ଓଡ଼ିଶାଲାଇଭ୍ ବ୍ୟୁରୋ

ଐତିହାସିକ ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ମଠକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି।

୨୦୧୧ ମସିହାରେ ରୁପା ଇଟାକୁ ନେଇ ଚର୍ଚ୍ଚାରେ ଥିବା ପୁରୀର ଐତିହାସିକ ଏମାର ମଠ ଆଜି ପୁଣି ଚର୍ଚ୍ଚାକୁ ଆସିଛି। ୯୦୦ ବର୍ଷ ତଳର ପୁରୁଣା ମଠକୁ ପ୍ରଶାସନ ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଫଳରେ ଏହି ମଠକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି।

ଏମାର ମଠରେ କ’ଣ ଅଛି ଏବଂ ଏହା କାହିଁକି ଐତିହାସିକ ଜାଣନ୍ତୁ ଏହି ରିପୋର୍ଟରୁ।

ଏମାର ମଠ ହେଉଛି ଐତିହ୍ୟ ସମ୍ପନ୍ନ ମଠ। ୧୪୦୨ ମସିହାରେ ପୁରୀରେ ଏହି ମଠର ହୋଇଥିଲା ସ୍ଥାପନା। କୁହାଯାଏ, ଶ୍ରୀରାମାନୁଜାଚାର୍ଯ୍ୟ ଶ୍ରୀକ୍ଷେତ୍ର ଆସି ଅବସ୍ଥାନ କରିଥିଲେ। ସେ ହିଁ ଏଠାରେ ମଠ ସ୍ଥାପନା କରିଥିଲେ। ନିଜ ପ୍ରିୟଶିଷ୍ୟ ଗୋବିନ୍ଦଙ୍କୁ ସେ ପ୍ରଥମେ ଏହି ମଠର ମଠାଧୀଶ କରିଥିଲେ। ଏହି ମଠ ମୂଳରୁ ଶ୍ରୀରାଜଗୋପାଳାଚାର୍ଯ୍ୟ  ମଠ ନାଁରେ ପରିଚିତ ଥିଲା। ଶ୍ରୀରାମାନୁଜାଚାର୍ଯ୍ୟଙ୍କୁ ମନ୍ନାଥ ଭାବେ ଶିଷ୍ୟମାନେ ସମ୍ବୋଧନ କରୁଥିଲେ। ମନ୍ନାଥ ଶବ୍ଦରୁ ଏମ୍ ଏବଂ ରାମାନୁଜ ଶବ୍ଦରୁ ଆର୍ ଉଦ୍ଧୃତ କରାଯାଇ ତାମିଲ ପରମ୍ପରାର ସଂକ୍ଷିପ୍ତ କରଣ ପ୍ରକ୍ରିୟାରେ ମଠର ନାଁ ଏମ୍ ଆର ରହିଥିଲା।

ମଠରେ କେଉଁ ଠାକୁର ପୂଜା ପାଆନ୍ତି?

ଏହି ମଠ ପରିସରରେ ଅନେକ ଦେବଦେବୀ ପୂଜା ପାଇଥାନ୍ତି। ଶ୍ରୀ ରଘୁନାଥ, ଶ୍ରୀ ପତିତପାବନ, ଲକ୍ଷ୍ମଣ, ସୀତା, ହନୁମାନ, ନୃସିଂହ ଓ ଶାଳଗ୍ରାମ ପୂଜା ପାଉଛନ୍ତି। ଶ୍ରୀରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ବି ରହିଛି।

