ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିର ‘ହକ୍ ପାଇଁ ହରତାଲ୍’କୁ ୧୨ ଘଣ୍ଟା ପୂରିବା ଆଗରୁ ଲାଗିଛି ଏକ ବଡ଼ ଝଟ୍କା। ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇର ରାତି ଅଧିଆ ଗିରଫ ପରେ ଏବେ ଦଳ କ’ଣ ପଦକ୍ଷେପ ନେବ, ତା’ ଉପରେ ରାଜ୍ୟବାସୀଙ୍କ ନଜର। ସେପଟେ ଚିଟ୍ଫଣ୍ଡ ମାମଲାରେ ଦୀର୍ଘ ୪ ବର୍ଷ ଧରି ତଦନ୍ତ ଚଳାଇଥିବା ସିବିଆଇ ଏଭଳି ଏକ ସମୟରେ ବିଜେଡି ବିଧାୟକଙ୍କୁ ଗିରଫ କରିବା ରାଜନୈତିକ ଉଦ୍ଦେଶ୍ୟମୂଳକ ନା କାକତାଳୀୟ – ଏହା ହେଉଛି ଆଜିର ସବୁଠୁ ବଡ଼ ଚର୍ଚ୍ଚା।
ସିସୋର ଚିଟ୍ଫଣ୍ଡ ସଂସ୍ଥା ସହ ଲିଙ୍କ୍ ଏବଂ ବେଆଇନ ଆର୍ଥିକ କାରବାର ସନ୍ଦେହ କରି ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିଛି ସିବିଆଇ। ସୋମବାର ବିଳମ୍ବିତ ରାତିରେ ପ୍ରଭାତଙ୍କୁ ଗିରଫ କରାଯାଇଛି। ତାଙ୍କୁ ମାରାଥନ ଜେରା କରୁଛନ୍ତି ସିବିଆଇ ଅଧିକାରୀ।
ସିସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ୨୦୧୪ ନଭେମ୍ବର ମାସରୁ ସିବିଆଇ ସ୍କାନରରେ ଥିଲେ ବିଧାୟକ ପ୍ରଭାତ ବିଶ୍ୱାଳ ଏବଂ ତାଙ୍କ ପତ୍ନୀ ତଥା ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ। ପ୍ରଭାତ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଥିଲା, ସେମାନେ ସିସୋର ସଂସ୍ଥା ମୁଖ୍ୟ ପ୍ରଶାନ୍ତ ଦାଶଙ୍କଠାରୁ ୨୯ ଲକ୍ଷ ଟଙ୍କା ନେଇଥିଲେ। ଆଉ ଏହି ଟଙ୍କା ଫେରସ୍ତ ହୋଇନାହିଁ। ତେବେ ପ୍ରଭାତ ବିଶ୍ୱାଳଙ୍କ ଯୁକ୍ତି ଥିଲା, ତାଙ୍କ ପତ୍ନୀଙ୍କ ନାଁରେ ଯାଜପୁର ବେଣାପୁର ଗାଁରେ ଥିବା ଏକ ଜମି କିଣିବା ଲାଗି ପ୍ରଶାନ୍ତ ଦାଶ ଅଗ୍ରିମ ଆକାରରେ ଟଙ୍କା ଦେଇଥିଲେ।
ପରେ ସେହି ଡିଲ୍ ବାତିଲ ହୋଇଯିବାରୁ ପ୍ରଶାନ୍ତ ଦାଶଙ୍କୁ ତାଙ୍କର ସବୁ ଟଙ୍କା ଫେରାଇ ଦିଆଯାଇଥିଲା। ତେବେ ପ୍ରଭାତଙ୍କ ଯୁକ୍ତି ଏବଂ ସେ ଦେଇଥିବା ଦଲିଲରେ ସନ୍ତୁଷ୍ଟ ହୋଇନଥିଲା ସିବିଆଇ। ଭିନ୍ନ ଭିନ୍ନ ସମୟରେ ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ ବିଧାୟକ ପ୍ରଭାତ ବିଶ୍ୱାଳ। ଏବେ ତାଙ୍କୁ ଗିରଫ କରାଯାଇଛି।
ଗତବର୍ଷ ନଭେମ୍ବରରେ ସିବିଆଇ ପକ୍ଷରୁ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କୁ ସମନ ଜାରି କରାଯାଇଥିଲା। ଲକ୍ଷ୍ମୀ ବିଳାସିନୀଙ୍କ ତରଫରୁ ତାଙ୍କର ଜଣେ କର୍ମଚାରୀ ସିବିଆଇରେ ହାଜର ହୋଇଥିଲେ। ସିବିଆଇ ମାଗିଥିବା ସମସ୍ତ ଡକ୍ୟୁମେଣ୍ଟ ଦିଆଯାଇଥିଲା ବୋଲି ପ୍ରଭାତ ସେତେବେଳେ ଗଣମାଧ୍ୟମକୁ କହିଥିଲେ।
