ଓଡ଼ିଶାଲାଇଭ୍ ବ୍ୟୁରୋ

ତାମିଲନାଡୁରେ ତୀବ୍ର ହେବାରେ ଲାଗିଛି ଭାଷା ଆନ୍ଦୋଳନ। ରାଜ୍ୟରେ ବଢ଼ିବାରେ ଲାଗିଛି ହିନ୍ଦୀ ଭାଷାର ବିରୋଧ। ଏମ କେ ଷ୍ଟାଲିନଙ୍କ ନେତୃତ୍ଵାଧୀନ ଡିଏମକେ ସରକାର ଏହାର ମୂଳରେ ରହିଛି। ଏବେ ତାମିଲନାଡୁ ବଜେଟ୍ ୨୦୨୫-୨୬ ଦସ୍ତାବିଜରୁ ଭାରତରେ ପ୍ରଚଳିତ ଟଙ୍କା ସଙ୍କେତକୁ ବଦଳାଇ ଦେଇଛନ୍ତି ସେଠାରେ ସରକାର। ଶୁକ୍ରବାର ରାଜ୍ୟ ବଜେଟ୍‌ ଉପସ୍ଥାପନାବେଳେ ଏଥିରେ ଟଙ୍କା ପ୍ରତୀକ ବଦଳରେ ତାମିଲ ଅକ୍ଷର ‘ଋ’ ବ୍ୟବହାର ହୋଇଥିବା ଦେଖିବାକୁ ମିଳିଛି।

ଡିଏମକେ ସରକାର ଏହି ପରିବର୍ତ୍ତନକୁ ତାମିଲ ଭାଷା ପ୍ରତି ସମ୍ମାନ କହି ଉପସ୍ଥାପନ କରିଥିବାବେଳେ ବିରୋଧୀ ଦଳ ବିଜେପି ଏହାକୁ କଡ଼ା ସମାଲୋଚନା କରିଛନ୍ତି। ବିଜେପି ଏହା ଜାତୀୟ ପ୍ରତୀକ ପ୍ରତି ଅସମ୍ମାନ ବୋଲି କହି ସରକାରଙ୍କୁ ଟାର୍ଗେଟ କରିଛି।

ତେବେ ତାମିଲନାଡୁରେ ଡିଏମକେ ଏବଂ ବିଜେପି ମଧ୍ୟରେ ହିନ୍ଦୀ ଭାଷା ବିବାଦ ସହ ନିର୍ବାଚନୀ ସୀମା ନିର୍ଦ୍ଧାରଣକୁ ନେଇ ବହୁଦିନ ହେଲା ବିବାଦ ଲାଗିରହିଛି। ଶୁକ୍ରବାର ରାଜ୍ୟର ଅର୍ଥମନ୍ତ୍ରୀ ଡକ୍ଟର ପଲାନିଭେଲ ଥିୟାଗରାଜନ ବିଧାନସଭାରେ ୨୦୨୫-୨୬ ବଜେଟ୍ ଉପସ୍ଥାପନ କରିବା ପରେ ଏହି ବିବାଦ ଆହୁରି ତୀବ୍ର ହୋଇଛି।

ବଜେଟ ଅଧିବେଶନରେ, ଡିଏମକେ ସରକାର ସିଧାସଳଖ କେନ୍ଦ୍ର ଉପରେ ତାମିଲନାଡୁକୁ ଜାଣିଶୁଣି ଆର୍ଥିକ କ୍ଷତି ପହଞ୍ଚାଉଥିବା ଅଭିଯୋଗ କରିଛନ୍ତି।

ଡିଏମକେ ଦଳ ଦାବି କରିଛି ଯେ, ତାମିଲନାଡୁ ହିନ୍ଦୀ ଭାଷାକୁ ପ୍ରୋତ୍ସାହନ କରିବାକୁ ମନା କରୁଥିବାରୁ, ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ରାଜ୍ୟର ୨,୧୫୦ କୋଟି ଟଙ୍କାର ଅର୍ଥରାଶିକୁ ଅଟକାଇ ଦେଇଛନ୍ତି।

ଏ ବିଷୟରେ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ କେନ୍ଦ୍ରକୁ ସମାଲୋଚନା କରି କହିଛନ୍ତି ଯେ, “ଆମେ ବ୍ଲାକମେଲ୍‌ର ଶିକାର ହେବୁ ନାହିଁ, ତାମିଲନାଡୁ ଜାଣେ କିପରି ନିଜର ଭାଷା ଏବଂ ସଂସ୍କୃତିକୁ ସୁରକ୍ଷା ଦେବାକୁ ହୁଏ।”

