ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲାରେ ଗଞ୍ଜେଇ ଚାଲାଣକୁ ବନ୍ଦ କରିବା ପାଇଁ ପୋଲିସ ଜୋରଦାର ଉଦ୍ୟମ ଚଳାଇଥିବା ବେଳେ ବେଆଇନ୍‌ ଗଞ୍ଜେଇ କାରବାର ଥମିବାର ନାଁଧରୁନି। ମଙ୍ଗଳବାର ଏନେଇ କୋରାପୁଟ ପୋଲିସ୍‌କୁ ବଡ଼ ସଫଳତା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ପୋଲିସ୍‌ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୧୨ ଗଞ୍ଜେଇ ମାଫିଆଙ୍କୁ ପୋଲିସ୍‌ ଗିରଫ୍‌ କରିଛି।

ପୋଲିସ ପେଟ୍ରୋଲିଂ କରୁଥିବାବେଳେ ଜୟପୁର ସହର ଗ୍ଲୋକାଲ ଛକ ନିକଟରେ ଏକ କାର ଭିତରୁ ୫୫ କିଲୋଗ୍ରାମର ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ପୋଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ ମୋବାଇଲ ଫୋନ ଏବଂ ଗଞ୍ଜେଇ ଚାଲାଣ ହେଉଥିବା କାର୍‌କୁ ଜବତ କରିଛି।

ସେହିପରି ବୈପାରୀଗୁଡ଼ା ଅଞ୍ଚଳର କୋଟା ଜଂସନ ନିକଟରେ ପୋଲିସ୍‌ ଏକ ବାଇକ୍‌ରୁ ୨୨ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି। ଏହି ଘଟଣା ପୋଲିସ୍‌ ୨ ଜଣ ୧୯ ବର୍ଷିୟ ଯୁବକଙ୍କୁ ଗିରଫ କରିଥିବା ବେଳେ ଉକ୍ତ ବାଇକ୍‌କୁ ଜବତ କରିଛି।

ଅନ୍ୟପକ୍ଷରେ ସୋମବାର ଜୟପୁର ସଦର ପୋଲିସ୍‌ ଦୁଇଟି ବେଲୋରୋ ଓ ସୁମୋରୁ ୧୧୦ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ସହିତ ପୋଲିସ୍‌ ଏହି ଘଟଣାରେ ୨ ଜଣ ମହିଳା ସମେତ ୬ ଜଣଙ୍କୁ ଗିରଫ୍‌ କରିଛି। ଏମାନେ ବିହାରରୁ ଆସି ଓଡ଼ିଶାରେ ଗଞ୍ଜେଇ ସ୍ମଗଲିଂ କରୁଥିବା ପୋଲିସ୍‌ କହିଛି।

ଗତ ୨୪ ଘଣ୍ଟାରେ କୋରାପୁଟ ପୋଲିସ୍‌ ମୋଟ ୧୮୭ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି। ଏଥିସହିତ ୧୨ ଜଣ ଗଞ୍ଜେଇ ମାଫିଆଙ୍କୁ ପୋଲିସ୍‌ ଗିରଫ କରିଛି। ବେଆଇନ୍‌ ଗଞ୍ଜେଇ କାରବାର କରିବାକୁ ମାଫିଆମାନେ କୋରାପୁଟ ଜିଲ୍ଲାକୁ ସୁରକ୍ଷିତ ସ୍ଥାନ ମଣୁଥିବା ବେଳେ ଏହା ପୋଲିସ୍‌ର ମୁଣ୍ଡବ୍ୟଥାର କାରଣ ପାଲଟିଛି।

LEAVE A REPLY

Please enter your comment!
Please enter your name here