ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ପବିତ୍ର ମହାଶିବରାତ୍ରୀ। ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଆଜିର ଦିନରେ ବ୍ରତ ପାଳନ କରୁଥିବା ଭକ୍ତ ଚାହିଁ ରହିଛନ୍ତି ମହାଦୀପ ଉଠିବା ସମୟକୁ।
ମହାଶିବରାତ୍ରୀ ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, ଲୋକନାଥ, ଆଖଣ୍ଡଳମଣି, କପିଳାସ ମନ୍ଦିର ଭଳି ଓଡ଼ିଶାର ପ୍ରମୁଖ ଶୈବପୀଠରେ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଭିଡ଼ ଜମାଇଛନ୍ତି। ଭକ୍ତମାନଙ୍କ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ଓ ଦୀପ ଜାଳିବା ନେଇ ବିଭିନ୍ନ ଶୈବପୀଠରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ସେହିପରି ମହାଶିବରାତ୍ରୀ ଲାଗି ଶୁକ୍ରବାର ଭୋରରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ମଙ୍ଗଳ ଆଳତୀ ଏବଂ ଅବକାଶ ପରେ ଏଠାରେ ସାହାଣ ମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି।
ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ଚଳିତବର୍ଷ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ଏଥିପାଇଁ ମନ୍ଦିର ଆଖପାଖ ଅଞ୍ଚଳରେ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି।
Tags: #MahaShivaratri #Jagara #Devotees #ShivaTemple #LingarajTemple #Odisha