ଓଡ଼ିଶାଲାଇଭ୍‍ ବ୍ୟୁରୋ

ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ତିଆରି ହୋ‍ଇଥିବା ପ୍ରାମାଣିକ ଚଳଚ୍ଚିତ୍ର ‘ଦ ଲର୍ଡ ଅଫ୍‍ ଦ ୟୁନିଭର୍ସ’ ପାଇଁ ରଜତ କମଳ ପାଇଥିବା ଓଡ଼ିଆ ସିନେ ନିର୍ମାତା ଶିବୁ ପୃଷ୍ଟିଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ରାଜ୍ୟ ସଚିବାଳୟଠାରେ ସମ୍ମାନିତ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଏହି ସିନେମାର ପ୍ରମୋ ଦେଖିଥିଲେ ଏବଂ ଏହାର ଉଚ୍ଚ ପ୍ରଶଂସା କରିଥିଲେ।

“ଜଗନ୍ନାଥ ସଂସ୍କୃତି ଉପରେ ପୂର୍ବରୁ ସିନେମା ତିଆରି ହୋ‍ଇଥିଲେ ମଧ୍ୟ ମୋ ସିନେମାରେ ମୁଁ ଏକ ଭିନ୍ନ ଦୃଷ୍ଟିଭଙ୍ଗୀରେ ଏହାକୁ ଦେଖେଇବାକୁ ଚେଷ୍ଟା କରିଛି। ଏହି ସିନେମା ମାଧ୍ୟମରେ ଜଗନ୍ନାଥଙ୍କ ସମ୍ପର୍କୀୟ ତଥ୍ୟ ତଥା ଏହା ଉପରେ ଥିବା ଓଡ଼ିଶାବାସୀଙ୍କ ବିଶ୍ୱାସକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ପ୍ରୟାସ କରିଛି”, କହିଛନ୍ତି ଶ୍ରୀ ପୃଷ୍ଟି, ଯିଏକି ନିଜକୁ ଓଡ଼ିଆ ଭାବେ ଗର୍ବ ଅନୁଭବ କରନ୍ତି।

କୌଣସି ଆର୍ଥିକ ସହଯୋଗ ବିନା ଶ୍ରୀ ପୃଷ୍ଟି ଏହି ସିନେମାକୁ ତିଆରି କରିବା ପାଇଁ ମନସ୍ଥ କରିଥିଲେ ଏବଂ ପରେ ଏହା ହିଁ ଆଣିଦେଇଛି ତାଙ୍କୁ ଜାତୀୟ ସ୍ତରରେ ପରିଚିତି।

ଇଂରାଜୀରେ ନିର୍ମାଣ ହୋ‍ଇଥିବା ୫୫ ମିନିଟ୍‍ ଅବଧିର ଏହି ସିନେମାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ତଥା ଅନ୍ୟାନ୍ୟ ପରମ୍ପରା ବିଷୟରେ ପ୍ରଦର୍ଶନ କରାଯାଇଛି। ପୂର୍ବରୁ ଅନେକ ଟିଭି ବିଜ୍ଞାପନ, ସିରିଅଲ୍‍, ସିନେମାରେ ଚିତ୍ରୋତ୍ତଳନକାରୀଭାବେ କାର୍ଯ୍ୟ କରିବା ଶ୍ରୀ ପୃଷ୍ଟିଙ୍କର ଏହା ପ୍ରଥମ ନିର୍ଦ୍ଦେଶିତ ସିନେମା। କଟକସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‍ରୁ ଶିକ୍ଷା ଲାଭ କରିବା ପରେ ମାୟାନଗରୀ ମୁମ୍ବାଇକୁ ନିଜର କର୍ମଭୂମି ରୂପେ ବାଣ୍ଟି ଦେଇଥିଲେ। “ଏହି ସିନେମାର ସୁଟିଂ ଓଡ଼ିଶାରେ ହୋ‍ଇଥିଲା। ହେଲେ ସମସ୍ତ ପୋଷ୍ଟ ପ୍ରଡକ୍ସନ୍ସ କାମ ମୁମ୍ବାଇରେ କରିଥିଲୁ”, ଓଡ଼ିଶାଲାଇଭ୍‍କୁ କହିଛନ୍ତି ଶ୍ରୀ ପୃଷ୍ଟି।

ଚିତ୍ରୋତ୍ତଳନକାରୀ ଭାବେ କାମ କରିଥିବା ତାଙ୍କର ସିନେମାଗୁଡିକ ମଧ୍ୟରୁ ବ୍ଲୁ ମାଉଣ୍ଟେନ୍‍, ଡେଲି ଖବର, କବୁତର, କଣ୍ଟେସି ଅନ୍ୟତମ। ଲୋକପ୍ରିୟ ଟିଭି ସିରିୟଲ୍‍ କ୍ରାଇମ୍‍ ପେଟ୍ରୋଲ୍‍, ସତ୍ୟମେବ ଜୟତେରେ ମଧ୍ୟ ସେ ନିଜ କ୍ୟାମେରାର ଯାଦୁ ଦେଖାଇଛନ୍ତି। ଆମ ରାଜ୍ୟ ସଂସ୍କୃତି ଓ ସାହିତ୍ୟ ଏତେ ସମୃଦ୍ଧ ହୋ‍ଇଥିଲେ ମଧ୍ୟ ଓଡ଼ିଆ ସିନେମାର ମାନ ହ୍ରାସ ପାଇବା ପାଇଁ ସେ ଉଭୟ ଦର୍ଶକ ଓ ସିନେ ନିର୍ମାତାଙ୍କୁ ଦାୟୀ ମନେକରନ୍ତି।

ମୁମ୍ବାଇରେ ରହି କାମ କରୁଥିଲେ ମଧ୍ୟ ଓଡ଼ିଆ ସିନେମାରେ କାମ କରିବାକୁ ସେ ସର୍ବଦା ଆଗ୍ରହୀ। “ଭଲ ବିଷୟବସ୍ତୁ ଉପରେ କାମ କରିବାର ସୁଯୋଗ ପାଇଲେ ମୁଁ ନିଜ ରାଜ୍ୟ ପାଇଁ କାମ କରିବାରେ ଗର୍ବ ଅନୁଭବ କରିବି”, କହିଛନ୍ତି ଶ୍ରୀ ପୃଷ୍ଟି।

LEAVE A REPLY

Please enter your comment!
Please enter your name here