ଓଡ଼ିଶାଲାଇଭ୍‍ ବ୍ୟୁରୋ

ଓଡ଼ିଶାରେ ଆମ୍ବର ଉତ୍ପାଦନ କ୍ଷମତା ଯେତିକି ବିପୁଳ ତାହାର ନାମକରଣ ମଧ୍ୟ ସେହିଭଳି ବିଶାଳ। ଆମ୍ରପଲ୍ଲୀ, ବାଇଗଣପଲ୍ଲୀ, ତୋଟାପୁରି, ଲେଙ୍ଗଡ଼ା, ଦସେରି, ସୁବର୍ଣ୍ଣରେଖା, ହିମ୍ ସାଗର, ମଲ୍ଲିକା, ନିଲମ ଭଳି ଆମ୍ବର ଚାହିଦା କିଛି ଅଧିକ।

ନାବାର୍ଡ ତରଫରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆମ୍ବ ମହୋତ୍ସବ। ରାଜ୍ୟପାଳ ଏସ ସି ଜମିର ଏହି ୪ ଦିନିଆ ଉତ୍ସବକୁ ଆରମ୍ଭ କରି କହିଛନ୍ତି ଯେ,”ଚାଷୀ ମାନଙ୍କ ସ୍ଥିତି ଆକଳନ କରି ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ କରିବାକୁ ହେବ। ବଜାରରେ ସେମାନଙ୍କ ସାମଗ୍ରୀ କେମିତି ପହଞ୍ଚିପାରିବ ଓ ସେମାନେ ଉଚିତ ମୂଲ୍ୟ ପାଇବେ ତାହା ଉପରେ ଗୁରୁତ୍ୱ ଦିଆଗଲେ ଯାଇ କୃଷିକ୍ଷେତ୍ର ଲୋଭନୀୟ ହୋଇ ପାରିବ।”

ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥାଏ ବହୁ ସଂଖ୍ୟକ ଉତ୍ସବ, ବର୍ଷ ସାରା। ଆମ୍ବ ଉତ୍ସବ କିନ୍ତୁ ନିଆରା। ଉତ୍ସବ ଓ ପ୍ରଦର୍ଶନୀ ଉଭୟ ଗୋଟିଏ ସମୟରେ ହେଉଥିବାରୁ ଏହାର ମଜା କିଛି ଅଲଗା। ନାବାର୍ଡ ପକ୍ଷରୁ ବିଗତ କିଛି ବର୍ଷ ଧରି ଏହିଭଳି ଉତ୍ସବ ପାଳନ କରାଯାଇ ଆସିଛି।

ପ୍ରଦର୍ଶନୀଟି ଏଥିପାଇଁ ମହତ୍ଵପୂର୍ଣ୍ଣ ଯେ ସମଗ୍ର ରାଜ୍ୟରୁ ଆମ୍ବ ଚାଷୀ ଏଥିରେ ଭାଗ ନିଅନ୍ତି। ନାବାର୍ଡର ‘ୱ।ଡ଼ି’ କାର୍ଯ୍ୟକ୍ରମ ଅଧୀନରେ ଏହା ଆୟୋଜିତ ହୋଇଥାଏ। ଏବର୍ଷ ୧୭ ଜିଲ୍ଲାର ଆମ୍ବ ଚାଷୀ ଏହି ଉତ୍ସବକୁ ଆସିଛନ୍ତି। ପ୍ରାୟ ୨୦ ପ୍ରକାର ଆମ୍ବ ଏହି ପ୍ରଦର୍ଶନୀରେ ଦେଖିବାକୁ ମିଳୁଛି। ସବୁଠାରୁ ବଡ଼ କଥା ହେଉଛି ବିନା କାରବାଇଡ଼ରେ ଆପଣ ଏଠି ଆମ୍ବର ସ୍ୱାଦ ପରୀକ୍ଷା କରି ପାରିବେ।

