ଭାସ୍କର ପରିଚ୍ଛା

ଭାରତରେ ରାଷ୍ଟ୍ରପତି ନିର୍ବାଚନ ପ୍ରାୟତଃ ଏକ ପ୍ରାଣହୀନ କସରତ। ଏଥିରେ ମଜା ନଥାଏ କି ଉନ୍ମାଦନା ନଥାଏ। ଆମେରିକାରେ ଟ୍ରମ୍ପଙ୍କ ନିର୍ବାଚନ ପାଇଁ ଯେଉଁଭଳି ଉତ୍ସାହ ଦେଖାଦେଇଥିଲା ଏଠାରେ ତାହା ନାହିଁ। ନଥିବାର କାରଣ ସେଠି ରାଷ୍ଟ୍ରପତି ସିଧାସଳଖ ନିର୍ବାଚିତ ହୁଅନ୍ତି। ଭାରତରେ ରାଷ୍ଟ୍ରପତି ପରୋକ୍ଷ ଭାବେ ନିର୍ବାଚିତ ହେଉଥିବାରୁ କେନ୍ଦ୍ରରେ ଶାସନ ଭାର ଗ୍ରହଣ କରିଥିବା ସରକାର ହିଁ ଏଥିରେ ମୁଖ୍ୟ କାରପଟଦାର ହୋଇଥାନ୍ତି।

ବର୍ତ୍ତମାନ ରାଷ୍ଟ୍ରପତି ଥିବା ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାହା ଜୁଲାଇ ୧୭ ନିର୍ବାଚନରେ ସ୍ପଷ୍ଟ ହେବ। ତେବେ ସବୁଥର ପରି ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ବି ସେଭଳି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କଥା ନାହିଁ। ମୋଦି ସରକାର ଯାହାକୁ ଚାହିଁବେ ସେ ହିଁ ରାଷ୍ଟ୍ରପତି ଭବନରେ ଅଧିଷ୍ଠିତ ହେବେ।

ସ୍ୱାଧିନତା ପରଠାରୁ ଏହି ପ୍ରାଣହୀନ ଓ ଗତାନୁଗତିକ ନିର୍ବାଚନରେ ଥରେ ମାତ୍ର କିଛି ଉତ୍ସାହ ଦେଖା ଦେଇଥିଲା ୧୯୬୯ରେ। ଏହି ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜର ‘ବିବେକ ଭୋଟ’ ପ୍ରୟୋଗ କରିବା ପାଇଁ ଯେଉଁ ଆବାହାନ ଦେଇଥିଲେ ତା’ର ଫଳସ୍ୱରୂପ ନିଲମ ସଞ୍ଜୀବ ରେଡ଼ି ନିର୍ବାଚିତ ନହୋଇ ଭି ଭି ଗିରି ରାଷ୍ଟ୍ରପତି ହୋଇଥିଲେ। ଏଇ ଗୋଟିଏ ନିର୍ବାଚନକୁ ଛାଡିଦେଲେ ଏ ପର୍ଯ୍ୟନ୍ତ ଯେତେ ସବୁ ନିର୍ବାଚନ ହୋଇଛି ସେଥିରେ ସରକାରଙ୍କ ପକ୍ଷରୁ ଯାହାଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରାଯାଇଛି ସେ ହିଁ ରାଇସିନିଆ ହିଲରେ ଶପଥ ନେଇଛନ୍ତି।

୧୯୬୯ରେ ଇନ୍ଦିରାଗାନ୍ଧୀ ସରକାରଙ୍କ ପକ୍ଷରୁ ଦଳୀୟ ପ୍ରାର୍ଥୀ କରାଯାଇଥିବା ରେଡ଼ିଙ୍କୁ ଭୋଟ ନଦେଇ ଗିରିଙ୍କୁ କଂଗ୍ରେସ ସାଂସଦ ଓ ବିଧାୟକ ମାନେ ବହୁଳ ସଂଖ୍ୟାରେ ଭୋଟ ଦେବା ଫଳରେ ସେହି ନିର୍ବାଚନଟି ଏକ ନୂଆ ଇତିହାସ ସୃଷ୍ଟି କରିଥିଲା ଓ ଢ଼େର ଦିନ ପର୍ଯ୍ୟନ୍ତ ଇନ୍ଦିରା ଗାନ୍ଧୀ ସମାଲୋଚନାର ପାତ୍ର ହୋଇଥିଲେ।

