ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋଲିଲା ରେଳ କର୍ମଚାରୀଙ୍କ ଦାୟିତ୍ୱହୀନତା

ଉତ୍ତରପ୍ରଦେଶର ମୁଜାଫରନଗରଠାରେ ପୁରୀ-ହରିଦ୍ୱାର ଟ୍ରେନ ଦୁର୍ଘଟଣାର ପର୍ଦ୍ଦାଫାସ୍ ହେବାରେ ଲାଗିଛି। ରବିବାର ଦିନ ଦୁଇଜଣ ରେଳଲାଇନ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରୁ ଦୁର୍ଘଟଣା ସମ୍ପର୍କରେ କିଛି ସୁରାକ ମିଳିଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଅଡିଓ କ୍ଲିପରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ କର୍ମଚାରୀଙ୍କ ଦାୟିତ୍ୱହୀନତାରୁ ହିଁ ଏହି ଦୁର୍ଘଟଣା ଘଟିଥିଲା।

ଘଟଣାସ୍ଥଳରେ ଥିବା ଜଣେ ଗେଟମ୍ୟାନ ଓ ଅନ୍ୟ ଜଣେ କର୍ମଚାରୀଙ୍କ ଭିତରେ ଦୁର୍ଘଟଣାକୁ ନେଇ କଥାବାର୍ତ୍ତା ଚାଲିଥିଲା। ଅବଶ୍ୟ ଏହି ମୋବାଇଲ କଥାବାର୍ତ୍ତା ନିଜ ନିଜ ଭିତରେ ହେଉଥିଲା ଓ ଏହା ତଦନ୍ତ ପରିସର ଭିତରକୁ ଆସିବ କି ନାହିଁ ଜଣାନାହିଁ।

କିନ୍ତୁ ଏହାର ସାରମର୍ମ ହେଉଛି ଯେ ଗ୍ୟଙ୍ଗମ୍ୟାନ ଓ ତାଙ୍କ ସହଯୋଗୀ ଯଦି ନିଜ କାମଟି ଠିକ୍ କରିଥା’ନ୍ତେ, ତେବେ ୨୩ଟି ଜୀବନ ଯାଇନଥା’ନ୍ତା।

କଥାବାର୍ତ୍ତା ବେଳେ ଗେଟମ୍ୟାନ କହୁଛନ୍ତି ଯେ, “ଏଠି ଜଣେ ନୂଆ ଜେଈ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓ କର୍ମଚାରୀ ତାଙ୍କ କଥା ଶୁଣୁନାହାନ୍ତି। ଗେଟମ୍ୟାନ ଏକଥା ମଧ୍ୟ କହିବା ଶୁଣାଯାଉଥାଏ ଯେ ଦୁର୍ଘଟଣା ପରେ ଗ୍ୟଙ୍ଗମ୍ୟାନ ଓ ତାଙ୍କ ସହିତ କାମ କରୁଥିବା ହେଲ୍ପର୍ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ ଓ ନିଜ ନିଜ ମୋବାଇଲ ଫୋନକୁ ବନ୍ଦ କରି ଦେଇଥିଲେ। ଗେଟମ୍ୟାନ ଏହା ମଧ୍ୟ କହୁଛନ୍ତି ଯେ ଟ୍ରାକ ଉପରେ କାମ କରୁଥିବା ଲୋକଙ୍କ ଦାୟିତ୍ୱଜ୍ଞାନ ବୋଲି କିଛି ନାହିଁ।

ସେହି ସମୟରେ ଡ୍ୟୁଟିରେ ଥିବା ଷ୍ଟେସନ ମାଷ୍ଟରଙ୍କ କହିବା କଥା ଯେ ରେଳଲାଇନ ଖରାପ ଥିବା କଥା ତାଙ୍କୁ କେହି ଜଣାଇନଥିଲେ। ଯଦି ସେ ଜାଣିଥା’ନ୍ତେ, ତେବେ ଟ୍ରେନକୁ ଯିବା ପାଇଁ ସିଗ୍‌‍ନାଲ ଦେଇନଥା’ନ୍ତେ।

ପୁରୀ-ହରିଦ୍ୱାର୍ ଉତ୍କଳ ଏକ୍ସପ୍ରେସ ଯେଉଁଠାରେ ଦୁର୍ଘଟଣାର ଶିକାର ହେଲା ସେଠି ଟ୍ରାକ ମରାମତି କାର୍ଯ୍ୟ ଶେଷ ହେଲା ବେଳକୁ ସମୟ ଲାଗିବ, ଏଣୁ ଟ୍ରେନର ଗତିକୁ କମ୍‌ କରିବା ପାଇଁ ‍କୁଆଡ଼େ ଟ୍ରେନର ଚାଳକଙ୍କୁ କୁହାଯାଇଥିଲା। କିନ୍ତୁ ଡ୍ରାଇଭର ଘଣ୍ଟାକୁ ଶହେ କିମି ଗତିରେ ଟ୍ରେନକୁ ଚଲାଇବା ଆରମ୍ଭ କଲେ, ଯାହାଫଳରେ ବଗିଗୁଡ଼ିକ ଗୋଟିକ ପରେ ଗୋଟିଏ ଲାଇନ ବାହାରକୁ ପଳାଇ ଯାଇଥିଲା।

Tags: Yogi Adityanath, Narendra Modi, Puri-Haridwara Kalinga Utkal Express Train, Suresh Prabhu, Train Accident, Utkal Express, Social Media, Viral Audio Clip, Derailment, Indian Railways,

1 COMMENT

LEAVE A REPLY

Please enter your comment!
Please enter your name here