ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ମୁଖ୍ୟମନ୍ତ୍ରୀ ଶୁଣିବେ ଅଭିଯୋଗ। ଆସନ୍ତା ୧୦ ତାରିଖଠାରୁ ପ୍ରତି ସୋମବାର ସେ ଭୁବନେଶ୍ୱର ୫ ନମ୍ବରସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହି ଲୋକଙ୍କ ଗୁହାରି ଶୁଣିବେ। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅଭିଯୋଗ ଶୁଣାଣି ଶିବିର ପ୍ରକୋଷ୍ଠର ମରାମତି କାମ ଚାଲିଛି। ଏହାସହ ଲୋକଙ୍କ ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ପ୍ରକୋଷ୍ଠକୁ ଯିବା ରାସ୍ତା ମଧ୍ୟ ସଫେଇ କରାଯାଉଛି। 

ଏହାସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ନେଇ ରାଜନୀତି କରିଡରରେ ଚର୍ଚ୍ଚା ହେଉଛି। ୮ ବର୍ଷ ହେଲା ଅଭିଯୋଗ ଶୁଣାଣି ଶିବିରରେ ପାଦ ପକାଇ ନଥିବା ନବୀନ ହଠାତ୍‍ କାହିଁକି ଲୋକଙ୍କ କଥା ମନେ ପକାଇଲେ ବୋଲି ଆଲୋଚନା ଜୋର ଧରିଛି। ତେବେ ଗଲା ପଞ୍ଚାୟତ ନିର୍ବାଚନ ପରଠାରୁ ବିଜେପିର ଅଭିବୃଦ୍ଧି ଏବଂ କେନ୍ଦ୍ରମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବାରମ୍ବାର ଓଡ଼ିଶା ଗସ୍ତ ନବୀନଙ୍କ ଚିନ୍ତା ବଢ଼ାଇଥିବାରୁ ସେ ନିଜେ ଲୋକଙ୍କ ସହ ମିଶିବାକୁ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି।

ଗତ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ଲୋକପ୍ରିୟତାରେ ଲାଗିଥିଲା ରୋକ୍‍। ଚର୍ଚ୍ଚା ହେଲା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହ୍ରାସ ପାଇଛି, ଯେଉଁଥିପାଇଁ ଦଳର ୩ ପ୍ରତିଶତ ଭୋଟ ହାର କମିଗଲା ବୋଲି କୁହାଗଲା। ଏଣୁ ଏହାର ପ୍ରଭାବ କାଳେ ୨୦୧୯ ନିର୍ବାଚନ ଉପରେ ପଡ଼ିବ ସେଥିପାଇଁ ଏବେଠୁ ନବୀନ ଲୋକଙ୍କ ନିକଟତର ହେଉଛନ୍ତି।

ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ପାଲହାଇଟସ୍ଥିତ ଅକ୍ସଫୋର୍ଡ ବହି ଦୋକାନରୁ ଭଉଣୀ ଗୀତା ମେହଟ୍ଟାଙ୍କ ସହ ବହି କିଣିବା, ଓୟୁଏଟି ପରିସରରେ ଛାତ୍ରଛାତ୍ରୀଙ୍କ ଗହଣରେ ସେଲଫି ନେବା ଏବଂ ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ବୁଦ୍ଧିଜୀବୀ ଶ୍ରେଣୀର ଲୋକଙ୍କ ପାଇଁ ତୃତୀୟ ମହଲାର ଚାମ୍ବର ଖୋଲାଯିବା ଘଟଣାରୁ ସ୍ପଷ୍ଟ ହେଉଛି ଯେ, ନବୀନ ଆଉ ପୂର୍ବ ଭଳି ନାହାନ୍ତି। ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖି ୨୦୧୯ ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଛନ୍ତି। ଏଣୁ ୧୯ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବିଜେଡି ସୁପ୍ରିମୋ ଆଉ ଏକ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଣିକି ଆଗାମୀ ୧୦ ତାରିଖଠାରୁ ପ୍ରତି ସୋମବାର ମଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ପ୍ରକୋଷ୍ଠରେ ନିଜେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିବେ ବୋଲି ଜଣାପଡ଼ିଛି। ଏହାସହ ଅତ୍ୟଧିକ ଖରା ଯୋଗୁ ଗତ ଏପ୍ରିଲ ୨୪ରୁ ୩୦ଟି ଜିଲାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା। ଏହା ମଧ୍ୟ ଖୋଲାଯିବ ବୋଲି ଜଣାପଡ଼ିଛି। ତେବେ ମୁଖ୍ୟମନ୍ତ୍ରୀ ନିଜେ ପ୍ରତି ସୋମବାର ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଉପସ୍ଥିତ ରହିବା ଘଟଣାକୁ ବିରୋଧୀ ଦଳ ସହଜରେ ଗ୍ରହଣ କରିପାରୁନାହାନ୍ତି।

LEAVE A REPLY

Please enter your comment!
Please enter your name here