରେ ପାରାଦୀପ, ଗୋପାଳପୁରରେ ନିର୍ମିତ ଇଣ୍ଡଷ୍ଟ୍ରି ଏ ଦିଗରେ କାମ କରୁଛି।

ସରକାରଙ୍କ ସହ ଶିଳ୍ପର ମଧ୍ୟ ବଡ଼ ଦାୟିତ୍ଵ ରହିଛି। ଏମଏସଏମଇକୁ ସବୁ ଇଣ୍ଡଷ୍ଟ୍ରି ସହଯୋଗ କରନ୍ତୁ। ଷ୍ଟାର୍ଟଅପକୁ ସହଯୋଗ କରନ୍ତୁ। ଜ୍ଞାନକୌଶଳ ପାଇଁ ଅଧ୍ୟୟନ ଓ ଉଦ୍ଭାବନର ଆବଶ୍ୟକତା ରହିଛି।  ଏଥିପାଇଁ ଇକୋ ସିଷ୍ଟମ ହୋଇଛି। ରିସର୍ଚ୍ଚ ଯେତେ ଭଲ ହେବ ଇଣ୍ଡଷ୍ଟ୍ରିକୁ ସେତେ ଲାଭ ହେବ। ସମସ୍ତେ ମିଶି ଆଧୁନିକ ଇକୋ ସିଷ୍ଟମ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ।

“ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ନିବେଶ ବଢ଼ିଲେ ରାଜ୍ୟର ଯୁବପିଢ଼ିଙ୍କୁ ଅଧିକ ନିଯୁକ୍ତି ମିଳିବ। ଓଡ଼ିଶା ସମୃଦ୍ଧ ଓ ଉତ୍କର୍ଷ ହେବ। ଭାରତକୁ ବୁଝିବା ପାଇଁ ଓଡ଼ିଶା ସର୍ବୋତ୍ତମ ସ୍ଥାନ। ପହଡ଼, ସମୁଦ୍ର, କଳା, ସଂସ୍କୃତି ଏଠି ସବୁ ଅଛି। ବିକାଶର ଅନନ୍ୟ ମଡେଲ ହେଉଛି ଓଡ଼ିଶା। କୋଣାର୍କ ଚକ୍ର ଜି ଟ୍ଵେଣ୍ଟିରେ ସ୍ଥାନ ପାଇଥିଲା”, କହିଛନ୍ତି ନରେନ୍ଦ୍ର ମୋଦୀ।

ସେ ଆହୁରି କହିଛନ୍ତି, “ବିକଶିତ ଭାରତ ନିର୍ମାଣରେ ଓଡ଼ିଶାର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ। ଖୁବଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶାର ସାମର୍ଥ୍ୟ ଉପରେ ମୋର ପୂରା ଭରସା ରହିଛି। ମୁଁ ଯେତେ ଥର ଓଡ଼ିଶା ଆସିଛି ରାଜ୍ୟର ପ୍ରଗତିକୁ ଦେଖୁଛି। ସ୍ୱାଧୀନତା ପରଠାରୁ ସବୁ ପ୍ରଧାନମନ୍ତ୍ରୀ ଯେତେ ଥର ଓଡ଼ିଶା ଆସିଥିବେ, ମୁଁ ତା’ ଠାରୁ ଅଧିକ ଆସିଛି। ପାଖାପାଖି ୩୦ ଥର ଓଡ଼ିଶା ଆସିଛି।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନବାଦ ଦେଇଥିଲେ। ଓଡ଼ିଶାରେ ଏହିଭଳି ଏକ ବିଶାଳ ଆୟୋଜନ କରାଯାଇଥିବାରୁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ।

Tags: #UtkarshOdishaMakeInOdishaConclave2025 #UtkarshOdishaConclave #InvestOdisha #PMNarendraModi #CMOdisha

LEAVE A REPLY

Please enter your comment!
Please enter your name here