ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି, ବୁଧବାର ଦିନ ମହାଶିବରାତ୍ରୀ। ଏଥିପାଇଁ ରାଜ୍ୟର ସମସ୍ତ ଶିବମନ୍ଦିରମାନଙ୍କରେ ଜୋରସୋର ଚାଲିଛି ପ୍ରସ୍ତୁତି। ଭୁବନେଶ୍ଵରସ୍ଥିତ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ମହାଶିବରାତ୍ରୀ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି।
ଲିଙ୍ଗରାଜ ମନ୍ଦିର ପରିସରରେ ଭକ୍ତଙ୍କ ସୁରକ୍ଷା ଏବଂ ସୁବିଧା ଦର୍ଶନ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତ, ସେବାୟତ ଓ ସେମାନଙ୍କ ପରିବାର ତଥା ଭିଆଇପିମାନଙ୍କ ଲାଗି ମହାଶିବରାତ୍ରୀ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ଧାଡ଼ିରେ ଯାଇ ଭକ୍ତମାନେ ଯେପରି ସୁବିଧାରେ ମହାପ୍ରଭୁ ଲିଙ୍ଗରାଜଙ୍କର ଦର୍ଶନ ତଥା ପୂଜାର୍ଚ୍ଚନା କରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।
ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ମହାପଦୀ ଉଠିବ ନେଇ ନିଷ୍ପତ୍ତି ହୋଇଛି। ମହାଶିବରାତ୍ରୀ ପାଇଁ ପୂର୍ବ ରାତ୍ର ୨ଟା ୩୦ ମିନିଟରେ ମନ୍ଦିର ଲିଙ୍ଗରାଜ ଦ୍ୱାର ଖୋଲିବ। ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବାପରେ ଭୋର ୩ଟା ୧୦ରୁ ସାହାଣ ମେଲା ଦର୍ଶନ ଆରମ୍ଭ ହେବ।
ମହାଶିବରାତ୍ରୀରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିବ ଏକାମ୍ରକ୍ଷେତ୍ର। ସୁରକ୍ଷା ଦାୟିତ୍ଵରେ ରହିବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ। ୧୦୦ରୁ ଅଧିକ ଅଧିକାରୀ ମୁତୟନ ହେବେ। ମନ୍ଦିର ତଥା ଭୁବନେଶ୍ଵର ସହରରେ ଆଇନଶୃଙ୍ଖଳା ବ୍ୟବସ୍ଥା ଓ ଟ୍ରାଫିକ୍ ପରିଚାଳନା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମନ୍ଦିର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଯାଇ ସମଗ୍ର ଅଞ୍ଚଳ ଉପରେ ନଜର ରଖାଯିବ।
ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଭଳି ରାଜ୍ୟର ପ୍ରମୁଖ ଶୈବପୀଡ଼ଗୁଡ଼ିକରେ ମଧ୍ୟ ମହାଶିବରାତ୍ରୀ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ପୁରୀର ଶ୍ରୀଲୋକନାଥ ମନ୍ଦିରରେ ଶିବରାତ୍ରୀ ପୂର୍ବରୁ ଲାଗିଛି ଭକ୍ତଙ୍କ ଭିଡ଼। ମହାଶିବରାତ୍ରୀ ଅବସରରେ ଭିତରଠାକ ଦର୍ଶନର ବ୍ୟବସ୍ଥା ହୋଇଛି। ସେହିପରି ଆଠଗଡ଼ର ଆରାଧ୍ୟ ଦେବ ବାବା ଧବଳେଶ୍ଵରଙ୍କ ପୀଠରେ ମଧ୍ୟ ମହାଶିବରାତ୍ରୀ ପାଇଁ ବ୍ୟବାପକ ବ୍ୟବସ୍ଥା ହୋଇଛି।
ଢେଙ୍କାନାଳ ଜିଲ୍ଲାର ବାବା କପିଳାସଙ୍କ ପୀଠ, ଆରଡ଼ିର ଆଖଣ୍ଡଳମଣି, ବଲାଙ୍ଗିରର ହରିଶଙ୍କର ମନ୍ଦିର, କୋରାପୁରଟର ଗୁପ୍ତେଶ୍ଵର ମନ୍ଦିର ଆଦିରେ ମହାଶିବରାତ୍ରୀ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାରାଇଛି। ଏହି ଶୈବପୀଠମାନଙ୍କରେ ଭକ୍ତଙ୍କର ପ୍ରବଳ ଭିଡ଼ ଜମିବାର ସମ୍ଭାବନା ରହିଥିବାରୁ ଏଠାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି।
Tags: #Mahashivratri #LingarajTemple #Culture #Bhubaneswar #Odisha #Gupteswar #KapilashTemple