ସତୀଶ ଶର୍ମା

ଓଡ଼ିଶା ହକି ପୁନଃ ରାଜ୍ୟର ହକି ପ୍ରେମୀମାନଙ୍କୁ ନିରାଶ କରିଛି। ଗତ ମାସ ଉତ୍ତରାଖଣ୍ଡରେ ଆୟୋଜିତ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ଉଭୟ ମହିଳା ଓ ପୁରୁଷ ଦଳ ସେମିଫାଇନଲରେ ବି ପ୍ରବେଶ ପାଇବାରେ ବିଫଳ ହୋଇ ଥିଲେ। ଏବେ ଆଉ ଏକ ଜାତୀୟ କ୍ରୀଡ଼ାରେ ରାଜ୍ୟର ବରିଷ୍ଠ ମହିଳା ଦଳର ଖରାପ ପ୍ରଦର୍ଶନ ସମସ୍ତ କ୍ରୀଡ଼ା ପ୍ରେମୀମାନଙ୍କୁ ଗଭୀର ଆଘାତ ଦେଇଛି।
ହରିୟାଣାର ପଞ୍ଚକୁଲାଠାରେ ଆୟୋଜିତ ୧୫ତମ ବରିଷ୍ଠ ମହିଳା ଜାତୀୟ ହକି ଚାମ୍ପିୟନସିପରେ ପଦକ ଜିତିବାର ପ୍ରବଳ ଦାବିଦାର ଓଡ଼ିଶା ଦଳ ପଦକ ତ ଦୁରର କଥା କ୍ଵାର୍ଟର ଫାଇନଲରେ ସ୍ଥାନ ପାଇ ପାରିଲା ନାହିଁ। ବାରହ ଶ୍ରେଷ୍ଠ ଦଳକୁ ନେଇ ଗଠିତ ଏ ଡିଭିଜନରେ ଓଡ଼ିଶା ଦଶମ ସ୍ଥାନରେ ରହିଲା।
ହକି ଇଣ୍ଡିଆ ଚଳିତ ବର୍ଷରେ ଜାତୀୟ ହକି ଚାମ୍ପିୟନସିପ ନୂଆ ଫରମେଟରେ ଆୟୋଜନ କରିଛି। ଏଥିରେ ରାଜ୍ୟର ହକି ଦଳଗୁଡ଼ିକୁ ୩ଟି ଅଲଗା ଅଲଗା ଡିଭିଜନରେ ବିଭକ୍ତ କରାଯାଇଛି। ଶ୍ରେଷ୍ଠ ୧୨ଟି ରାଜ୍ୟକୁ ଡିଭିଜନ ‘ଏ’ରେ, ଏହାପରେ ଥିବା ୯ଟି ରାଜ୍ୟକୁ ଡିଭିଜନ ‘ବି’ରେ ଏବଂ ଶେଷ ୭ଟି ରାଜ୍ୟକୁ ଡିଭିଜନ ‘ସି’ରେ ରଖି ଚାମ୍ପିୟନସିପର ଆୟୋଜନ ହୋଇଥିଲା।
ଏହା ସହିତ ହକି ଇଣ୍ଡିଆ ପଦୋନ୍ନତି ଓ ଅବନତିର ଫାର୍ମୁଲା ଲାଗୁ ମଧ୍ୟ କରିଛି। ଫାର୍ମୁଲା ଅନୁସାରେ ଡିଭିଜନ ‘ଏ’ ଏବଂ ଡିଭିଜନ ‘ବି’ର ଦୁଇ ନିମ୍ନ ସ୍ଥାନରେ ରହିଥିବା ଦଳ ଯଥାକ୍ରମେ ଡିଭିଜନ ‘ବି’ ଏବଂ ଡିଭିଜନ ‘ସି’କୁ ଖସି ଯିବେ। ସେହି ପ୍ରକାର ଡିଭିଜନ ‘ବି’ ଏବଂ ଡିଭିଜନ ‘ସି’ର ଦୁଇ ଶ୍ରେଷ୍ଠ ଦଳ ଉପର ଡିଭିଜନରେ ଉନ୍ନତ ହେବେ।
ଓଡ଼ିଶା ଏକ ଶକ୍ତିଶାଳୀ ଦଳ ଭାବେ ଜଣା ଶୁଣା ହୋଇଥିବାରୁ ଡିଭିଜନ ‘ଏ’ ରେ ସ୍ଥାନ ପାଇଥିଲା। ଡିଭିଜନ ‘ଏ’ ର ୧୨ଟି ଦଳକୁ ୪ଟି ଗ୍ରୁପରେ ରଖାଯାଇ ଲିଗ ଭିତ୍ତିରେ ମ୍ୟାଚ ଆୟୋଜନ କର ଯାଇଥିଲା। ପ୍ରତି ଗ୍ରୁପରୁ ୨ଟି ଦଳ କ୍ୱାର୍ଟରଫାଇନଲରେ ପ୍ରବେଶ କରିଥାନ୍ତେ। ଓଡ଼ିଶାକୁ ହରିୟାଣା ଏବଂ କର୍ଣ୍ଣାଟକ ସହ ଗୋଟିଏ ଗ୍ରୁପରେ ରଖାଯାଇଥିଲା । ଏହି ବର୍ଗରେ ଓଡ଼ିଶା ନିଜର ୨ଟି ଯାକ ମ୍ୟାଚରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଲା।
