ଓଡ଼ିଶାଲାଇଭ ବ୍ୟୁରୋ

ଗୁରୁ କେଳୁଚରଣ ମହାପାତ୍ରଙ୍କ ୨୫ତମ ପୁରସ୍କାର ଉତ୍ସବ ଆୟୋଜିତ ହୋଇଯାଇଛି। ସୃଜନ ଅନୁଷ୍ଠାନ ଗତ ୨୪ ବର୍ଷ ଧରି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଆୟୋଜନ କରି ଆସୁଅଛି। ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉପସ୍ଥାପନା ତଥା ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ଓଡ଼ିଶୀ ନୃତ୍ୟ, ସଙ୍ଗୀତ, ସିନେମା ଓ ରଙ୍ଗମଞ୍ଚ କ୍ଷେତ୍ରରେ ଗୁରୁଜୀଙ୍କ ଉତ୍କୃଷ୍ଟ ଯୋଗଦାନ ପାଇଁ ତାଙ୍କୁ ସମ୍ମାନ ପ୍ରଦାନ କରିବା।

ନୃତ୍ୟ, ସଙ୍ଗୀତରେ ଆମର ଶାସ୍ତ୍ରୀୟ ପରମ୍ପରାକୁ ଜାଗ୍ରତ ରଖିବା ପାଇଁ ଏବଂ ଶାସ୍ତ୍ରୀୟ ଶିଳ୍ପୀ ଯେଉଁମାନେ ନିଜର ପ୍ରତିଭା ଦର୍ଶକମାନଙ୍କ ଆଗରେ ଦେଖାଇ ପାରୁନାହାନ୍ତି ସେମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜନ କରାଯାଇଥାଏ। ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଏହି ବର୍ଷ ତାର ୨୫ତମ ସମାରୋହ ଆୟୋଜିତ କରିଛି ଏବଂ ଏହି ଉତ୍ସବକୁ ଚଳିତ ବର୍ଷ ୫ଦିନ ପରିବର୍ତ୍ତେ ୭ ଦିନ କରାଯାଇଛି।

ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ଥିଲା ଭାରତର ପ୍ରସିଦ୍ଧ ଗଜଲ ଗାୟକ ତଥା ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ଦ୍ୱାରା ଲୋକପ୍ରିୟ ଭଜନ ଓ ଗଜଲ ପରିବେଷଣ। ନିଜ ଶୈଳୀରେ ସେ ଐସି ଲଗି ଲଗନ, ବୋଲ ରାମ ବୋଲ ରାମ, ବଡ଼େ ମସହୁର ହୋତେ ଜା ରେହେ ହୋ, ଜଗ ମେ ସୁନ୍ଦର ହେ ଦୋ ନାମ, ତୁମାହାଁରେ ସହର ମେ ମୌସମ, ଶ୍ୟାମ ତେରୀ ବଂଶୀ ପୁକାରେ, ତୁମ ଇତନା ଜୋ ମୁସକୁରା ରୈହୀ ହୋ ଆଦି ଭଜନ ପରିବେଷଣ ହୋଇଥିଲେ। ତାଙ୍କୁ କଣ୍ଠରେ ଶୁଶ୍ରୀ କୋୟଲ ତ୍ରିପାଠୀ, ବେହେଲାରେ ରସିଦ ଖାନ, ତବଲାରେ ପ୍ରଦୀପ ଘୋସ ଏବଂ ଗିଟାରରେ ହିମାଂସୁ ତିୱାରୀ ସହଯୋଗ କରିଥିଲେ।

ସଂଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଥିଲା ଗୁଞ୍ଜନ ଡ଼୍ୟାନ୍ସ ଏକାଡ଼େମୀର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ। ଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟା ମୀରା ଦାସ ଓ ସାଥୀଙ୍କ ଦ୍ୱାରା ଦୁଇଟି ନୃତ୍ୟ ପରିବେଶିତ ହୋଇଥିଲା। ପ୍ରଥମେ ଶୁଦ୍ଧ ନୃତ୍ୟରେ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା। ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ମୀରା ଦାସ ଓ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ। ପରେ ସେମାନଙ୍କର ପ୍ରସ୍ତୁତିରେ ଥିଲା ଅଭିନୟ ଦଶାବତାର। ଓଡ଼ିଶୀ ନୃତ୍ୟରେ ବିଷ୍ଣୁଙ୍କର ଦଶ ଅବତାରକୁ ଉପସ୍ଥାପନ କରିଥିଲେ ଗୁରୁ ମୀରା ଦାସ ଓ ସାଥୀ କଳାକାରମାନେ।

ଉତ୍ସବର ଅତିଥିମାନେ ଥିଲେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ଭଜନ ସମ୍ରାଟ ତଥା ପ୍ରସିଦ୍ଧ ଗଜଲ ଗାୟକ ଅନୁପ ଜଲୋଟା, ଷ୍ଟେଟ ବ୍ୟଙ୍କ ଅଫ ଇଣ୍ଡିଆର ମୂଖ୍ୟ ମହାପ୍ରବନ୍ଧକ ପରବିନ କାଲା, ଏମ.ଜି.ଏମର ଅଧକ୍ଷ ପଙ୍କଜ ଲୋଚନ ମହାନ୍ତି ଏବଂ ସୃଜନର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡକ୍ଟର ଶ୍ରୀନିବାସ ଘଟୁଆରୀ।

LEAVE A REPLY

Please enter your comment!
Please enter your name here