ଚଳିତ ବର୍ଷ ଜାନୁଆରିରେ ସିସୋର ସଂସ୍ଥା ସହ ପ୍ରଭାତ ବିଶ୍ୱାଳଙ୍କ କି ଲିଙ୍କ ରହିଛି, ଏନେଇ ଖେଳତାଡ଼ କରିଥିଲା ସିବିଆଇ। ପ୍ରଭାତ ବିଶ୍ୱାଳଙ୍କ ଭୁବନେଶ୍ୱର ଓ କଟକ ବାସଭବନ ସମେତ ଅନେକ ସ୍ଥାନରେ ଚଢ଼ାଉ କରାଯାଇଥିଲା। ତେବେ ଏହା ପରେ ଆଉ କିଛି ଆଗେଇ ନଥିଲା ସିବିଆଇ। ଏହି ଘଟଣାକୁ ୮ ମାସ ବିତିଗଲା ପରେ ପୁଣି ସକ୍ରିୟ ହୋଇଉଠିଛି ସିବିଆଇ। ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି।
ସଂପୂର୍ଣ୍ଣ ଭାବେ ରାଜନୈତିକ ଆକ୍ରୋଶ ରଖି ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରାଯାଇଛି ବୋଲି ଅଭିଯୋଗ କରିଛି ବିଜେଡି। କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି ରାଜ୍ୟସଭା ସାଂସଦ ପ୍ରତାପ ଦେବ। ସେପଟେ ବିଜେପି ରାଜ୍ୟ ନେତାମାନେ କିନ୍ତୁ ସିବିଆଇର କାର୍ଯ୍ୟାନୁଷ୍ଠାନକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ବିଜେପି ଯୁକ୍ତି ବାଢିଛି, ଯେଉଁ ନେତାମାନେ ଠକ ଚିଟ୍ପଣ୍ଡ ସଂସ୍ଥା ସହ ମିଶି ଗରିବ ଲୋକଙ୍କ ଟଙ୍କା ଲୁଟ କରିଥିଲେ, ସେମାନଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀଙ୍କୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋରଦାର ହୋଇଛି। ତେବେ ସିବିଆଇ ଯେଉଁ ସମୟରେ ପ୍ରଭାତଙ୍କୁ ଗିରଫ କରିଛି, ଏହାକୁ ନେଇ କିଛି ସନ୍ଦେହ ରହିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି। ସେ ଏହି କଥା ଉଠାଇଛନ୍ତି ଯେ ଯଦି ପ୍ରଭାତଙ୍କର ସିସୋର ସହ ସଂପୃକ୍ତି ଥିଲା, ୪ ବର୍ଷ କାହିଁକି ଅପେକ୍ଷା କରିଥିଲା ସିବିଆଇ?
ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଗତକାଲି ବିଜେଡି ୫ ଘଣ୍ଟିଆ ହରତାଲ ଡାକରା ଦେଇଥିଲା। ଏହି ସମୟରେ ପୂରା ଠପ୍ ହୋଇଯାଇଥିଲା ସାରା ରାଜ୍ୟ। ଅବଶ୍ୟ ହରତାଲ ବେଳେ କିଛି ସ୍ଥାନରେ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦିକୁ ନେଇ ଦଳକୁ କଠୋର ସମାଲୋଚନାର ସାମନା କରିବାକୁ ପଡିଥିଲା। ହେଲେ ଗୋଟିଏ କଥା ସତ ଯେ ଗତକାଲିର ଆନ୍ଦୋଳନ ବିଜେପି ପ୍ରତି ଏକ ବଡ଼ ଚ୍ୟାଲେଞ୍ଜ ସଦୃଶ୍ୟ ଥିଲା। ଲାଗୁଥିଲା ପୂରା ଦମରେ ଲଢେଇ ପାଇଁ ତୟାର ହୋଇ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ନେତା।
