ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ରୂପରେ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଜୋର ଚର୍ଚ୍ଚା ଗଣମାଧ୍ୟମରେ ଏ ନେଇ ଆବଶ୍ୟକତା ଅପେକ୍ଷା ଅଧିକ ସ୍ଥାନ ମିଳିଥିବାରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଆଦୌ ଅସମର୍ଥିତ ଖବର ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବେ ଏହା ଚାହୁଁଥିବା ଆଲୋଚନା ହେଉଛି ଯଦି ତମାମ ରିପୋର୍ଟକୁ ଅନୁଧ୍ୟାନ କରାଯାଏ ସେ ପରବର୍ତ୍ତୀ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବା ଏକ ରକମ ନିଶ୍ଚିତ ଅପେକ୍ଷା କେବଳ ଆନୁଷ୍ଠାନିକ ଘୋଷଣାକୁ ତେବେ ବିଜେପି କାହିଁକି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାକୁ ଚାହୁଁଛି ତାହା ଜାଣିବା କଷ୍ଟକର ବ୍ୟାପାର ନୁହେଁ

(ସ୍ବତଂତ୍ର ପ୍ରତିନିଧି) 

ଆସନ୍ତା ୨୫ ତାରିଖରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କ ପରେ କିଏ ରାଷ୍ଟ୍ରପତି ହେବ ସେ ନେଇ ଉଭୟ ଶାସକ ଦଳ ଓ ବିରୋଧୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଥିବା ବେଳେ ବିଜେପି ବା ଏନଡିଏ ସରକାର ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି କରିବା ପାଇଁ ଏକ ପ୍ରକାର ନିଷ୍ପତ୍ତି ସରିଥିବା କଥା ଜଣାପଡେ। 

ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳ ଗାନ୍ଧୀ। ତେବେ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱକୁ ନେଇ କେବଳ ବିଜେପି ଭିତରେ ନୁହେଁ ଏପରିକି ଯେଉଁମାନେ ବିଜେପିର ଆଦିବାସୀ ନୀତିକୁ ବିରୋଧ କରୁଛନ୍ତି ସେମାନେ ମଧ୍ୟ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ବିଜେପି ମହଲରେ ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି କରିବା ପଛରେ ଖାସ୍ କିଛି କାରଣ ରହିଛି।

ପ୍ରଥମ, ତାଙ୍କୁ ରାଷ୍ଟ୍ରପତି କରାଗଲେ ଭାରତର ପୂର୍ବାଞ୍ଚଳରେ ଆଦିବାସୀଙ୍କ ଲୋକଙ୍କ ଭିତରେ ଏହା ଆଗ୍ରହ ଓ ଉତ୍ସାହ ସୃଷ୍ଟି କରିବ। ଦ୍ୱିତୀୟ, ସମଗ୍ର ଦେଶରେ ବିଜେପି ଆଦିବାସୀ ବିରୋଧୀ ବୋଲି ଯେଉଁ ଧାରଣା ରହିଛି ତାହା ଦୂର ହୋଇପାରିବ। ତୃତୀୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ, ଯେହେତୁ ଦ୍ରୌପଦୀ ମୁର୍ମୁ  ଓଡ଼ିଶାର ଜଣେ ଲୋକପ୍ରିୟ ଆଦିବାସୀ ମହିଳା ନେତ୍ରୀ ଏହା ବିଜେପିକୁ ନିର୍ବାଚନରେ ସାହାଯ୍ୟ କରିବ। ଯେହେତୁ ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶା ଦଖଲ କରିବାକୁ ଚାହୁଁଛି ସେହି କାରଣରୁ ଏହା ଦଳ ପାଇଁ ଅନୁକୂଳ ହେବ ବୋଲି ଚିନ୍ତା କରାଯାଇଥିବା ଜଣାପଡ଼ିଛି।

ଅନ୍ୟ ଅର୍ଥରେ ଗୋଟିଏ ଗୁଳିରେ ଦୁଇଟି ଶିକାର। ବିଜେପି ଓଡ଼ିଶାର ପାଖାପାଖି କୋଟିଏ ଆଦିବାସୀ ଭୋଟକୁ ଏହା ଜରିଆରେ ହାତେଇବାକୁ ଚାହୁଁଛି। ତାହା ଛଡ଼ା ଓଡ଼ିଶା ଏବଂ ଏହାର ଆଖପାଖ ରାଜ୍ୟମାନଙ୍କରେ ଆଦିବାସୀ ଜନସଂଖ୍ୟା ଅଧିକ ହୋଇଥିବା କାରଣରୁ ବିଜେପି ଆଦିବାସୀ ଗୋଷ୍ଠୀଙ୍କ ଭିତରେ ବିଧିବଦ୍ଧ ଭାବରେ ପଶିବା ପାଇଁ ଚାହୁଁଛି।

