ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଆରମ୍ଭ ହୋଇଛି ବାଣିଜ୍ୟର ମହାପର୍ବ ‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫’। ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଦେଶ ବିଦେଶର ବିଶିଷ୍ଟ ଶିଳ୍ପୋଦ୍ୟୋଗୀ, ନିବେଶକ ଓ ଶିଳ୍ପ ପ୍ରତିନିଧିଗଣ। ଓଡ଼ିଶାରେ ନିବେଶ ପାଇଁ ସମସ୍ତଙ୍କୁ ଆକର୍ଷିତ କରୁଛି ‘ଉତ୍କର୍ଷ ଓଡ଼ିଶା’।
ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀକୁ ଉଦଘାଟନ କରି ଶିଳ୍ପ ଓ ନିବେଶ କ୍ଷେତ୍ରରେ ଥିବା ଓଡ଼ିଶାର ବିପୁଳ ସମ୍ଭାବନାକୁ ବିଶ୍ୱ ନିବେଶକଙ୍କ ଆଗରେ ବଖାଣିଥିଲେ। ରାଜ୍ୟରେ ନିବେଶ ଲାଗି ଏହା ଉପଯୁକ୍ତ ସମୟ କହିବା ସହ ଓଡ଼ିଶା ପୂର୍ବ ଭାରତର ବିକାଶ ଇଞ୍ଜିନ ହେବାକୁ ଯାଉଛି ବୋଲି ସେ ବର୍ଣ୍ଣନା କରିଥିଲେ।
“ଶିଳ୍ପ କ୍ଷେତ୍ରରେ ଏକ ପ୍ରମୁଖ ହବ୍ ହେବା ସହ ଅର୍ଥନେତିକ ଦୃଷ୍ଟିରୁ ଦେଶର ପ୍ରଥମ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବାକୁ ଯାଉଛି ଓଡ଼ିଶା। ‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍’ ପାଇଁ ସାରା ବିଶ୍ୱ ଆଜି ଓଡ଼ିଶାରେ ଏକାଠି ହୋଇଛି। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ନିବେଶକଙ୍କ ମଧ୍ୟରେ ଏବେ ପ୍ରତିଯୋଗିତା ଆରମ୍ଭ ହୋଇଛି”, ସମ୍ମିଳନୀର ଶୁଭାରମ୍ଭ ଅବସରରେ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ନିବେଶକ ସମ୍ମିଳନୀରେ ଯୋଗ ଦେଇଥିବା ଭାରତର ଶିଳ୍ପ ଜଗତର ହସ୍ତୀମାନଙ୍କ ମଧ୍ୟରେ ଅଛନ୍ତି ବେଦାନ୍ତ ରିସୋର୍ସେସ ଲିମିଟେଡର ପ୍ରତିଷ୍ଠାତା ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା, ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଅଦାନି ପୋର୍ଟସ ଆଣ୍ଡ୍ ଏସ୍ଇଜେଡ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ କରଣ ଅଦାନି, ଟାଟା ଷ୍ଟିଲର ପରିଚାଳନା ନିର୍ଦ୍ଦେଶକ ଟି.ଭି. ନରେନ୍ଦ୍ରନ, ଆଇଓସିଏଲର ପରିଚାଳନା ନିର୍ଦ୍ଦେଶକ ଏ.ଏସ୍. ସାହାନୀ ଏବଂ ୱେଲସ୍ପନ ଗ୍ରୁପ୍ ଅଧ୍ୟକ୍ଷ ବି.କେ. ଗୋଏଙ୍କା ପ୍ରମୁଖ।
“ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶା ଏକ ପ୍ରକୃଷ୍ଟ ସ୍ଥାନ। ଏ ରାଜ୍ୟର ମାଟି ତଳେ ଯେତିକି ସମ୍ପଦ ରହିଛି, ମାଟି ଉପରେ ମଧ୍ୟ ସେତିକି ସମ୍ଭାବନା ରହିଛି। ଏସବୁ ଆଗାମୀ ଦିନରେ ଷ୍ଟାର୍ଟଅପ୍ ଏବଂ ଏମଏସଏମଇ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା ଅନେକ ସୁଯୋଗ ସୃଷ୍ଟି କରିବ”, କହିଛନ୍ତି ବେଦାନ୍ତ ରିସୋର୍ସେସ୍ ଲିମିଟେଡର ପ୍ରତିଷ୍ଠାତା ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ।
“ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଏବଂ ଶିଳ୍ପ ନୀତି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ହେଉ ଅବା ଉଦ୍ୟୋଗ ପ୍ରତିଷ୍ଠା, ଏସବୁଥିରେ ଆଗରେ ରହିଛି ଓଡ଼ିଶା। ବିକଶିତ ଭାରତର ଉଦୟ ଓଡ଼ିଶାରୁ ହିଁ ହେବାକୁ ଯାଉଛି”, କହିଛନ୍ତି ଅନୀଲ ଅଗ୍ରୱାଲ।
