– ଭାସ୍କର ପରିଚ୍ଛା

ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ଏବେ କଣ? ଏଇ ଭଳି ଏକ ପ୍ରଶ୍ନ ବିଜେପି ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହଁ, ଶାସକ ବିଜୁ ଜନତା ଦଳ ପାଇଁ ସେତେ ଅଧିକ ପ୍ରାସଙ୍ଗିକ। କାର୍ଯ୍ୟକାରିଣୀରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି: ବିଜେପି ଆଗାମୀ ଦିନରେ ଓଡିଶାରେ ତା’ର ଆସ୍ଥାନ ଯେକୌଣସି ପ୍ରକାରେ  ଜମାଇବ।

ପଂଚାୟତ ନିର୍ବାଚନ ପରେ ଅମିତ ସାହାଙ୍କ ଦଳ ଯେଉଁ ସଫଳତା ଲାଭ କରିଥିଲା ତାହାକୁ ୨୦୧୯ ସଧାରଣ ନିର୍ବାଚନ ପର୍ଯ୍ୟନ୍ତ ଟାଣି ନେବା ପାଇଁ ଦଳ କୌଣସି ଉଦ୍ୟମକୁ ହାତ ଛଡ଼ା କରିବାକୁ ଚାହୁଁନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରାଟ ରୋଡସୋ ଓ ସମଗ୍ର ଭୁବନେଶ୍ୱର ଦୁଇ ଦିନ ଧରି ଗେରୁଆ ରଂଗରେ ପରିଣତ ହେବା ଏଇ କଥାକୁ ପ୍ରମାଣିତ କରିଛି ଯେ  ଦଳ ନବୀନ ସରକାରକୁ ଟକ୍କର ଦେବା ପାଇଁ ପୂରା ତୟାର୍।

ଏହା ପରଠାରୁ ଅର୍ଥାତ୍ ୨୦୧୯ ଯାଏଁ  ବିଜେଡି ସରକାରର ନିଦ କେବଳ ବ୍ୟାଘାତ ହେବ ତାହା ନୁହେଁ ପ୍ରତିପକ୍ଷକୁ ମୁକାବିଲା କରିବା ପାଇଁ ନୂଆ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ହେବ। ବିଜୁ ପଟ୍ଟନାୟକ କେବେ ଥରେ କହିଥିଲେ ବିଜେପି ଏକ ସାଇନବୋର୍ଡ଼ ଦଳ। ଏବେ କିନ୍ତୁ ସେଇ ଦଳ ହିଁ ତାଙ୍କ ନାମରେ ପ୍ରତିଷ୍ଠିତ ଦଳକୁ ମାତ୍ ଦେବାକୁ ବସିଛି। ଗତ ସତର ବର୍ଷର ଶାସନ ଭିତରେ ପ୍ରଥମ ଥର ପାଇଁ ଦଳ ସଭାପତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲା ଆହ୍ୱାନର ସାମ୍ନା କରୁଛନ୍ତି।

ଏଇ ଆହ୍ୱାନ ବିକାଶକୁ ନେଇ ଯେତିକି ନୁହେଁ, ରାଜନୈତିକ ପରିବର୍ତନକୁ ନେଇ ସେତିକି। ଯେଉଁ ବିକାଶ ଓ ଲୋକଲୋଭନୀୟ କାର୍ଯ୍ୟକ୍ରମ କଥା ବିଜେପି ଏବେ କହୁଛି, ନବୀନ ସେ ସବୁ ଆଗରୁ କରିସାରିଛନ୍ତି। ଏହାର ପ୍ରକୃତ ପ୍ରଭାବକୁ ନେଇ  ଭିନ୍ନ ଭିନ୍ନ ବିଚାର ଥାଇପାରେ। କିନ୍ତୁ ବିକାଶ  କୌଣସି ଦଳର ଆଉ ଏକଚାଟିଆ ହୋଇ ରହିନାହିଁ।

ଓଡିଶାର ରାଜନୀତି ବିଗତ ଦୁଇ ବର୍ଷ ଧରି ଅସ୍ଥିରତା ନ ହେଲେ ହେଁ ଉଦ୍‌ବେଳନ ଦେଇ ଗତି କରି ଆସୁଛି ଯାହାର ଫାଇଦା ବିଜେପି ନେବାକୁ ଚାହୁଁଛି। ଏହି ଦୃଷ୍ଟିରୁ  ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଦଳର ସଭାପତି ଯେଉଁ କଥାଟି କହିଲେ ତାହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ସାହା କହିଲେ ଯେ ବିଜେପି ପାଇଁ ଏବେ ଆଉ କୌଣସି ଆଞ୍ଚଳିକ ଦଳ ଅପରାଜେୟ ନୁହଁ। ଉତ୍ତର ପ୍ରଦେଶ ପରେ ଓଡିଶାକୁ ଟାର୍ଗେଟ କରିବା ପାଇଁ ବିଜେପି ଯେଉଁ ରଣନୀତି ପ୍ରସ୍ତୁତ କରିଛି ତାହା କେତେ ପରିମାଣରେ କାମ ଦେବ ସେ କଥା କହିବା ଏବେ ସମ୍ଭବ ନୁହଁ, କାରଣ ବିଧାନସଭା ନିର୍ବାଚନ ପାଇଁ ଆହୁରି ଦୁଇ ବର୍ଷ ସମୟ ଅଛି, ଆଉ ଯାହା କୁହାଯାଏ ରାଜନୀତିରେ ଦୁଇ ବର୍ଷ କିଛି କମ୍‌ ସମୟ ନୁହେଁ।