ମାର୍ଚ୍ଚ ୬ ତାରିଖରେ ପ୍ରଥମ ମ୍ୟାଚରେ ଆୟୋଜକ ହରିୟାଣା ଓଡ଼ିଶାକୁ ୩-୦ ଗୋଲରେ ପରାସ୍ତ କଲା। ଏହାପରେ ଦ୍ଵିତୀୟ ମ୍ୟାଚରେ କର୍ଣ୍ଣାଟକ ମଧ୍ୟ ଓଡ଼ିଶାକୁ ୨-୧ ଗୋଲରେ ପରାସ୍ତ କରି ଘରକୁ ଫେରିଯିବାକୁ ବାଧ୍ୟ କଲା। ତେବେ ୧୨ ଟିମ୍ ବିଶିଷ୍ଟ ଏ ଡିଭିଜନରେ ଓଡିଶା ଦଶମ ସ୍ଥାନରେ ରହି ଅଳ୍ପକେ ‘ବି’ ଡିଭିଜନକୁ ଖସିବାରୁ ବଞ୍ଚିଗଲା।
ଓଡ଼ିଶା ଦଳର ଖରାପ ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନ
ଓଡ଼ିଶା ଭାରତୀୟ ହକିର ପ୍ରାୟୋଜକ। ହକି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ଖେଳାଳିମାନଙ୍କୁ ସବୁପ୍ରକାର ସୁବିଧା ଯୋଗାଉଛି। ହେଲେ ଆମର ନିଜର ପ୍ରଦର୍ଶନ ତଳମୁଁହା ହେବାରେ ଲାଗିଛି।
ଏଠି ଦୁଇଟା ପ୍ରଶ୍ନ ଉଠୁଛି। ଆମ ପାଖରେ ପ୍ରତିଭାର ଅଭାବ ହୋଇଛି? କି ରାଜ୍ୟ ହକି ସଂଘ ପ୍ରତିଭାର ସଦୁପଯୋଗ କରିବାରେ ବିଫଳ ହୋଉଛି?
ପ୍ରଥମ କଥା ଆମର ପାଖରେ ପ୍ରତିଭାର ଅଭାବ ନାହିଁ। ସବୁ ଜାତୀୟ ଦଳରେ ଓଡ଼ିଆ ଖେଳାଳି ସ୍ଥାନ ପାଉଛନ୍ତି। ଏହା ଆମର ପ୍ରତିଭାର ପ୍ରମାଣ ଦେଉଛି। ତେବେ ଜାତୀୟ ପ୍ରତିଯୋଗିତା ପାଇଁ ଦଳ ଗଠନରେ ଦୁର୍ବଳତା ଦେଖା ଦେଉଛି।
୧୫ ତମ ବରିଷ୍ଠ ମହିଳା ଜାତୀୟ ହକି ଚାମ୍ପିୟନସିପ ପାଇଁ ଓଡ଼ିଶା ଦଳକୁ ତରବରିଆ ଭାବେ ତିଆର କରା ଯାଇଥିଲା। ହରିୟାଣା ଯିବା ପୂର୍ବରୁ ଲଗାଯାଇ ଥିବା ଶିବିରରେ ଅନେକ ଖେଳାଳି ବିଳମ୍ବରେ ଯୋଗ ଦେଇଥିଲେ। ଶିବିର ଚାଲିଥୁବା ସମୟରେ ଭୁବନେଶ୍ୱରରେ ଆନ୍ତଃ ବିଶ୍ଵବିଦ୍ୟାଳୟ ହକି ଟୁର୍ଣ୍ଣାମେଣ୍ଟ ଚାଲି ଥିଲା। ରାଜ୍ୟ ଶିବିରରେ ନାମିତ ଅନେକ ଖେଳାଳୀ କିଟ ବିଶ୍ଵବିଦ୍ୟାଳୟ ତରଫରୁ ଖେଳୁଥିବାରୁ ଶିବିରରେ ବିଳମ୍ବରେ ଯୋଗ ଦେଲେ।
ଏତିକି ନୁହେଁ ବରଣ ଦଳ ସହ ଯାଇ ଥିବା କୋଚ୍ ମଧ୍ୟ ଶେଷ ମୁହୂର୍ତ୍ତରେ ଦଳର ଦାୟିତ୍ଵ ନେଲେ। ଖେଳାଳିମାନଙ୍କ ପାଇଁ ରାଜ୍ୟ ଅପେକ୍ଷା ବିଶ୍ଵବିଦ୍ୟାଳୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଏହା ଆଶ୍ଚର୍ଯ୍ୟର କଥା। ଏହା ରାଜ୍ୟ ହକି ସଂଘରେ ଯୋଜନା, ସମନ୍ଵୟ ଏବଂ ଦୁରଦର୍ଶିତାର ଅଭାବକୁ ମଧ୍ୟ ଦର୍ଶାଉଛି।