ଓଡ଼ିଶାରେ ଆମ୍ବର ଉତ୍ପାଦନ କ୍ଷମତା ଯେତିକି ବିପୁଳ ତାହାର ନାମକରଣ ମଧ୍ୟ ସେହିଭଳି ବିଶାଳ। ଆମ୍ରପଲ୍ଲୀ, ବାଇଗଣପଲ୍ଲୀ, ତୋଟାପୁରି, ଲେଙ୍ଗଡ଼ା, ଦସେରି, ସୁବର୍ଣ୍ଣରେଖା, ହିମ୍ ସାଗର, ମଲ୍ଲିକା, ନିଲମ ଭଳି ଆମ୍ବର ଚାହିଦା କିଛି ଅଧିକ। ମାଲକାନଗିରି, କୋରାପୁଟ, ଢେଙ୍କାନାଳ ଆଦି ବିଭିନ୍ନ ଜିଲ୍ଲାରୁ ଆସିଥିବା ଚାଷୀ ଆମ୍ବକୁ ପ୍ରଦର୍ଶିତ କରିବା ସହିତ ସରକାରଙ୍କ ପକ୍ଷରୁ ଯେଉଁ ବିକାଶ ସମ୍ପର୍କିତ ସୂଚନା ଦିଆଯାଏ ତାହା ମଧ୍ୟ ଏହି ପ୍ରଦର୍ଶନୀର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ତେବେ
ସବୁଠାରୁ ବଡ଼ କଥା ହେଉଛି ଓଡିଶାର ଆମ୍ବ ଚାଷୀମାନେ କିଭଳି ସେମାନଙ୍କ ପରିଶ୍ରମର ମୂଲ୍ୟ ପାଇବେ। ରାଜ୍ୟରେ ଉତ୍ପାଦିତ ସାମଗ୍ରୀର ବିପଣନ ପାଇଁ ବଜାର ନଥିବା ବେଳେ ବିକ୍ରି ହୋଇ ନପାରି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ବରାବର ହୋଇଆସିଛି।

ଓଡ଼ିଶାରେ ମିଳୁଥିବା ଆମ୍ବ ବିଦେଶକୁ ରପ୍ତାନି କରିବା ପାଇଁ ଏକ ନକ୍‌ସା ପ୍ରସ୍ତୁତ ହୋଇଛି ବୋଲି ଆମେ ଏକ ରିପୋର୍ଟ ନିକଟରେ ପ୍ରକାଶ କରିଥିଲୁ। ଯଦି ତାହା ସଫଳ ହୁଏ ଆମ ଆମ୍ବ ଚାଷୀମାନଙ୍କ ଆର୍ଥିକ ଅବସ୍ଥା ଅନେକ ମାତ୍ରାରେ ବୃଦ୍ଧି ପାଇବ ବୋଲି ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୁହାଯାଇଛି।

କଳାହାଣ୍ଡି ଜିଲ୍ଲାରୁ ଆସିଥିବା ଜଣେ ଚାଷୀ ବିକାଶ ପ୍ରଧାନ କହନ୍ତି,” ଆମ୍ବ ପାଇଁ ଏକ ମାର୍କେଟିଂ ଚେନ୍‌ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି”। ବାର ଏକର ଜମିରେ ୪୦୦ ଆମ୍ବ ଗଛ ଲଗାଇଥିବା ପ୍ରଧାନ କହିଛନ୍ତି ଯେ ସେ ଏଯାଏଁ ୭୦ କୁଇଣ୍ଟାଲ ଆମ୍ବ ଅମଳ ଶେଷ କରିଛନ୍ତି। ଆଗାମୀ କିଛି ଦିନ ମାଧ୍ୟରେ ଆଉ ୧୦୦ କୁଇଣ୍ଟାଲ ଆମ୍ବ ପାଇବେ।

କେବଳ ବିକାଶ ନୁହନ୍ତି ଅନ୍ୟ ଜିଲ୍ଲାରୁ ଆସିଥିବା ଆମ୍ବ ଚାଷୀ ମଧ୍ୟ ସେଇ କଥା କହିଛନ୍ତି: ବିକ୍ରି ବୃଦ୍ଧି ପାଇଁ କିଛି ବ୍ୟବସ୍ଥା ଗ୍ରହଣ କରିବା ସହିତ ଏକ ନୂଆ ପ୍ରଣାଳୀ ବାହାରିବା ଦରକାର। ଆମ୍ବ ଏକ ସାମୟିକ ଉତ୍ପାଦ ହୋଇଥିବାରୁ ଏଥିପାଇଁ ପ୍ରକ୍ରିୟାକରଣର ବ୍ୟବସ୍ଥା ଗ୍ରହଣ କରିବା ହିଁ ହେଉଛି ସମୟର ଆବଶ୍ୟକତା।

LEAVE A REPLY

Please enter your comment!
Please enter your name here