ଶ୍ରୀମନ୍ଦିର ପରମ୍ପରା ସହ ଏହି ମଠର ସମ୍ପର୍କ ବେଶ୍ ନିବିଡ଼। ଶ୍ରୀଗୁଣ୍ଡିଚା, ଚନ୍ଦନଯାତ୍ରା, ହେରାପଞ୍ଚମୀ, ନିଳାଦ୍ରୀବିଜେ, ଗହ୍ମାପୂର୍ଣ୍ଣିମା, ଦୋଳ ଉତ୍ସବ, ଶ୍ରୀରାମ ନବମୀ ଆଦି ତିଥିରେ ମଠ  ପକ୍ଷରୁ ପନ୍ତି ଭୋଗ ଲାଗି କରାଯାଏ। ଏହି ମଠକୁ ଗୁଣ୍ଡିଚା ମନ୍ଦିରରେ ସାମୟିକ ଭାବେ ପନ୍ତି ଚାଳି ନିର୍ମାଣ କରିବା ପାଇଁ ଅନୁମତି ଦିଆଯାଇଛି।

ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ସମୟରେ ଏମାର ମଠ ମହନ୍ତଙ୍କୁ ଚାମର ଓ ଆଲଟ ସେବା କରିବାର ଅଧିକାର ଦିଆଯାଇଛି। ମଠର ପ୍ରତି କୋଠରୀରେ ଶ୍ରୀକୃଷ୍ଣ ଏବଂ ରାଧାଙ୍କର ଛବି ରହିଛି। ଏହା ବେଶ୍‌ ଆକର୍ଷଣୀୟ।

ବାହାରିଥିଲା ରୁପା ଇଟା

୨୦୧୧ରେ ଏମାର ମଠରୁ ବାହାରିଥିଲା ୫୨୨ ଖଣ୍ଡ ରୁପା ଇଟା। ଏହା ସେତେବେଳେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ରୁପା ଇଟାର ଓଜନ ପ୍ରାୟ ୧୮ ଟନରୁ ଅଧିକ ଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୮୦ ରୁ ୯୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା।

ବର୍ତ୍ତମାନ ସୁଦ୍ଧା ଏହି ରୁପା ଇଟାକୁ ନେଇ କୌଣସି ଫଇସଲା ହୋଇ ନଥିବା ବେଳେ ଏହା ପୋଲିସ ହେପାଜତରେ ରହିଛି।  ଏତେ ପରିମାଣରେ ରୁପା ଇଟା କେଉଁଠୁ ଆସିଲା ତାହାକୁ ନେଇ ବିଭିନ୍ନ ପ୍ରକାର ମତ ଆସିଥିଲା।

ନଅ’ଙ୍କ ଦୁର୍ଭିକ୍ଷ ସମୟରେ ଏମାର ମଠର ଭୂମିକା

ଓଡ଼ିଶାର ସବୁଠୁ ଧନୀ ମଠ ଭାବେ ପରିଚୟ ହାସଲ କରିଛି ଏମାର ମଠ। ମହନ୍ତ ଗଦାଧର ରାମାନୁଜ ଦାସଙ୍କ ସମୟରେ ମଠର ସମ୍ପତ୍ତି ଖୁବ୍ ବୃଦ୍ଧି ପାଇଥିଲା। ଏହି ମଠର  ହଜାର ଏକର ଭୂ-ସମ୍ପତ୍ତି ବି ରହିଥିଲା। ନଅ’ଙ୍କ ଦୁର୍ଭିକ୍ଷ ସମୟରେ ଥିଲା ଏମାର ମଠର ଗୁରୁତ୍ୱପୂର୍ଣ୍ଣ ଭୂମିକା।

ଇଂରେଜମାନେ ମଠରୁ ଧାନ ଓ ଚାଉଳ ନେଇ ଲୋକଙ୍କୁ ବଣ୍ଟନ କରିଥିଲେ। ତା’ ବଦଳରେ ରୁପା ଇଟା ଦେଇଥିଲେ ବୋଲି ଗବେଷକ ଅନିଲ ଧୀରଙ୍କ ପୁସ୍ତକରେ ଉଲ୍ଲେଖ ରହିଛି।

LEAVE A REPLY

Please enter your comment!
Please enter your name here