ବାସ୍ତବରେ ବିଜେପି ପାଇଁ ଯେତିକି ନୁହଁ ବିଜେଡି ପାଇଁ ଏଇ ଅବଧି ଅଧିକ ମହତ୍ତ୍ୱପୂର୍ଣ। ପଂଚାୟତ ନିର୍ବାଚନରେ କିଛି  ମାତ୍ରାରେ  ନିଜର ପ୍ରଭାବ ହରାଇବା ପରେ ବିଜେଡି ଅବଶ୍ୟ ଘର ସଜାଡିବା ଆରମ୍ଭ କରିଛି। ବିଶେଷକରି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର କାର୍ଯ୍ୟଶୈଳୀରେ ଅନେକ ପରିବର୍ତ୍ତନ ଆଣିବା ପାଇଁ ଲାଗି ପଡ଼ିଛନ୍ତି। ଏହି ପରିଵର୍ତ୍ତନ ପଛରେ ଯେ ଏକ ଅଜଣା ଆଶଙ୍କା କାମ କରୁଛି ଏଥିରେ ସନ୍ଦେହ ନାହିଁ।

ତେବେ ଅସଲ ସମସ୍ୟା ହେଉଛି ନବୀନ ଦଳ ଭିତରେ ସମ୍ପୁର୍ଣ୍ଣ ଏକାକୀ। ହୁଏତ ଜଣେ ଲେଖକ ବା ଭାବୁକ ପାଇଁ ଜନତାଙ୍କ ପାଖରୁ ଦୂରେଇ ରହିବା ସମ୍ଭବ, କିନ୍ତୁ କ୍ଷମତା ରାଜନୀତିରେ ଲୋକଙ୍କ ସହିତ ଯେତେ ମିଶା ଯାଇପାରେ ମିଶିବା ଦରକାର। ନବୀନ ଏଇ କଥାକୁ ବୁଝିବା ଆରମ୍ଭ କରିଛନ୍ତି, କିନ୍ତୁ ବହୁ ବିଳମ୍ବରେ। ଯାବତୀୟ ଘଟଣା ଦୁର୍ଘଟଣା ବିବାଦ ଓ କଥା ଫିଙ୍ଗାଫିଙ୍ଗି ସତ୍ତ୍ୱେ ଦଳର ମୁଖ୍ୟ ହିସାବରେ ଅବଶ୍ୟ ତାଙ୍କ ପ୍ରଭାବ ଅତୁଟ ରହିଛି। ତେବେ ଆଭ୍ୟନ୍ତରୀଣ ସ୍ଵାଧୀନତା ନଥିବା କାରଣରୁ ଦଳର ତୁଙ୍ଗ ନେତାମାନେ ପରସ୍ପର ବିରୋଧୀ ମତ ଦେଉଛନ୍ତି ଯାହା ଫଳରେ ଏହା ଦଳ ପାଇଁ ଚିନ୍ତାର କାରଣ ହୋଇଛି।

ବିଜେପି ଜାତୀୟ  କାର୍ଯ୍ୟକାରିଣୀ ପରେ ମୋଦୀ-ସାହାଙ୍କ ଦଳ ଓଡ଼ିଶାରେ କେତେ ବାଟ ଆଗକୁ ଯିବ ତା’ ଅପେକ୍ଷା କରି  ଦେଖିବାର କଥା, କିନ୍ତୁ ଶାସକ ବିଜେଡି ତରଫରୁ ବେଶ୍ କିଛି କାର୍ଯ୍ୟକ୍ରମ ଆଗକୁ ଦେଖିବାକୁ ମିଳିବ। ସତ କହିବାକୁ ଗଲେ ରାଜନୈତିକ ପଶା ପାଲିରେ ବିଜେଡି ସବୁ କିଛି ଯେ ହରେଇ ସାରିଛି  ତାହା ନୁହେଁ । ଏବେବି ସମୟ ଅଛି, ଦଳ ତାର ଦୁର୍ବଳତାଗୁଡିକୁ ସଜାଡି ପାରିବ । ବାସ୍ତବତା ଦୃଷ୍ଟିରୁ ବିଜେପି ପାଇଁ ଦଶଟି ଆସନରୁ ଶହେକୁ ଡିଆଁ ମାରିବା ଯେତିକି ଅସମ୍ଭବ, ବିଜେଡି ପାଇଁ ଶହେ ଆସନରୁ ଦଶକୁ ଖସି ଆସିବା ସେତିକି ଅବିଶ୍ୱନୀୟ।

ଅନ୍ୟ ଅର୍ଥରେ,  ୨୦୧୯ରେ ରାଜନୈତିକ ସ୍ଥିତାବସ୍ଥା ହିଁ ଆଖିରେ ପଡ଼ୁଛି। ବିଜେପିର ‘ପୂର୍ବକୁ ଚାହଁ’ ରଣନୀତି ଫଳ ଧରିବାକୁ ଆଉ କିଛି ସମୟ ଦରକାର। ଉତ୍ତର ପ୍ରଦେଶରେ ଯାହା ହେଲା ଓଡ଼ିଶାରେ ଯେ ତାହା ହେବ ସେଭଳି କୌଣସି ଯୁକ୍ତି ନାହିଁ। ଉତ୍ତର ପ୍ରଦେଶ ତୁଳନାରେ ଓଡିଶାର ରାଜନୀତି ଏତେ ଗତିଶୀଳ ଓ  ପରିବର୍ତ୍ତନଶୀଳ ନୁହେଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର)

LEAVE A REPLY

Please enter your comment!
Please enter your name here