ସେହିପରି ଅର୍ଥମନ୍ତ୍ରୀ ଥିୟାଗରାଜନ ବଜେଟ ଭାଷଣରେ ଦୁଇ ଭାଷା ନୀତି (ତାମିଲ + ଇଂରାଜୀ) ବିଷୟରେ ଉଲ୍ଲେଖ କରି କହିଛନ୍ତି, “ଏହି ନୀତି ଆଧାରରେ ତାମିଲନାଡୁ ବିଶ୍ୱ ସ୍ତରରେ ସଫଳତା ହାସଲ କରିଛି। ଆମର ଛାତ୍ରମାନେ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ରାଜ୍ୟର ଏହି ନୀତି ପ୍ରଭାବଶାଳୀ ହୋଇଛି ଏବଂ ହିନ୍ଦୀକୁ ତୃତୀୟ ଭାଷା ଭାବରେ ଲାଗୁ କରିବା ଅନ୍ୟାୟ।”

ନିର୍ବାଚନୀ ସୀମା ନିର୍ଦ୍ଧାରଣ ଉପରେ ଡିଏମକେ ବନାମ ବିଜେପି

ହିନ୍ଦୀ ଭାଷା ବିବାଦ ସହ ନିର୍ବାଚନୀ ସୀମା ନିର୍ଦ୍ଧାରଣକୁ ନେଇ ଡିଏମକେ ଏବଂ ବିଜେପି ମଧ୍ୟ ମୁହାଁମୁହିଁ ହୋଇଛନ୍ତି। ଡିଏମକେ ଅଭିଯୋଗ କରିଛି ଯେ, “ସୀମା ନିର୍ଦ୍ଧାରଣ ଦକ୍ଷିଣ ରାଜ୍ୟଗୁଡ଼ିକୁ କ୍ଷତି ପହଞ୍ଚାଇବ। ଆମର ଅନେକ ଆସନ କମିଯିବ। ଏବଂ ହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡ଼ିକରେ ବିଜେପି ରାଜନୈତିକ ଲାଭ ପାଇବ।”

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସାତଟି ରାଜ୍ୟର ନେତାଙ୍କୁ ଏକତ୍ରିତ ହେବାକୁ ନିମନ୍ତ୍ରଣ କରିଛନ୍ତି। ଏହି ବୈଠକରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଯୋଗଦେବେ।

ଭାଷା ବିବାଦର କାରଣ କ’ଣ?

ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ଅଧୀନରେ ନିର୍ଦ୍ଧାରିତ ବିଦ୍ୟାଳୟ ଶିକ୍ଷା ପାଇଁ ତ୍ରିଭାଷୀ ଫର୍ମୁଲାକୁ ନେଇ ବର୍ତ୍ତମାନର ଏହି ଭାଷା ବିବାଦ ଲାଗିଛି। ତାମିଲନାଡୁ ଶାସକ ଡିଏମ୍‌କେ କହିବା ଅନୁସାରେ, କେନ୍ଦ୍ର ସରକାର ଏହି ନୀତିର କାର୍ଯ୍ୟକାରିତା ଉପରେ ଜୋର ଦେଇ ରାଜ୍ୟ ଉପରେ ହିନ୍ଦୀ ଭାଷାକୁ ଲଦି ଦେବାକୁ ଚେଷ୍ଟା କରୁଛନ୍ତି।

ରାଜନୈତିକ ପରିସ୍ଥିତି କ’ଣ କହୁଛି?

ତାମିଲନାଡୁରେ, ୨୦୨୬ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ‘ହିନ୍ଦୀ ଭାଷାର ଲାଗୁ’ ଏବଂ ସୀମା ନିର୍ଦ୍ଧାରଣ ବିରୁଦ୍ଧରେ ଡିଏମକେର ଆକ୍ରମଣାତ୍ମକ ରଣନୀତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏହି ବିବାଦ କେବଳ ଆଞ୍ଚଳିକ ପରିଚୟ ନୁହେଁ ବରଂ ରାଜନୈତିକ ସମୀକରଣକୁ ମଧ୍ୟ ପ୍ରଭାବିତ କରିପାରେ।

ବିଜେପି ତାମିଲନାଡୁରେ ଦଳକୁ ତୃଣମୂଳସ୍ତରରୁ ମଜବୁତ କରିବାକୁ ଚେଷ୍ଟା କରୁଥିବାବେଳେ, ଡିଏମକେ ତା’ର ଭୋଟ ବ୍ୟାଙ୍କକୁ ଆହୁରି ମଜବୁତ କରିବା ପାଇଁ ରଣନୀତି ଆପଣେଇଛି। ଆଗାମୀ ଦିନରେ ଏହି ବିବାଦ କେଉଁ ନୂଆ ମୋଡ଼ ନେଉଛି ତାହା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #TamilNaduGovernment #RupeeSymbol #TamilLetter #Budget #BJPVsDMK

LEAVE A REPLY

Please enter your comment!
Please enter your name here