ଦେଖିବାକୁ ଗଲେ ୧୯୬୯ ପୂର୍ବରୁ ଓ ପରେ ଯେଉଁ ପ୍ରାର୍ଥୀ କେନ୍ଦ୍ରରେ କ୍ଷମତାରେ ଥିବା ସରକାରଙ୍କ ପସନ୍ଦ ସେ ହିଁ ରାଷ୍ଟ୍ରପତି ହୋଇ ଆସିଛନ୍ତି। ବିରୋଧୀ ଦଳ ପକ୍ଷରୁ ଯିଏ ବି ପ୍ରାର୍ଥୀ ହୋଇଛନ୍ତି ତାହା କେବଳ ଏକ ପ୍ରତୀକ ଲଢେଇରେ ସୀମିତ ରହିଛି। ବିରୋଧୀଙ୍କ ପକ୍ଷରୁ ଯାହାକୁ ଛିଡ଼ା କରାଯାଇଥାଏ ତାହା କେବଳ ଏକ ରାଜନୈତିକ ଘଟଣାକ୍ରମ ହୋଇ ରହିଯାଏ।

୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ତା’ର ସହଯୋଗୀ ଦଳ ଓ ନୂଆ ବନ୍ଧୁ ଦଳର ସଦସ୍ୟମାନଙ୍କୁ ନେଇ ନିଜ ପ୍ରାର୍ଥୀଙ୍କୁ ଜିତାଇପାରିବ ଏଥିରେ ଆଦୌ ସନ୍ଦେହ ନାହିଁ। ତେଲେଙ୍ଗାନା ରାଷ୍ଟ୍ରସମିତି, ଏଆଇଡିଏମକେ ଓ ବିଜୁ ଜନତା ଦଳର ସମର୍ଥନରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହେବେ ଏହା ସ୍ପଷ୍ଟ ଦେଖାଯାଉଛି।ଯଦିଓ ବିଜେଡି ଓ ବିଜେପି ମଧ୍ୟରେ ଓଡ଼ିଶାରେ କଳିର ଅଭାବ ନାହିଁ, ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିରୋଧୀଙ୍କ ସହିତ ମିଶିବ ସେହି ସମ୍ଭାବନା ନାହିଁ। ତେବେ କଥା ରହିଛି ବିଜେପି କାହାକୁ ପ୍ରାର୍ଥୀ କରୁଛି। ସେ ଯଦି ଜଣେ ନିର୍ବିବାଦୀୟ ପ୍ରାର୍ଥୀ ହୁଅନ୍ତି ଜାଣନ୍ତୁ ତାଙ୍କ ଜିତିବା ସୁନିଶ୍ଚିତ। ବିରୋଧୀ ଦଳର ପ୍ରାର୍ଥୀଙ୍କୁ କେବଳ ଅଳ୍ପ କିଛି ଭୋଟରେ ସନ୍ତୁଷ୍ଟ ହୋଇ ରହିବାକୁ ପଡ଼ିବ। ଏଣୁ ମୋଦି-ଶ।ହା ଟିମ୍‍ କାହାକୁ ରାଷ୍ଟ୍ରପତି ପଦ ପାଇଁ ବାଛିଛନ୍ତି ତାହାରି ଉପରେ ନିର୍ବାଚନର ଫଳ ନିର୍ଭର କରିବ।

