ଭୁବନେଶ୍ୱର (ଓଡ଼ିଶାଲାଇଭ୍ ବ୍ୟୁରୋ): କିଛି ମାସ ତଳେ ଏକ ଆନ୍ତର୍ଜାତିକ ଖବର ପରିବେଷଣ ସଂସ୍ଥା ଏଏନଆଇ ଏକ ଖବର ପ୍ରକାଶ କରିଥିଲା। ଖବରଟି ହେଉଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ପିତ୍ତଳ ମାଛ କାମ ଉପରେ। ବହୁ ପ୍ରାଚୀନ ଏହି ହାତକାମ କିଭଳି ବିଲୁପ୍ତ ହେବାକୁ ବସିଛି ଏବଂ ଏହାକୁ କୌଳିକ ବୃତ୍ତି କରିଥିବା କାରିଗରମାନେ କିପରି ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି ତାହାର ଏକ ବିସ୍ତୃତ ରିପୋର୍ଟ ଏଏନଆଇ ପ୍ରକାଶ କରିଥିଲା। ପିତ୍ତଳ ମାଛ ବ୍ୟତୀତ ସୁନ୍ଦର କାଠ କାମ ପାଇଁ ମଧ୍ୟ ଗଞ୍ଜାମର କେତେକ ଅଞ୍ଚଳ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି।

ବେଲଗୁଣ୍ଠାର ପିତ୍ତଳ କାମ କେବଳ ନୁହେଁ, ଓଡ଼ିଶାରୁ ବହୁ ପାରମ୍ପରିକ ହାତକାମ ଏବେ ବନ୍ଦ ହେବାକୁ ବସିଲାଣି। କେନ୍ଦୁଝରର କାଠ କଣ୍ଢେଇ କୁହନ୍ତୁ କି ଢ଼େଙ୍କାନାଳର ଢ଼ୋକ୍ରା କୁହନ୍ତୁ ଏସବୁର ଆଦର ଏବେ ଆଉ ନାହିଁ। ମାତ୍ର ୮-୧୦ ବର୍ଷ ଭିତରେ ଏହି ସବୁ ଚମତ୍କାର ହସ୍ତଶିଳ୍ପ ଇତିହାସରେ ଲୀନ ହେବାକୁ ବସିଲାଣି। ଏହାର କାରଣ ଖୋଜିପାଇବା ଅବଶ୍ୟ ଅତି କଷ୍ଟକର ନୁହେଁ।

ପ୍ରଥମ କାରଣ, ଆଧୁନିକତାର ଚାପ ଓ ଦ୍ୱିତୀୟ କୌଳିକ ହାତ କାମ ପ୍ରତି କମୁଥିବା ଆଗ୍ରହ। ଯେଉଁଠିବି ଏହିସବୁ ପୁରାତନ କାମ ବଞ୍ଚି ରହିଛି ସେଠାକାର ଶିଳ୍ପୀମାନେ ଆଧୁନିକ ଉପକରଣ କିଣିବା ପାଇଁ ଅସମର୍ଥ ହେବା ଫଳରେ ସେହି ପୁରୁଣାକାଳିଆ ଢ଼ଙ୍ଗରେ ହିଁ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ଉତ୍ପାଦନ ଦୃଷ୍ଟିରୁ ଏହା ଆଦୌ ଲାଭଦାୟକ ହୋଇନଥାଏ। ହୁଏତ କିଛି ପୁରୁଣା ହସ୍ତଶିଳ୍ପ ଡିଜାଇନ ଓ ମୋଟିଫ୍‌କୁ ଗ୍ରାହକ ପସନ୍ଦ କରୁଛନ୍ତି।

କିନ୍ତୁ ମୋଟାମୋଟି କହିବାକୁ ଗଲେ ଏହିସବୁ ହାତ କାମର ଅବସ୍ଥା ଆଦୌ ଭଲ ନୁହେଁ। ହସ୍ତଶିଳ୍ପର ଆଦର କମିବା ଫଳରେ ଏହି ଶିଳ୍ପୀମାନେ ରୋଜଗାର ହରାଇବାର ଆଶଙ୍କାରେ ରହୁଛନ୍ତି। ଏଣୁ, କୌଳିକ ବୃତ୍ତିକୁ ଛାଡ଼ି ନୂଆ ରୋଜଗାରର ଅନ୍ୱେଷଣ କରୁଛନ୍ତି। ତେବେ ଯେଉଁ ଅଳ୍ପ କିଛି ଶିଳ୍ପୀ ଏଥିରେ ଏବେବି ପଡ଼ିରହିଛନ୍ତି ସେମାନେ ସବୁବେଳେ ସରକାରୀ ସାହାଯ୍ୟକୁ ଚାହିଁ ବସିଥାନ୍ତି।

ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ନିଶ୍ଚିତ ଭାବରେ ସରକାରଙ୍କ ଦାୟିତ୍ୱ। କିନ୍ତୁ ଏହି ଦାୟିତ୍ୱଟି ଏବେ କିଛି ନାମିଦାମି ସଂସ୍ଥା ମଧ୍ୟ ହାତକୁ ନେବା ଆରମ୍ଭ କରିଛନ୍ତି। ସେହିଭଳି ଏକ ସଂସ୍ଥା ହେଉଛି ଇନଫୋସିସ୍ ଫାଉଣ୍ଡେସନ। ମୁମ୍ବାଇରେ ଥିବା ଏହି ଫାଉଣ୍ଡେସନ ଏବେ ହଜିଯାଉଥିବା ପୁରାତନ ହସ୍ତଶିଳ୍ପ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି।