ଗତ କିଛି ଦିନ ଧରି ଝାଡ଼ଖଣ୍ଡରେ ଆଦିବାସୀ ଗୋଷ୍ଠୀଙ୍କ ପକ୍ଷରୁ ବିଜେପି ଘୋର ବିରୋଧର ସମ୍ମୁଖୀନ ହୋଇଆସିଛି। ବିଶେଷକରି ଛୋଟନାଗପୁର ଓ ସାନ୍ତାଳପ୍ରଗଣା ଜମି ଆଇନକୁ କୋହଳ କରି ଆଦିବାସୀଙ୍କଠାରୁ ସେହି ଜମି ଛଡ଼ାଇ ନେବା ପାଇଁ ଷଡଯନ୍ତ୍ର କରୁଛି ବୋଲି ବିଜେପି ବିରୋଧରେ ଏକ ଅଭିଯୋଗ ବରାବର  ହୋଇଆସୁଛି। ଶିଳ୍ପ କାରଖାନା ପାଇଁ ଏହି ଜମି ଚାଲିଯିବାର ଭୟ ଆଦିବାସୀମାନଙ୍କ ଭିତରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆହୁରି ମଧ୍ୟ, ଝାଡ଼ଖଣ୍ଡରେ ବିଜେପିର ଆଦିବାସୀ ଅବସ୍ଥାନ ନୀତି ମଧ୍ୟ ସେମାନଙ୍କୁ କ୍ଷୁବ୍ଧ କରିଛି ଏବଂ ସେମାନଙ୍କୁ ଉଦ୍‌ବାସ୍ତୁ ହେବାର ଭୟ ଘାରିଛି। ଗତବର୍ଷ ଏହି ନୀତି ବିରୁଦ୍ଧରେ ଲଢ଼େଇ କରୁଥିବା ୯ ଜଣ ଆଦିବାସୀଙ୍କ ଜୀବନ ଯିବା ପରେ ସ୍ୱାଭାବିକ ଭାବରେ ଝାଡ଼ଖଣ୍ଡରେ ଆଦିବାସୀମାନେ ବିଜେପିର ନୀତିକୁ ନାପସନ୍ଦ କରୁଛନ୍ତି। ବିଜେପିର ଜଣେ ପ୍ରାକ୍ତନ ସାଂସଦ ସାଲଖାନ ମୁର୍ମୁ ଏବେ ମୋଦିଙ୍କ ଆଦିବାସୀ ନୀତିର ଘୋର ବିରୋଧୀ।

ତେବେ ସାଲଖାନ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱକୁ ସ୍ୱାଗତ କରିଛନ୍ତି। “ମାନବିକ ଅଧିକାର ଏବଂ ଜଙ୍ଗଲ ଅଧିକାର ଆଇନ ଉଲ୍ଲଙ୍ଘନ ଫଳରେ ଆଦିବାସୀମାନେ ସଂକଟ ଦେଇ ଗତି କରୁଛନ୍ତି। ଆଦିବାସୀଙ୍କ ମନକଥା ବୁଝିବାକୁ ହେଲେ ସେମାନଙ୍କ ଭିତରୁ ହିଁ ଜଣେ ରାଷ୍ଟ୍ରପତି ହେବା ଦରକାର’’ ଏ କଥା କହିଛନ୍ତି ୬୪ ବର୍ଷୀୟ ମୁର୍ମୁ ଯାହାଙ୍କର ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ବିହାର ଭଳି ରାଜ୍ୟରେ ପତିଆରା ରହିଛି। ଉଲ୍ଲେଖ କରିବାର କଥା ସାଲଖାନ ସାଂସଦ ଥିବା ବେଳେ ଦ୍ରୌପଦୀ ମୟୂରଭଞ୍ଜର ଜିଲ୍ଲା ବିଜେପି ସଭାପତି ଥିଲେ।

ରାଜନୈତିକ ବିଶେଷଜ୍ଞମାନଙ୍କ ମଧ୍ୟରେ ଯଦି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଏ କେବଳ ପୂର୍ବାଞ୍ଚଳ ନୁହେଁ ସମଗ୍ର ଦେଶର ଆଦିବାସୀଙ୍କ ମନୋଭାବରେ ଏକ ବିରାଟ ପରିବର୍ତ୍ତନ ଆସିବ। ଅନ୍ୟ ଅର୍ଥରେ ୨୦୧୯ ସାଧାରଣ ନିର୍ବାଚନରେ ଏହା ବିଜେପିକୁ ସାହାଯ୍ୟ କରିବ।

ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱକୁ ନେଇ ଝାଡ଼ଖଣ୍ଡ ଆଦିବାସୀ ପରାମର୍ଶ ପରିଷଦର ଜଣେ ସଦସ୍ୟ ରତନ ତିର୍କୀ ଫେସବୁକ୍‌ରେ ଦ୍ରୌପଦୀ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଯୁଗ୍ମ ଫଟୋକୁ ପୋଷ୍ଟ୍ କରିବା ପରେ ଏ ନେଇ ସୋସିଆଲ୍ ମିଡିଆରେ ବି ଚର୍ଚ୍ଚା ବେଶ୍ ଜମିଛି।

ରାଜନୀତିକୁ କିଛି ସମୟ ପାଇଁ ଛାଡ଼ି ଦିଆଯାଇ ଏମିତିବି ଯଦି ଦେଖାଯାଏ, ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ସେହି ପଦକୁ ଅଳଙ୍କୃତ କଲେ ତାହା ଏକ ଐତିହାସିକ ନିଷ୍ପତ୍ତି ହେବ। ବିଶେଷ କରି ବିଜେପିକୁ ଏକ ବ୍ୟବସାୟୀ ଓ ବଣିଆଙ୍କ ଦଳ ବୋଲି ୟୁପିଏ ଯେଉଁ ସମାଲୋଚନା କରି ଆସୁଛି ତାହାର ମୁହଁତୋଡ଼ ଜବାବ ଦେଇହେବ।

ୟୁପିଏ ଯଦିଓ ସବୁବେଳେ ଆଦିବାସୀଙ୍କ କଥା କହିଆସିଛି ଦେଶର ସର୍ବୋଚ୍ଚ ପଦବୀରେ ଏହି ଗୋଷ୍ଠୀର ଜଣକୁ ଅଧିଷ୍ଠିତ କରିପାରି ନାହିଁ ଏବଂ ପ୍ରଥମ ଆଦିବାସୀ ରାଷ୍ଟ୍ରପତି କରିବାର ଶ୍ରେୟ କେବଳ ବିଜେପିକୁ ହିଁ ଯିବ।

ଦ୍ରୌପଦୀ ମୁର୍ମୁ କିଏ?

ଝାଡ଼ଖଣ୍ଡ ରାଜ୍ୟପାଳ ଉପରେ ସେ ୨୦୧୫ ମେ ୧୮ ତାରିଖରେ ଦାୟିତ୍ବ ନେଇଛନ୍ତି। ଝାଡ଼ଖଣ୍ଡର ରାଜ୍ୟପାଳ ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା। ଦୁଇ ଦଶନ୍ଧି ଧରି ଉଭୟ ରାଜନୀତି ଓ ସାମାଜିକ କ୍ଷେତ୍ରରେ ତାଙ୍କର ପ୍ରତିଷ୍ଠା ରହିଆସିଛି। ସେ ପୂର୍ବରୁ ଓଡ଼ିଶା ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ରହିସାରିଛନ୍ତି।

୨୦୦୭ ମସିହାରେ ଓଡ଼ିଶା ବିଧାନସଭା ପକ୍ଷରୁ ସର୍ବଶ୍ରେଷ୍ଠ ବିଧାୟକ ରୂପରେ ତାଙ୍କୁ “ନୀଳକଣ୍ଠ ପୁରସ୍କାର” ମିଳିଥିଲା। ୧୯୯୭ରେ ରାଇରଙ୍ଗପୁର ଏନଏସିରୁ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ବିଜେପିର ଆଦିବାସୀ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟା ବି ରହିଛନ୍ତି।

୨୦୧୦ରେ ତାଙ୍କୁ ମୟୂରଭଞ୍ଜ (ପୂର୍ବ)ର ଜିଲ୍ଲା ସଭାପତି କରାଯାଇଥିଲା। ୨୦୧୩ରେ ପୁଣି ଥରେ ସେ ଏହି ପଦବୀରେ ନିର୍ବାଚିତ ହୋଇଥିଲେ।

ରମାଦେବୀ ମହିଳା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରଫେସର ବି ଥିଲେ।

LEAVE A REPLY

Please enter your comment!
Please enter your name here