ଚାକିରି ଏବଂ ପାଠପଢ଼ାରୁ ଟିକିଏ ଫୁରୁସତ ପାଇଲେ ଯୁବପିଢ଼ି ଖେଳକୁଦରେ ମାତି ଯାଆନ୍ତି । ଆଉ କିଏ ଗାଁ ଛକରେ ଖଟି କରିଥାନ୍ତି । ମାତ୍ର କଟକ ଜିଲ୍ଲାର ବାଙ୍କୀ-ଡମପଡା ବ୍ଲକର ଢ଼ଁସର ଗ୍ରାମର ଏମିତି କିଛି ଯୁବକ ଅଛନ୍ତି ଯେଉଁମାନେ ଫୁରୁସତ ପାଇଲେ ଗଛ ଲଗାଇଥାନ୍ତି । ଗାଁ ଏବଂ ଆଖପାଖ ଅଞ୍ଚଳକୁ ସବୁଜବନାନୀ କରିବା ପାଇଁ ଲାଗି ପଡନ୍ତି । ଢ଼ଁସର ଗ୍ରାମର ଯୁବକମାନେ ‘ସବୁଜ ବାହିନୀ’ ସଙ୍ଗଠନ ଗଠନ କରି ଦୀର୍ଘ ୧୨ ବର୍ଷ ଧରି ଏଭଳି ଉଦ୍ୟମ ଜାରି ରଖିଥିବାରୁ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି। ବାଙ୍କୀ ଏବଂ ଡମପଡା ବ୍ଳକର ଅଧିକାଂଶ ଗ୍ରାମରେ ଗଛ ଲଗାଇ ସବୁଜ ବିପ୍ଲବ ସୃଷ୍ଟି କରିବା ପାଇଁ ସବୁଜ ବାହିନୀର କର୍ମକର୍ତ୍ତା ଲକ୍ଷ୍ୟ ରଖିଛନ୍ତି ।

ସବୁଜ ବାହିନୀର ସୃଷ୍ଟି

ଢ଼ଁସର ଗ୍ରାମର ଆଖପାଖ ଅଞ୍ଚଳ ଏବଂ ମହାପର୍ବତ ପାଦ ଦେଶରୁ ମାଫିଆମାନେ ବଡବଡ ଗଛ କାଟି ନେଉଥିଲେ । ୧୯୯୯ ମହାବାତ୍ୟାରେ ମଧ୍ୟ ବହୁ ମୂଲ୍ୟବାନ ଗଛ ଉପୁଡି ପଡିଥିଲା । ଫଳରେ ମହାପର୍ବତ ପାଇଁ ବିପଦ ସୃଷ୍ଟି ହୋଇଥିଲା । ମହାପର୍ବତର ସୁରକ୍ଷା ପାଇଁ ଏବଂ ଗ୍ରାମ୍ୟ ପରିବେଶକୁ ସୌନ୍ଦର୍ଯ୍ୟ କରିବା ପାଇଁ ଢ଼ଁସର ଗ୍ରାମର ପରିବେଶବିତ୍‍ ସ୍ୱର୍ଗତ ବ୍ରଜେନ୍ଦ୍ର ପ୍ରଧାନ ମହାବାତ୍ୟା ପରେ ଗଛ ଲଗାଇବା ଆରମ୍ଭ କରିଥିଲେ । ସ୍ୱର୍ଗତ ପ୍ରଧାନଙ୍କ ଏହି ଅଭିନବ ପ୍ରୟାସ ଗାଁର କିଛି ଯୁବକଙ୍କୁ ପ୍ରଭାବିତ କରିଥିଲା । ତାଙ୍କ ସଂସ୍ପର୍ଶରେ ଆସି ଯୁବକମାନେ ବୃକ୍ଷରୋପଣ କରିଥିଲେ । ଫଳରେ ୨୦୦୫ରେ ‘ସୁବଜ ବାହିନୀ’ର ସୃଷ୍ଟି ହୋଇଥିଲା । ୮ ଜଣ ଯୁବକଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସଙ୍ଗଠନରେ ଏବେ ପ୍ରାୟ ୨୦ ଜଣ ସକ୍ରିୟ ସଦସ୍ୟ ଅଛନ୍ତି । ଏହାସହ ସ୍କୁଲ ଛାତ୍ରମାନେ ମଧ୍ୟ ସବୁଜବାହିନୀକୁ ସହଯୋଗ କରୁଛନ୍ତି ।