ପାରମ୍ପରିକ ହସ୍ତଶିଳ୍ପକୁ ଇନଫୋସିସ ଜରିଆରେ ସାହାଯ୍ୟ ଦେବା ପାଇଁ ଆଗେଇ ଆସିଛନ୍ତି ଓଡ଼ିଶା ସଂଗୀତ ନାଟକ ଏକାଡେମୀର ପ୍ରାକ୍ତନ ସମ୍ପାଦକ ମନ୍ମଥ କୁମାର ଶତପଥୀ। ଇନଫୋସିସ୍ ଫାଉଣ୍ଡେସନ ତାଙ୍କୁ ଏହି ସାଂସ୍କୃତିକ ପୁନରୁଦ୍ଧାରର କାର୍ଯ୍ୟକ୍ରମର ମୁଖ୍ୟ ଭାବେ ନିଯୁକ୍ତି କରିଛି। ଶତପଥୀ କହିଛନ୍ତି ଯେ ଓଡ଼ିଶାର ୨୪ଟି ଲୋକକଳାକୁ ପୁନର୍ଜୀବିତ କରାଯିବ। ଓଡ଼ିଶାର କେତେକ ମୃତପ୍ରାୟ କଳାକୁ ଫାଉଣ୍ଡେସନ ପକ୍ଷରୁ ଶ୍ରେଣୀଭୁକ୍ତ କରାଯାଇଛି ଯେମିତିକି ନୃତ୍ୟ, ନାଟକ, ସଂଗୀତ, ବାଦ୍ୟ ଆଦି। ଗଞ୍ଜାମର ପ୍ରହ୍ଲାଦ ନାଟକ, ଦଶପଲ୍ଲାର ଲଙ୍କା ପୋଡ଼ି, ଭାରତ ଲୀଳା, ହାତ କଣ୍ଢେଇ, ଦଣ୍ଡନାଟ ଓ ପୁରୀର ସାହିଜାତ ଇତ୍ୟାଦି।

ଏହିସବୁ କଳାକୁ ଏବେ ଲୋକେ ଭୁଲିଗଲେଣି। ଯୁବପିଢ଼ିଙ୍କର ତ ଏ ସମ୍ପର୍କରେ କିଛି ଧାରଣା ହିଁ ନଥିବ। ନିୟମିତ ଭାବରେ ଏହିସବୁ କଳାକୁ ପରିବେଷଣ କରିବା ସହିତ ନୂଆ ପିଢ଼ିଙ୍କୁ ମଧ୍ୟ ଏଥିରେ ସାମିଲ୍ କରିବା ପାଇଁ ଫାଉଣ୍ଡେସନ ତରଫରୁ ଉଦ୍ୟମ କରାଯାଉଛି। ଯେହେତୁ ଆର୍ଥିକ ଓ ସାଙ୍ଗଠନିକ ପୃଷ୍ଠପୋଷକତାର ଅଭାବରୁ ଏହି ଶିଳ୍ପ ହଜିବାକୁ ବସିଛି, ଫାଉଣ୍ଡେସନର ପଦକ୍ଷେପ ଏହାକୁ ବଞ୍ଚାଇବାରେ ସାହାଯ୍ୟ କରିବ ବୋଲି ବେଲଗୁଣ୍ଠାର ଜଣେ ପାରମ୍ପରିକ ଶିଳ୍ପୀ ଦଶରଥ ମହାରଣା କହିଛନ୍ତି।

ଇନଫୋସିସ୍‌ ଫାଉଣ୍ଡେସନର ଯୋଜନା ଅନୁସାରେ ନିୟମିତ ଭାବରେ ଏହିସବୁ କଳାକୁ ପରିବେଷଣ କରିବା ସହିତ ନୂଆ ପିଢ଼ିକୁ ମଧ୍ୟ ଏଥିରେ ସାମିଲ୍ କରାଯିବ। ଶତପଥୀଙ୍କ କହିବା ଅନୁସାରେ ପ୍ରହ୍ଲାଦ ନାଟକ କ୍ଷେତ୍ରରେ ନୂଆ ପିଢ଼ିକୁ ତାଲିମ ଦିଆଯିବ। ଏହି ପୁନରୁଦ୍ଧାର ଓ ସଂରକ୍ଷଣ କାର୍ଯ୍ୟ ପାଇଁ କମିଶନ ପକ୍ଷରୁ ପ୍ରାୟ ୧ କୋଟି ଟଙ୍କା ଦିଆଯାଇଛି। ଏହି ପାଣ୍ଠିର ସୁଧ ଅର୍ଥରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ କରାଯିବ ବୋଲି ଶ୍ରୀ ଶତପଥୀ କହିଛନ୍ତି। ଭାରତୀୟ ବିଦ୍ୟାଭବନ ଭୁବନେଶ୍ୱର ଶାଖା ଜରିଆରେ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଗୋଟିଏ ପଟେ ସରକାରୀ ପ୍ରୋତ୍ସାହନ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ଇନଫୋସିସ୍ ଭଳି ସଂସ୍ଥା ଏଥିପାଇଁ ଆଗେଇ ଆସିବା ନିଶ୍ଚିତ ଭାବରେ ଆନନ୍ଦର କଥା। କୌଣସି ପାରମ୍ପରିକ କଳା ମରିବ ନାହିଁ ଏହା ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ – ସେମାନେ ପୃଷ୍ଠପୋଷକ ହୁଅନ୍ତୁ କି ରସିକ ହୁଅନ୍ତୁ!

Comment