ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୨୬ ତାରିଖରେ ମହାଶିବରାତ୍ରି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଚାଲିଛି ପ୍ରସ୍ତୁତି। ମହାଶିବରାତ୍ରି ପାଇଁ  ମନ୍ଦିରରେ ରାତି ୧୦ଟା ବେଳେ ମହାଦୀପ ଉଠିବ। ଏହି ସମୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏନେଇ ସୋମବାର ସମନ୍ୱୟ କମିଟି ବୈଠକରେ ସର୍ବସମତି କ୍ରମେ ନିଷ୍ପତି ନିଆଯାଇଛି।

ମହାଶିବରାତ୍ରିରେ ଲିଙ୍ଗରାଜ ମନ୍ଦିର ତଥା ଭୁବନେଶ୍ଵର ସହରରେ ଆଇନଶୃଙ୍ଖଳା ବ୍ୟବସ୍ଥା ଓ ଟ୍ରାଫିକ୍‌ ପରିଚାଳନା ପାଇଁ ୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ଭୁବନେଶ୍ୱର ଡିସିପି ପିନାକ ମିଶ୍ର ପୋଲିସ ବ୍ୟବସ୍ଥାର ତତ୍ତ୍ୱାବଧାନ କରିବେ। ମନ୍ଦିର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଯାଇ ସମଗ୍ର ଅଞ୍ଚଳରେ ନଜର ରଖାଯିବ।

ସେହିପରି ଭକ୍ତମାନେ ଯେପରି ଧାଡ଼ିରେ ଯାଇ ପ୍ରଭୁଙ୍କୁ ଦର୍ଶନ କରିବେ ସେ ଉପରେ ଦୃଷ୍ଟି ଦିଆଯାଇଛି। ଏହାସହ ଅଗ୍ନିଶମ ସେବା ତଥା ଆସ୍ଥାୟୀ ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ ଅତ୍ୟାବଶ୍ୟକ ସେବା ଉପରେ ଗୁରୁତ୍ୱାରାପ କରାଯିବ।

ମହାଶିବରାତ୍ରି ପାଇଁ ପୂର୍ବ ରାତ୍ର ୨ଟା ୩୦ ମିନିଟରେ ମନ୍ଦିର ଲିଙ୍ଗରାଜ ଦ୍ୱାର ଖୋଲିବ। ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବାପରେ ଭୋର ୩ ଟା ୧୦ରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ। ମହାଶିବରାତ୍ରିକୁ ଜାକଜମକରେ ପାଳନ କରିବା ପାଇଁ ମନ୍ଦିର ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ବୈଠକରେ ସ୍ଥିର କରାଯାଇଛି।

Tags: #Mahashivratri #LingarajTemple #Culture #Bhubaneswar #Odisha

LEAVE A REPLY

Please enter your comment!
Please enter your name here