କାର୍ଯ୍ୟ ପରିସର

ସବୁଜ ବାହିନୀର କର୍ମକର୍ତ୍ତା ମୁଖ୍ୟତଃ ମହାପର୍ବତ ପାଦଦେଶରେ ଥିବା ଗ୍ରାମ ମାନଙ୍କରେ ବୃକ୍ଷ ରୋପଣ କରୁଛନ୍ତି । ଏହାଛଡା ସ୍କୁଲ, କଲେଜ ଏବଂ ରାସ୍ତା କଡରେ ମଧ୍ୟ ଗଛ ଲଗାଇ ପରିବେଶ ସଚେତନତାର ବାର୍ତ୍ତା ଦେଇଥାନ୍ତି । ଏହି ସଙ୍ଗଠନ ବର୍ତ୍ତମାନସୁଦ୍ଧା ୫୦୦ରୁ ଊର୍ଦ୍ଧ୍ୱ ବର ଏବଂ ଓସ୍ତ ଗଛ ଲଗାଇଛନ୍ତି । ପଳାଶୁଣି-କଣ୍ଟାବାଡ ରାସ୍ତାରେ ୧୦୦୦ରୁ ଊର୍ଦ୍ଧ୍ୱ ତାଳଗଛ ଲଗାଯାଇଥିବା ବେଳେ କଣ୍ଟାବାଡ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ମଧ୍ୟ ସବୁଜ ବାହିନୀ ୫୦ ଗଛ ଲଗାଇ ପିଲାମାନଙ୍କୁ ପରିବେଶ ସୁରକ୍ଷା ଦିଗରେ ସଚେତନ କରାଇଛନ୍ତି । ଏହାସହ ଗ୍ରାମ ସଫେଇ, ମୃତ୍ତିକା ସଂରକ୍ଷଣ, ପୁରୁଣା ଜଙ୍ଗଲ ସଂରକ୍ଷଣ ଆଦି କାମ କରି ବାଙ୍କୀ ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଖାଲି ସେତିକି ନୁହେଁ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପରିବେଶ ଉପରେ ଡିବେଟ୍‍, କୁଇଜ୍‍ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆଦି ଆୟୋଜନ କରି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥାନ୍ତି ।

ସକ୍ରିୟ କର୍ମୀ

‘ସବୁଜ ବାହିନୀ’ ସଙ୍ଗଠନର କର୍ମକର୍ତ୍ତମାନେ ପରିବାର ପ୍ରତିପୋଷଣ ପାଇଁ ଭିନ୍ନ ଭିନ୍ନ କ୍ଷେତ୍ରରେ ଚାକିରି କରିଛନ୍ତି । ହେଲେ କର୍ମ ବ୍ୟସ୍ତତା ମଧ୍ୟରେ କେବେ ନିଜ ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଇ ନାହାନ୍ତି । ଯିଏ ଯେଉଁଠି ଚାକିରି କରିଥିଲେ ମଧ୍ୟ ସବୁଜ ବାହିନୀ ଯେତେବେଳେ ଡାକରା ଦେଇଥାଏ ସେମାନେ ସମସ୍ତେ ଗାଁରେ ଏକାଠି ହୋଇଥାନ୍ତି। ପରିବେଶକୁ ସବୁଜ କରିବା ପାଇଁ ଲାଗି ପଡନ୍ତି । ଚିତ୍ତ ରଞ୍ଜନ ସାହୁ, ସଞ୍ଜୟ କୁମାର ପଣ୍ଡା, ସନ୍ତୋଷ କୁମାର ଜେନା, ଅଦୈତ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ସୁଶାନ୍ତ କୁମାର ବିଶ୍ୱାଳ, ଅଜିତ କୁମାର ବେଉରା, ସୁରେନ୍ଦ୍ର କୁମାର ପଣ୍ଡା ପ୍ରମୁଖଙ୍କ ନେତୃତ୍ୱରେ ‘ସବୁଜ ବାହିନୀ’ ସବୁଜ ବିପ୍ଲବର ବାର୍ତ୍ତା ପ୍ରଚାର କରି ଆସୁଛି । ଯୁବକମାନଙ୍କର ଏହି ସଚେତନତା ଧର୍ମୀ କାମ ଗ୍ରାମର ମୁରବୀମାନଙ୍କୁ ଖୁସି ଦେଇଛି ।

