ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଧୁନିକତାର ପ୍ରଭାବରେ ବିଭିନ୍ନ ପ୍ରକାରର ଲୋକକଳା ଓ ପରମ୍ପରା କିଭଳି ଲୋପ ପାଇବାକୁ ବସିଲାଣି ତାର ଜ୍ଵଳନ୍ତ ଉଦାହରଣ ହେଉଛି ଝୁମର।

ମୟୁରଭଞ୍ଜ ଜିଲ୍ଲାର କୁଡୁମି ସମ୍ପ୍ରଦାୟଙ୍କ ଲୋକମାନଙ୍କ ପ୍ରିୟ ନୃତ୍ୟ ହେଉଛି ଝୁମର। ପରିବେଷଣ ଶୈଳୀ ଏହାର ଚମତ୍କାର। ବିଶେଷ କରି ବାରିପଦା ସହର ଆଖ ପାଖ ଅଞ୍ଚଳରେ ଏହି ପରମ୍ପରା ଦେଖିବାକୁ ମିଳେ। ବିଶେଷ ଅବସରମାନଙ୍କରେ ଓ ବିଭିନ୍ନ ଉତ୍ସବ ପାଳନ ବେଳେ ଝୁମର ପରିବେଷଣ କରାଯାଇଥାଏ। ଝୁମର ଉଭୟ ପୁଅ ଓ ଝିଅଙ୍କ ନୃତ୍ୟ।

କୁହାଯାଏ ଯେ ଅଷ୍ଟାଦଶ ଶତାବ୍ଦୀରୁ ଏହି ନୃତ୍ୟ ପରମ୍ପରା ଚାଲିଆସୁଛି। ତେବେ ଏହି ନୃତ୍ୟକୁ ନେଇ ବିଶେଷ ଗବେଷଣା ହୋଇ ନାହିଁ। କିଭଳି ଝୁମର ଜନ୍ମ ନେଲା ଓ କାହିଁକି ଏହା ଲୋକପ୍ରିୟ ହୋଇ ଉଠିଲା ସେ ସମ୍ପର୍କରେ ସୂଚନା ବିଶେଷ କିଛି ନାହିଁ।

ମୟୁରଭଞ୍ଜ ଜିଲ୍ଲାରେ ପ୍ରାୟ ୭ ଲକ୍ଷ କୁଡୁମି ବସବାସ କରନ୍ତି। ସେମାନଙ୍କ ଏହି ପ୍ରିୟ ନୃତ୍ୟକୁ ସଂରକ୍ଷିତ, ପ୍ରସାରିତ ଓ ଅଧିକ ଲୋକପ୍ରିୟ କରିବା ପାଇଁ କେନ୍ଦ୍ର ସରକାର ଏକ ଝୁମର ଏକାଡେମୀ ପ୍ରତିଷ୍ଠା ପାଇଁ ରାଜି ହୋଇଥିଲେ। ଉଦ୍ଦେଶ୍ୟ ଥିଲା ନୂତନ ଭାବେ ଯୁବକଙ୍କୁ ଏଥିରେ ତାଲିମ ପ୍ରଦାନ କରାଯିବ ଯାହା ଫଳରେ ପରମ୍ପରାଟିକୁ ବଞ୍ଚେଇ ରଖିହେବ।

ଚାରି ବର୍ଷ ତଳେ ବେତନଟୀଠାରେ ଏହି ଏକାଡେମୀର ମୂଳଦୁଆ ପକାଯାଇଥିଲା। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବେତନଟୀ ଦମକଳ କେନ୍ଦ୍ର ନିକଟରେ ୫୦ ଡିସିମିଲ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ସେହି ଜମିକୁ ଏକାଡେମୀ ପକ୍ଷରୁ ଅଧିଗ୍ରହଣ କରାଯାଇନାହିଁ। ସେହିଭଳି ଗ୍ରାମୀଣ ବିକାଶ ଟ୍ରଷ୍ଟ ପକ୍ଷରୁ ଏକାଡେମୀର ଭିତ୍ତିଭୂମି ଉନ୍ନୟନ ପାଇଁ ୮୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା।

ଏପରିକି ସ୍ଥାନୀୟ ସାଂସଦ ଓ ବିଧାୟକ ମଧ୍ୟ ସେମାନଙ୍କ ଉନ୍ନୟନ ପାଣ୍ଠିରୁ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ।କି ନ୍ତୁ କଥା ସେତିକିରେ ହିଁ ଅଟକିଛି।

ଜଣେ ଝୁମର ଶିଳ୍ପୀ ବୀଣାପାଣି ମହନ୍ତ କହନ୍ତି,” ଛଉ ନୃତ୍ୟ ଭଳି ଝୁମରକୁ ଉଠାଇବା ପାଇଁ କେହି ଆଗ୍ରହୀ ନୁହଁନ୍ତି। ଅନ୍ୟ ନୃତ୍ୟ ପାଇଁ ଏତେ ଟଙ୍କା ଆସୁଛି ହେଲେ ଝୁମର ସେମିତି ପଡ଼ିରହିଛି।”

ନୃତ୍ୟ ପରିବେଷଣ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଓ ଆବଶ୍ୟକ ଥିବା ସୁବିଧା ନଥିବାରୁ ବାଧ୍ୟ ହୋଇ ଖୋଲା ପଡ଼ିଆରେ ପିଲାମାନେ ଏହି ନୃତ୍ୟ ଶିଖୁଛନ୍ତି।

କୁଡୁମି ମହାସଭାର ରାଜ୍ୟ ସମ୍ପାଦକ ବସନ୍ତ ମହାନ୍ତଙ୍କ କହିବା କଥା ଯେ ଝୁମର ନୃତ୍ୟ ପ୍ରତିଷ୍ଠାନ ପାଇଁ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ହେଁ ଏ ପର୍ଯ୍ୟନ୍ତ ତାହା ସମ୍ଭବ ହୋଇ ନାହିଁ।

ଝୁମର ଭଳି ଓଡିଶାର ଅନେକ ଲୋକକଳା ଓ ପରମ୍ପରା ଆସ୍ତେ ଆସ୍ତେ ଇତିହାସର ବସ୍ତୁ ହେବାକୁ ଯାଉଛି। ସରକାରୀ ସାହାଯ୍ୟ ଘଟଣାର ଗୋଟିଏ ଦିଗ। ଅନ୍ୟ ଦିଗଟି ହେଉଛି ଆମେ ଆମ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବା ପାଇଁ କେତେ ଅଙ୍ଗିକାରବଦ୍ଧ ?

Comment