ପଞ୍ଚାୟତ ନିର୍ବାଚନରେ ବିଜେପିର ଶକ୍ତି ବୃଦ୍ଧି ହୋଇଥିବା ପ୍ରମାଣ ମିଳିବା ପରେ ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ଦୁଇ ଦଳ ଭିତରେ ବେଶ କସରତ୍ ଚାଲିଥିଲା। ତେବେ ନିକଟରେ ଘଟିଥିବା ଦୁଇଟି ଘଟଣା ରାଜ୍ୟର ରାଜନୈତିକ ମାହୋଲକୁ ପୂରା ହଲଚଲ୍ କରିଦେଇଛି। ତାହା ହେଲା, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଓ ନବୀନଙ୍କୁ କଟୁ ସମାଲୋଚନା କରିବା ଏବଂ ଏହା ପରେ ପରେ ପେଟ୍ରୋଲ ଦରବୃଦ୍ଧି ବିରୋଧରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବା। ଏହି ଦୁଇ ଘଟଣା ଦୁଇ ଦଳକୁ ସମ୍ପୂର୍ଣ୍ଣ ମୁହାଁମୁହିଁ ସ୍ଥିତିକୁ ନେଇ ଆସିଛି।
ପେଟ୍ରୋଲ ଦରବୃଦ୍ଧିର ପ୍ରତିବାଦର ଅର୍ଥ ହେଉଛି ସିଧାସଳଖ ଧମେନ୍ଦ୍ରଙ୍କ ବିରୋଧରେ ବିଜେଡିର ରଣହୁଙ୍କାର। ଠିକ୍ ସେହି ରାତିରେ (ସଂଯୋଗ ହେଉ ବା ଉଦ୍ଦେଶ୍ୟମୂଳକ ହେଉ) ଚିଟପଣ୍ଡ ଲିଙ୍କରେ ବିଜେଡିର ଜଣେ ତୁଙ୍ଗ ନେତାଙ୍କୁ ସିବିଆଇ ଗିରଫ କରିବା ନିଶ୍ଚିତ ଭାବେ ମନରେ ସନ୍ଦେହ ସୃଷ୍ଟି କରିବ। ଏକ ବଡ଼ ପ୍ରଶ୍ନ ଉଠିବ ଯେ ବର୍ଷ ବର୍ଷ ଅପେକ୍ଷା କରିଥିବା ସିବିଆଇ ଏପରିକି ପ୍ରମାଣ ପାଇଲା ଯେ ରାତି ଅଧରେ ଗିରଫ କଲା ପ୍ରଭାତ ବିଶ୍ୱାଳଙ୍କୁ?
ଯଦି ସିବିଆଇ ହାତରେ କିଛି ଠୋସ ପ୍ରମାଣ ଲାଗିଛି ତେବେ ତଦନ୍ତକୁ ଏତେ ଲମ୍ବା ସମୟ କାହିଁକି ନେଉଛି ଏହି କେନ୍ଦ୍ରୀୟ ସଂସ୍ଥା? ଏହି ପ୍ରଶ୍ନର ଉତ୍ତର ମିଳିବା ନିହାତି ଆବଶ୍ୟକ। ଚିଟ୍ଫଣ୍ଡ ମାମଲାରେ ସିବିଆଇ ତା’ର ତଦନ୍ତକୁ ଏପରି ମନ୍ଥର କରିଛି ଯେ ତଦନ୍ତ ପ୍ରକ୍ରିୟାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିବା କହିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ଏବେ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଦିଗ ଉପରେ ସମସ୍ତଙ୍କ ନଜର ରହିଛି। ଏହା ପରେ ଚିଟଫଣ୍ଡ ମାମଲାରେ ଆଉ କେଉଁ ନେତାଙ୍କ ହାତରେ ହାତକଡ଼ା ପକାଇବ ସିବିଆଇ?
ପୂର୍ବରୁ ପ୍ରଭାତ ତ୍ରିପାଠୀ, ସୁବର୍ଣ୍ଣ ନାୟକ, ସାଂସଦ ରାମଚନ୍ଦ୍ର ହାଂସଦାଙ୍କୁ ସିବିଆଇ ଗିରଫ କରିଛି। ପ୍ରଭାତ ତ୍ରିପାଠୀ ଜାମିନରେ ଆସିଛନ୍ତି। ଗିରଫ ହେବା ପରେ ପରେ ଏହି ନେତାମାନଙ୍କୁ ଦଳରୁ ନିଲମ୍ବନ କରି ଦେଇଥିଲା ବିଜେଡି। ଏବେ ପ୍ରଭାତ ବିଶ୍ୱାଳ ଗିରଫ ହୋଇଛନ୍ତି ଏବଂ ଆଉ କିଛି ନେତା ମଧ୍ୟ ସିବିଆଇ ସ୍କାନରରେ ଥିବା ଚର୍ଚ୍ଚା ହେଉଛି।
ଏଭଳି ସ୍ଥିତିରେ ବିଜେଡି କ’ଣ ପରବର୍ତ୍ତୀ ପଦକ୍ଷେପ ନେବ ଏହା ଉପରେ ସମସ୍ତଙ୍କର ନଜର ରହିଛି।
Tags: Bhubaneswar News, BJD, Breaking News, CBI, Choudwar-Cuttack MLA, Latest News, MLA Pravat Tripathy, Odisha Breaking News, Odisha News, Odisha Stories, Odisha Top Stories, Ponzi scam, Pravat Biswal, Seashore Group, Top Stories