“ଓଡ଼ିଶା ହେଉଛି ଅସୀମ ସମ୍ଭାବନାର ରାଜ୍ୟ। ଏହାର ପ୍ରକୃତିଦତ୍ତ ସମ୍ବଳ, ଦକ୍ଷ ମାନବ ସମ୍ବଳ ଏବଂ ନିବେଶ ଅନୁକୂଳ ନୀତି ତଥା ପଦକ୍ଷେପ ଯୋଗୁଁ ଓଡ଼ିଶା ସମସ୍ତଙ୍କ ପାଇଁ ଆକର୍ଷଣ ହୋଇପାରିଛି। ଆମେ ଏଠାରେ ୧ ଲକ୍ଷ କୋଟି ଟଙ୍କାର ନିବେଶ କରିଛୁ। ଏହା ଫଳରେ ୪୫ ହଜାର ଲୋକ ସିଧାସଳଖ ଏବଂ ୨ ଲକ୍ଷ ଲୋକ ପରୋକ୍ଷ ଭାବେ ରୋଜଗାର ପାଇପାରିଛନ୍ତି। ଆଗକୁ ଆହୁରି ୭୦ ହଜାର କୋଟି ଟଙ୍କାର ନିବେଶ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି”, ସୂଚନା ଦେଇ କହିଛନ୍ତି ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ।
“ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଳିଷ୍ଠ ନେତୃତ୍ୱରେ ଓଡ଼ିଶା ନିବେଶ ପାଇଁ ଅନୁକୂଳ ଅସୀମ ସୁଯୋଗ ସୃଷ୍ଟି କରିଛି। ଏଠାରେ ଆମେ ନିବେଶ କରି ଏ ରାଜ୍ୟର ବିକାଶ ଓ ଅଭିବୃଦ୍ଧି କ୍ଷେତ୍ରରେ ଭାଗୀଦାର ହୋଇପାରିଛୁ”, କହିଛନ୍ତି ଅଦାନି ପୋର୍ଟସ ଆଣ୍ଡ୍ ଏସ୍ଇଜେଡ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ କରଣ ଅଦାନି।
“ପ୍ରଧାନମନ୍ତ୍ରୀଙ୍କ ଆଗମନ ଫଳରେ ଶିଳ୍ପପତିମାନଙ୍କ ଉତ୍ସାହ ବୃଦ୍ଧି ପାଇଛି। ଏବେ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ପରିପୂର୍ଣ୍ଣ ହେବ। ରାଜ୍ୟବାସୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତା’ଠାରୁ ଅଧିକ ପୁଞ୍ଜିନିବେଶ ଆସିବ। ଯେଉଁ କ୍ଷେତ୍ରରେ ରାଜ୍ୟକୁ ନିବେଶ ଆସୁନଥିଲା, ସେହିସବୁ କ୍ଷେତ୍ରରେ ମଧ୍ୟ ନିବେଶ ଆସିବ। ପୂର୍ବ ଭାରତର ବିକାଶରେ ଓଡ଼ିଶା ମୁଖ୍ୟ ଇଞ୍ଜିନ ହେବା ସହ ସମୃଦ୍ଧ ଓଡ଼ିଶା ଗଠନରେ ‘ଉତ୍କର୍ଷ ଓଡ଼ିଶା’ ବିଶେଷ ସହାୟକ ହେବ”, ଏହି ଅବସରରେ କହିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।
ସେହିପରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, “ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆମ ପାଇଁ ସୌଭାଗ୍ୟର କଥା। ଖଣି, ଖାଦାନଠାରୁ ଆରମ୍ଭ କରି ବିସ୍ତୀର୍ଣ୍ଣ ବେଳାଭୂମି ଥିବାରୁ ରାଜ୍ୟରେ ଶିଳ୍ପ ବିକାଶ ପାଇଁ ଅପାର ସୁଯୋଗ ରହିଛି। ତେଣୁ ପ୍ରମୁଖ ନିବେଶକ ଓ ଉଦ୍ୟୋଗୀମାନେ ଓଡ଼ିଶା ପ୍ରତି ଆକୃଷ୍ଟ ହେଉଛନ୍ତି।”
ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ସହ ଶିଳ୍ପାୟନ କ୍ଷେତ୍ରରେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ ‘ଉତ୍କର୍ଷ ଓଡ଼ିଶା’। ଏହି ସମ୍ମିଳନୀ ଆୟୋଜନ ଦ୍ୱାରା ଓଡ଼ିଶାରେ ଥିବା ଷ୍ଟାର୍ଟଅପ୍, ଏମଏସଏମଇ ଏବଂ ବିଭିନ୍ନ ଉଦ୍ୟୋଗଗୁଡ଼ିକ ପାଇଁ ମଧ୍ୟ ବ୍ୟାପକ ସୁଯୋଗ ସୃଷ୍ଟି ହେବ।
Tags: #UtkarshOdishaMakeInOdishaConclave2025 #UtkarshOdishaConclave #InvestOdisha #PMNarendraModi #CMOdisha