୧୪ ତାରିଖରେ ବିରୋଧୀ ଓ କଂଗ୍ରେସ୍‌ ନେତାମାନେ ତାଙ୍କ ପ୍ରାର୍ଥୀ ସମ୍ପର୍କରେ ଆଲୋଚନା କରିବା ପାଇଁ ବୈଠକ କରୁଛନ୍ତି। ତେବେ ବିଜେପି ସରକାର ଯେ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନିଶ୍ଚିନ୍ତରେ ବସି ଯାଇପାରିବେ ସେ କଥା ବି ନୁହଁ। ଏମିତି ବି ଦେଖାଯାଇଛି ଅତୀତରେ ସହଯୋଗୀ ଦଳ ଅନ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ଆଞ୍ଚଳିକ ବିଚାର ଏ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବାର ଦୃଷ୍ଟାନ୍ତ ରହିଛି।

୨୦୦୭ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ତରଫରୁ ଭଇରୋଂ ସିଂହ ଶେଖାୱତଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରାଯାଇଥିଲା ଅଥଚ ବିଜେପିର ସହଯୋଗୀ ଦଳ ଶିବ ସେନା ପ୍ରତିଭା ପାଟିଲଙ୍କୁ ଭୋଟ ଦେଇଥିଲା। ଏଥର ବି ବିଜେପି ଓ ଶିବ ସେନା ତଥା ଅକାଳି ଦଳ ଭିତରେ ସମ୍ପର୍କ ଏତେ ଭଲ ନାହିଁ। କିନ୍ତୁ ଏହି ଦୁଇ ଦଳ ପକ୍ଷରୁ ବିଦ୍ରୋହୀ ମନୋଭାବ ପୋଷଣ କରାଯିବ ତାହା ନୁହେଁ।

ଅବଶ୍ୟ ଏମିତି ବି ହୋଇପାରେ ଯଦି ବିଜେପି ଜଣେ ବିବାଦୀୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରେ ଅଥବା ବିରୋଧୀ ଜଣେ ଉତ୍ତମ ପ୍ରାର୍ଥୀ ଦିଅନ୍ତି ବିଜେପିର ସହଯୋଗୀ ଦଳ ମତ ପରିବର୍ତ୍ତନ କରିପାରନ୍ତି। ଇତି ମଧ୍ୟରେ ବିଜେପି ପକ୍ଷରୁ ଏକ ତିନି ଜଣ ସଦସ୍ୟ ବିଶିଷ୍ଟ କମିଟି ଗଠିତ ହୋଇଛି ଯେଉଁ କମିଟି ଅନ୍ୟ ଦଳର ସହଯୋଗ ଲୋଡ଼ିବ।

କଥା ହେଉଛି ବିରୋଧୀ ଦଳର ନେତାମାନେ ଏକାଠି ହେବା ପରେ ଆଗକୁ କ’ଣ ଘଟୁଛି ଜଣାପଡ଼ିବ। କଂଗ୍ରେସ, ଡିଏମକେ, ଜନତା ଦଳ(ୟୁ), ସମାଜବାଦି ପାର୍ଟି, ବାମପନ୍ଥୀ ଓ ତୃଣମୂଳ କଂଗ୍ରେସ ପକ୍ଷରୁ ଜଣେ ସର୍ବସମ୍ମତ ବ୍ୟକ୍ତିଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରାଯିବ। ସକ୍ରିୟ ରାଜନୀତିରେ ନଥିବା ଜଣେ ବରିଷ୍ଠ ନାଗରିକ ବିରୋଧୀ ଦଳର ପ୍ରାର୍ଥୀ ହେବା ଖୁବ୍ ସମ୍ଭବ।

ମୋଟାମୋଟି ଯଦି ଦେଖାଯାଏ, ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ଓ ତା’ର ସାଥୀ ଦଳଙ୍କ ପକ୍ଷରୁ ଯିଏ ପ୍ରାର୍ଥୀ ହେବେ ସେ ଜିତିବା ଏକ ପ୍ରକାର ନିଶ୍ଚିତ। ଅନ୍ୟ ଅର୍ଥରେ,ଏଥର ରାଷ୍ଟ୍ରପତି ନିର୍ବାଚନରେ ସେଭଳି କୌଣସି ଘଟଣା ଘଟିବ ନାହିଁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶା ଲାଇଭର ପରାମର୍ଶଦାତା ସମ୍ପାଦକ)

LEAVE A REPLY

Please enter your comment!
Please enter your name here