ଓଡ଼ିଶାଲାଇଭ୍‍ ବ୍ୟୁରୋ

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୧୯ତମ ପ୍ରତିଷ୍ଠା ଦିବସ

ସମୟ ସହ ତାଳଦେଇ ଚାଲିବାକୁ ହେବ। ଶ୍ରେଷ୍ଠ ୨୦୦ ମଧ୍ୟରେ ରହିବାକୁ ପଡିବ। ବିଶ୍ୱବିଦ୍ୟାଳୟକୁ ବିଶ୍ୱ ସହ ଯୋଡିବାର ସମୟ ଆସିଛି ବୋଲି ଓଡ଼ିଶାର ରାଜ୍ୟପାଳ ଡକ୍ଟର ଏସ୍‌ସି ଜମିର କହିଛନ୍ତି। ଭୁବନେଶ୍ୱରର ରବୀନ୍ଦ୍ରମଣ୍ଡପରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୧୯ତମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ତଥା କୁଳାଧିପତି ଡକ୍ଟର ଜମିର ଓଡ଼ିଶାର ପରମ୍ପରା, କଳା, ସାହିତ୍ୟ ଓ ସ୍ଥାପତ୍ୟ ଉପରେ ଗଭୀର ଆଲୋକପାତ କରିଥିଲେ।

ଓଡ଼ିଶାର ସାଂସ୍କୃତିକ ବୈଭବ ବିଶ୍ୱ ବିଦିତ। ଏ ମାଟିର ବୀରତ୍ୱ ଅବର୍ଣ୍ଣନୀୟ। ପଟ୍ଟଚିତ୍ର, ବାନ୍ଧକଳା, ପଥର ଶିଳ୍ପ ଭାରତୀୟ ସଂସ୍କୃତିକୁ ପରିସ୍ଫୁଟ କରିଛି ବୋଲି ସେ କହିଥିଲେ। ବିଶ୍ୱବିଦ୍ୟାଳୟଗୁଡିକ ବିଶ୍ୱସହ ଯୋଡିହେବାର ଆବଶ୍ୟକତା ରହିଛି। ଆମକୁ ଶ୍ରେଷ୍ଠ ୨୦୦ମଧ୍ୟରେ ରହିବାକୁ ପଡିବ। ଆବଶ୍ୟକ ଆହ୍ୱାନର ସମ୍ମୁଖୀନ ହୋଇ ବିଶ୍ୱସ୍ତରୀୟ ଗବେଷଣା, ନୂତନ ପାଠ୍ୟକ୍ରମ ପ୍ରଣୟନ ସହ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଦରକାର ବୋଲି ରାଜ୍ୟପାଳ କହିଥିଲେ।

ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କମଳକାନ୍ତ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ରାଜ୍ୟ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ, କୁଳସଚିବ ସୁମନ ଦାସ ପ୍ରମୁଖ ଯୋଗଦେଇଥିଲେ। ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଜଗନ୍ନାଥ କୁଅଁର ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ରାଜ୍ୟପାଳ ଡକ୍ଟର ଜମିର ବିଶ୍ୱବିଦ୍ୟାଳୟର ମୁଖପତ୍ର ରୂପାୟନ ଉନ୍ମୋଚନ କରିଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

Comment