ଶିବିରରେ ମନୋନୟନ ପାଇଁ ଦୁଇ ପୂର୍ବ ଅଲିମ୍ପିକ ଖେଳାଳି ସୁନିତା ଲାକ୍ରା ଏବଂ ନମିତା ଟପ୍ପୋଙ୍କୁ ଡକା ଯାଇଥିଲା। ହେଲେ ଦୁଇ ଜଣଙ୍କୁ ଦଳରେ ସ୍ଥାନ ଦିଆଗଲାନାହିଁ। ଫେବ୍ରୁଆରି ମାସରେ ଉତ୍ତରଖଣ୍ଡରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ା ପାଇଁ ମଧ୍ୟ ଉଭୟ ଖେଳାଳିଙ୍କୁ ଚୟନ ପାଇଁ ଡାକି ଚୟନ କରାଯାଇନଥିଲା। ଯଦି ରାଜ୍ୟ ହକି ସଂଘ ଉଭୟ ବରିଷ୍ଠ ଖେଳାଳିଙ୍କୁ ଚୟନ କରିବାକୁ ଚାହୁଁ ନଥିଲା ତ ସେମାନଙ୍କୁ ଡାକି ଅପମାନିତ କାହିଁକି କରାଗଲା?
ରାଜ୍ୟରେ ବର୍ତ୍ତମାନ ହକି ପ୍ରଶିକ୍ଷଣ ପାଇଁ ଘରୋଇ କୋଚମାନଙ୍କୁ ଉପେକ୍ଷା କରି ବାହାର ରାଜ୍ୟର ନାମକରା କୋଚମାନଙ୍କୁ ଆଣି ଦାୟିତ୍ଵ ଦିଆ ଯାଇଛି। ଅତୀତରେ ଜାତୀୟ ପ୍ରତିଯୋଗିତାରେ ରାଜ୍ୟ ଦଳକୁ ମିଳିଥିବା ସଫଳତା ପଛରେ ଅଧିକାଂଶ କୋଚ୍ ଓଡ଼ିଶାର ହିଁ ଥିଲେ। ଆମ ରାଜ୍ୟର ପାନପୋଷ ହକି ଛାତ୍ରାବାସରୁ ଯେତେ ଅନ୍ତର୍ଜାତୀୟ ଖେଳାଳି ତିଆର ହୋଇଛନ୍ତି ସେମାନଙ୍କୁ ରାଜ୍ୟର ପ୍ରଶିକ୍ଷକମାନେ ଗଢ଼ିଥିଲେ। ଘରୋଇ କୋଚମାନେ ଆଗରୁ ପଦକ ଆଣୁଥିଲେ। ଏବେ ବାହାର କୋଚମାନଙ୍କ ହାତରେ ପ୍ରଶିକ୍ଷଣର ଦାୟିତ୍ଵ ଦେବାର ସମୀକ୍ଷା ହେବାର ଆବଶ୍ୟକତା ଅଛି।
ରାଜ୍ୟ ସରକାର ହକି ବିକାଶ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହକିର ବିକାଶ ମଧ୍ୟ ଦେଖା ଦେଉଛି। ଓଡ଼ିଶା ଏବେ ଶ୍ରେଷ୍ଠ ଆୟୋଜକ ଭାବେ ପରିଗଣିତ। କିନ୍ତୁ ସଙ୍ଗେ ସଙ୍ଗେ ରାଜ୍ୟ ହକିର ବିକାଶର ଚିନ୍ତା କରିବା ଦରକାର।
କାଁ ଭାଁ ଗୋଟିଏ ଟୁର୍ଣ୍ଣାମେଣ୍ଟ ଜିତିଲେ ଦଳର ବିକାଶ ହୋଇଯାଇଛି କହିବା ଠିକ ନୁହେଁ। ସବୁ ସ୍ତରରେ ଦଳର ପ୍ରଦର୍ଶନରେ ନିରନ୍ତରତା ରହିଲେ ହିଁ ଆମେ ବିକାଶ ହୋଇଛି ବୋଲି କହି ପାରିବୁ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ରାଜ୍ୟ ହକି ସଂଘ ଏଥିପ୍ରତି ଗଭୀର ଭାବେ ବିଚାର ଓ ସମୀକ୍ଷା କରିବା ଆବଶ୍ୟକ।
(ଲେଖକ ହେଉଛନ୍ତି ଜଣେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ।)
Tags: #OdishaWomensHockeyTeam #NationalChampionship #HockeyOdisha #Sports