ଆଗାମୀ କାର୍ଯ୍ୟପନ୍ଥା

ଢ଼ଁସର ଗ୍ରାମ ନିକଟସ୍ଥ ମହାପର୍ବତ ଅଞ୍ଚଳରେ ସବୁଜବନାନୀ ସୃଷ୍ଟି କରିବା ହେଉଛି ସବୁଜ ବାହିନୀର ଲକ୍ଷ୍ୟ । ଏଥିପାଇଁ ଆଗାମୀ ଦିନମାନଙ୍କରେ ଏହି ସଙ୍ଗଠନ ବ୍ୟାପକ ବୃକ୍ଷ ରୋପଣ କରିବାକୁ ଲକ୍ଷ୍ୟ ରଖିଛି । ଏହାସହ ବ୍ଲକର ଅନ୍ୟ ଗ୍ରାମ ମାନଙ୍କରେ ବୃକ୍ଷରୋପଣ କରିବାକୁ ସଙ୍ଗଠନର କର୍ମକର୍ତ୍ତା କହିଛନ୍ତି । ଜୁନ୍‍ ମାସରେ ହେବାକୁ ଥିବା ବିଶ୍ୱ ପରିବେଶ ଦିବସ ଅବସରରେ ଏହି ସଙ୍ଗଠନ ଲୋକମାନଙ୍କୁ ମାଗଣା ଚାରା ବଣ୍ଟନ କରିବା ପାଇଁ ଯୋଜନା କରିଛି । ଏହାସହ ନୂତନ ଜଙ୍ଗଲ ସୃଷ୍ଟି ଏବଂ ପୁରାତନ ଜଙ୍ଗଲର ସଂରକ୍ଷଣ ପାଇଁ ସୁବଜ ବାହିନୀ ଉଦ୍ୟମ ଜାରି ରଖିଛି ।

କ’ଣ କୁହନ୍ତି କର୍ମକର୍ତ୍ତା

ଗାଁ ଛକରେ କିଛି ଯୁବକ ବିଶୃଙ୍ଖଳିତ ଆଚରଣ କରିବାରୁ କିଛି ଶିକ୍ଷିତ ଯୁବକ ଅପରାହ୍ନରେ ପାହାଡ ପାଦଦେଶ ଆଡକୁ ଯାଇ କିଛି ସମୟ ଅତିବାହିତ କରିଥାନ୍ତି । ଏହି ସମୟରେ ପାହାଡ ପାଦ ଦେଶରେ ବହୁ ମୂଲ୍ୟବାନ ଗଛ ନଥିବା ସେମାନଙ୍କ ଆଖିରେ ପଡିଲା । ଫଳରେ ଗଛ ଲଗାଇବା ପାଇଁ ଶିକ୍ଷତ ଯୁବକମାନେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ଗଛ ଲଗାଇବା ଆରମ୍ଭ କଲେ । ବୃକ୍ଷରୋପଣ ପାଇଁ ଆମେ ସରକାରୀ ଅର୍ଥକୁ ଆଶା କରିନୁ । କାରଣ ଯଦି ସରକାରୀ ଅର୍ଥ ଆସେ ତାହାଲେ ଯେଉଁ ମହତ ଉଦ୍ଦେଶ୍ୟ ନେଇ ‘ସବୁଜ ବାହିନୀ’ ଆରମ୍ଭ ହୋଇଛି ତା’ ଉପରେ ରାଜନେତାମାନଙ୍କ ନଜର ପଡିଯିବ । ଫଳରେ ଏହି ସଙ୍ଗଠନ ଆଗକୁ ଯିବା ବଦଳରେ ପଛାଇଯିବ । ଆମ ନିଜସ୍ୱ ପ୍ରଚେଷ୍ଟାରେ ଏହି କାମ ଆଗେଇ ଚାଲିଛି ।

-ସୁରେନ୍ଦ୍ର କୁମାର ପଣ୍ଡା, ସକ୍ରିୟ ସଦସ୍ୟ

କୃଷ୍ଣଚୂଡା ଗଛର ସମ୍ଭାରରେ ଢ଼ଁସର-ତୁଳସୀପୁର ରାସ୍ତା ହସି ଉଠୁଥିଲା । ଆମେ ଯେତେବେଳେ ପିଲା ଥିଲୁ ସେତେବେଳେ ଆମେ କୃଷ୍ଣଚୂଡା ଫୁଲ ଏବଂ ଫଳ ଆଣି ଖେଳୁଥିଲୁ। କିନ୍ତୁ ଆମେ କଲେଜ ଯିବା ବେଳକୁ ରାସ୍ତା ପ୍ରଶସ୍ତିକରଣ ପାଇଁ କୃଷ୍ଣଚୂଡା ଗଛସବୁ କଟା ହୋଇ ଯାଇଥିଲା। ତେଣୁ ଗଛ ଳଗାଇବା ପାଇଁ ଆମେ ସ୍ଥିର କଲୁ । ଗଛ ଲଗାଇବା ପ୍ରକ୍ରିୟା ଆରମ୍ଭ କରିବା ବେଳେ ପରିବେଶବିତ୍‍ ସ୍ୱର୍ଗତ ବ୍ରଜେନ୍ଦ୍ର ପ୍ରଧାନଙ୍କ ସଂସ୍ପର୍ଶରେ ଆସିଲୁ । ସେହିଦିନରୁ ଗଛ ଲଗାଇବା ଅଭିଯାନ ଜାରି ରହିଛି ।

-ସନ୍ତୋଷ କୁମାର ଜେନା, ସକ୍ରିୟ ସଦସ୍ୟ

(ପ୍ରସ୍ତୁତି: ସରୋଜ)

LEAVE A REPLY

Please enter your comment!
Please enter your name here