ଓଡ଼ିଶାଲାଇଭ୍ ବ୍ୟୁରୋ

“ବିଶ୍ୱପ୍ରସିଦ୍ଧ ତାଜମହଲକୁ ଆପଣ ନଷ୍ଟ କରିବାକୁ ଚାହାନ୍ତି କି?” – ଏହି ପ୍ରଶ୍ନ ସୁପ୍ରିମକୋର୍ଟ ପଚାରିଛନ୍ତି ଆମ କେନ୍ଦ୍ର ସରକାରଙ୍କୁ।

ଉତ୍ତରପ୍ରଦେଶର ମଥୁରାରୁ ଦିଲ୍ଲୀକୁ ଆଉ ଏକ ରେଳଲାଇନ୍ ବିଛାଇବା ପାଇଁ ସରକାରଙ୍କ ଏକ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ହେଲେ ୪୦୦ରୁ ଅଧିକ ପୁରୁଣା ଗଛ କାଟିବାକୁ ହେବ। ଫଳରେ ପ୍ରଦୂଷଣଜନିତ କାରଣରୁ ବିଶ୍ୱପ୍ରସିଦ୍ଧ ତାଜମହଲ ଉପରେ ଏହାର କୁପ୍ରଭାବ ପଡ଼ିବ। ଏହାର ପ୍ରତିବାଦ କରି ସର୍ବୋଚ୍ଚ ନ୍ୟାୟାଳୟରେ ଫାଇଲ୍ ହୋଇଥିବା ଏକ ଯାଚିକାର ଶୁଣାଣି ବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଥିଲେ।

“ତାଜମହଲ ଭଳି ଏକ ବିରଳ ଓ ବିଶ୍ୱପ୍ରସିଦ୍ଧ କୀର୍ତ୍ତିକୁ ଆପଣ (ସରକାର) ବରବାଦ କରିବାକୁ ଚାହାନ୍ତି। ଇଣ୍ଟରନେଟ୍‌କୁ ଯାଇ ସେଠାରେ ଥିବା ଛବି ଥରେ ଦେଖନ୍ତୁ’’- ଜଷ୍ଟିସ୍ ମୋହନ ବି ଲୋପୁର ଏବଂ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପିଠ ଶୁଣାଣି ବେଳେ ଏହି ପ୍ରଶ୍ନ ପଚାରିଥିଲେ।

କୋର୍ଟ କଟୁ ମନ୍ତବ୍ୟ ଦେଇ କହିଥିଲେ ଯେ ଯଦି ସରକାର ଏଭଳି ଏକ କୀର୍ତ୍ତିକୁ ନଷ୍ଟ କରିବାକୁ ଚାହାନ୍ତି, ତେବେ ଏ ବାବଦରେ ଏକ ଆବେଦନ ବା ସତ୍ୟପାଠ କୋର୍ଟରେ ଦାଖଲ କରିପାରନ୍ତି।

ପରିବେଶବିତ୍‌ ଏମ. ସି. ମେହେଟ୍ଟାଙ୍କ ଦ୍ୱାରା ଫାଇଲ୍ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରୁଛନ୍ତି।

ସେହିପରି ପ୍ରସ୍ତାବିତ ରେଳଲାଇନ୍ ବିଛାଇବା ପାଇଁ ସମ୍ପୃକ୍ତ ଅଞ୍ଚଳର ପ୍ରାୟ ୮୦ କିଲୋମିଟର ରାସ୍ତାରେ ଥିବା ୪୫୦ଟି ଗଛ କାଟିବା ବାବଦରେ ଅନୁମତି ଦେବା ପାଇଁ କୋର୍ଟରେ ଏକ ଆବେଦନ ହୋଇଛି। ଏହି ଆବେଦନର ଶୁଣାଣି ବେଳେ କୋର୍ଟ ସରକାରଙ୍କୁ ସିଧାସିଧା ଶୁଣାଇ ଦେଇଛନ୍ତି ଯେ ଯଦି ଏହି ଗଛସବୁ କାଟି ଦିଆଯାଏ, ତେବେ ତା’ର ପରିବେଶ ଉପରେ ବିଶେଷ କରି ତାଜମହଲ ପ୍ରତି ବିପଦର କାରଣ ହେବ।

ସରକାରଙ୍କ ପକ୍ଷରୁ ଗଛ କାଟିବା ଲାଗି କରାଯାଇଥିବା ଆବେଦନରେ କୁହାଯାଇଛି ଯେ ଦିଲ୍ଲୀ ମଥୁରା ରାସ୍ତାରେ ଟ୍ରେନ୍ ଚଳାଚଳ ବେଳେ ସୃଷ୍ଟି ହେଉଥିବା ବାଧା ଦୂର କରିବା ପାଇଁ ଆଉ ଏକ ଲାଇନ୍‌ର ଆବଶ୍ୟକତା ରହିଛି। ଏଥିପାଇଁ ପ୍ରସ୍ତାବିତ ରେଳପଥରେ ଥିବା ଗଛଗୁଡ଼ିକୁ କାଟିବା ଆବଶ୍ୟକ ବୋଲି ଏହି ଆବେଦନରେ ଉଲ୍ଲେଖ କରାଯାଇଛି।

ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲା ଶୁଣାଣି ପାଇଁ ସେପ୍ଟେମ୍ବରରେ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି।

ତାଜମହଲ ମୋଗଲ୍ ବାଦ୍‌ଶାହା ଶାହାଜାହାନଙ୍କ ଦ୍ବାରା ୧୬୩୧ ମସିହାରେ ନିର୍ମିତ ହୋଇଥିଲା। ଏହା ପୃଥିବୀର ଏକ ବିରଳ କୀର୍ତ୍ତି ଭାବରେ ପରିଚିତ। ଏହା ଏକ ୟୁନେସ୍କୋ ସଂରକ୍ଷିତ ବିଶ୍ୱ ଐତିହ୍ୟ କୀର୍ତ୍ତି ଭାବରେ ସ୍ଥାନ ପାଇଛି।

Tags: Taj Mahal, M C Mehetta, Supreme Court, Justice Mohan B Lopur, Justice Deepak Gupta, Tajmahal, Shah Jahan, Mumtaz, UNESCO

LEAVE A REPLY

Please enter your comment!
Please enter your name here